୮ ମାସରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କଲେଣି ୧୧୨୯୨ ଜଣ ପର୍ଯ୍ୟଟକ

ବୌଦ୍ଧ: ଐତିହାସିକ ବୌଦ୍ଧଜିଲ୍ଲାର ପବିତ୍ର ଓ ଗୈାରବମୟ ଐତିହ୍ୟ,କଳା,ସାହିତ୍ୟ,ସଂସ୍କୃତି ଓ କୀର୍ତ୍ତିରାଜୀକୁ ସ୍ମରଣ ରଖିବା ତଥା ଉତ୍ତର ପିଢିଙ୍କ ପାଇଁ ପ୍ରେରଣାଦାୟୀ ହେବା ଉଦ୍ଦେଶ୍ୟରେ ବୌଦ୍ଧ ରାଜାଙ୍କ ଦ୍ୱାରା ନିର୍ମିତ ପୁରୁଣା କଚେରୀ କୋଠାକୁ ଗତ ଜାନୁୟାରୀ ୨ ତାରିଖ ଦିନ ଜିଲ୍ଲା ଗଠନର ୨୭ତମ ସ୍ୱନକ୍ଷତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେସିଙ୍ଗ ଜରିଆରେ ଏହି କୋଠାକୁ ଜିଲ୍ଲା ସଂଗ୍ରହାଳୟ ଭାବରେ ଉଦଘାଟନ କରାଯାଇଥିଲା। ଏହି ସଂଗ୍ରହଳୟ ପ୍ରତିଷ୍ଠା ହେବା ଦିନଠାରୁ ଜିଲାକୁ ଯେକୌଣସି ସରକାରୀ ଅତିଥି ଆସନ୍ତୁ କି ପର୍ଯ୍ୟଟକ ସମସ୍ତଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସଂଗ୍ରହାଳୟର ଉପର ମହଲାକୁ ସଂପ୍ରସାରିତ କରାଇବାକୁ ନିକଟରେ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ସଂଗ୍ରହାଳୟ ମଧ୍ୟରେ ରାଜା ରାଜୁଡା ସମୟର ସ୍ମୃତି ଚିହ୍ନ ସହିତ ଜିଲ୍ଲାର, କଳା ସଂସ୍କୃତି, ହସ୍ତକଳା, ପ୍ରାଚୀନ କିର୍ତ୍ତିରାଜୀ, ରାଜାଙ୍କ ଶାସନ ସମୟର ଦୁର୍ଲଭ ସାମଗ୍ରୀ, ଜିଲ୍ଳାର ହସ୍ତଶିଳ୍ପ ଓ କାରିଗରୀ, କଳା ସଂସ୍କୃତି, ପୂରାତନ ପୋଥି, ଦସ୍ତାବେଜ, ଫଟୋଚିତ୍ର ଓ ପୁସ୍ତକ ଆଦି ସ୍ଥାନ ଦିଆଯାଇଛି। ସଂଗ୍ରହାଳୟକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇ ରାଜକୀୟ କକ୍ଷ, ଟେରାକୋଟା, ମୁଦ୍ରା ଓ ପୋଥିଲେଖ ବିଭାଗ, ଚାରୁ ଓ ଚାରୁକଳା ପ୍ରକୋଷ୍ଠ, ପରମ୍ପରାଗତ ସଙ୍ଗିତ ଓ ନୃତ୍ୟକଳା, ପର୍ଯ୍ୟଟନ ପ୍ରକୋଷ୍ଠ, ଉନ୍ନୟନ ମୂଳକ ପ୍ରକଳ୍ପ, ଜିଲ୍ଲାର ଖ୍ୟାତିସଂପର୍ଣ୍ଣ ବ୍ୟକ୍ତିବିଶେଷ, ଜନଜାତି ପ୍ରକୋଷ୍ଠ, ହସ୍ତଶିଳ୍ପ, ଶସ୍ତ୍ରଶାଳା, ଚାନ୍ଦୁଆ ଶିଳ୍ପ, ପୂରାତନ ଅଭିଲେଖାଗାର, ହସ୍ତତନ୍ତ ପ୍ରକୋଷ୍ଠ ଐତିହାସିକ ଓ ସ୍ଥାପତ୍ୟ କଳା ଏବଂ ସ୍ମରଣିକା ଆଦି ସ୍ଥାନ ଦିଆଯାଇଛି।

ଏହି ସଂଗ୍ରହାଳୟକୁ ଦେଖିବା ପାଇଁ ଜିଲ୍ଲା ଓ ବାହାର ଜିଲ୍ଲାର ବହୁ ପରିଦର୍ଶକ ପ୍ରତିଦିନ ଆସିଥାନ୍ତି। ହେଲେ କୋଭିଡ କଟକଣା ଯୋଗୁଁ ମେ, ଜୁନ ଓ ଜୁଲାଇ ମାସ ଜିଲ୍ଲା ସଂଗ୍ରହାଳୟ ବନ୍ଦ ରହିଥିବା ବେଳେ ଗତ ୮ ମାସରେ ୧୧୨୯୨ ଜଣ ପର୍ଯ୍ୟଟକ ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିଥିବା ବେଳେ ଟିକଟ ବାବଦରେ ୧୧୨୦୧୦ ଟଙ୍କା ସଂଗ୍ରହ କରାଯାଇଥିବା ଜଣାପଡିଛି। ଏହି ଜିଲ୍ଲା ସଂଗ୍ରହାଳୟକୁ ଜାନୁଆରୀ ମାସରେ ୪୯୬୫ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଫେବୃଆରୀ ମାସରେ ୩୨୭୬ ଜଣ,ମାର୍ଚ୍ଚ ମାସରେ ୮୩୫ ଜଣ, ଏପ୍ରିଲ ମାସରେ ୫୦୬ ଜଣ, ଅଗଷ୍ଟ ମାସରେ ୨୩୨ ଜଣ, ସେପ୍ଟେମ୍ବର ମାସରେ ୨୪୫ ଜଣ, ଅକ୍ଟୋବର ମାସରେ ୫୮୨ ଜଣ ଓ ନଭେମ୍ବର ମାସରେ ୫୬୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିବା ଜଣାଯାଇଛି। ସଂଗ୍ରହାଳୟର ପ୍ରତ୍ୟେକ ପ୍ରକୋଷ୍ଠକୁ ଇଣ୍ଟରିୟର ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ସଂଗୃହୀତ ସାମଗ୍ରୀ ଗୁଡିକୁ ସେଥିରେ ସଜାଇ ରଖାଯିବାର ବ୍ୟବସ୍ଥା କରାଯାଇଛି।

ଜିଲ୍ଳାର ଅନେକ ବ୍ୟକ୍ତିବିଶେଷ ନିଜ ଘରେ ରହିଥିବା ପୂରାତନ ସାମଗ୍ରୀ ଗୁଡିକୁ ସଂଗ୍ରହାଳୟ ପାଇଁ ପ୍ରଦାନ କରିଥିବାବେଳେ ପ୍ରଶାସନ ପକ୍ଷରୁ କାରୀଗରଙ୍କ ସହାୟତାରେ ଅନେକ ସୁଦୃଶ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ପ୍ରାଚୀନ କିର୍ତ୍ତିରାଜୀ ଭାବରେ ଜିଲ୍ଳାର ବିଭିନ୍ନ ଅଂଚଳରୁ ପ୍ରାଚୀନ ମୂର୍ତ୍ତି ସହ ପ୍ରସ୍ତର ଖଣ୍ଡକୁ ଆଣି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଛି। ତେବେ ଏହି ସଂଗ୍ରହାଳୟ ୨୦୨୧ ରେ ଜିଲ୍ଲାପାଇଁ ଏହି ଐତିହାସିକ ସଂଗ୍ରହାଳୟ ଏକ ବଡ ଉପଲବ୍ଧି ହୋଇଥିବାବେଳେ ଜିଲ୍ଳାବାସୀଙ୍କ ଗର୍ବର ବିଷୟ ବୋଲି ବୁଦ୍ଧଜିବୀମହଲରେ ମତପ୍ରକାଶ ପାଉଅଛି। ଏହି ଐତିହାସିକ ସଂଗ୍ରହାଳୟକୁ ସ୍ଥାପିତ କରାଇବାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିରଙ୍କୁଶ ଉଦ୍ୟମ ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆଙ୍କ କର୍ତ୍ତବ୍ୟନିଷ୍ଠା ଓ ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଶ୍ରମକୁ ବୌଦ୍ଧ ଜିଲାବାସୀ ସର୍ବଦା ମନେ ରଖିବେ।

Comments are closed.