୧୦୦ ଏକର ଗଞ୍ଜେଇ ଚାଷ ନଷ୍ଟ

ବୌଦ୍ଧ: ଗଞ୍ଜେଇ ଚାଷକୁ ନେଇ ବୌଦ୍ଧ ଜିଲା ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଅଳ୍ପଦିନ ତଳେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବୌଦ୍ଧଜିଲା ଗସ୍ତ କରି ଏହି ବେଆଇନ ଚାଷ ଉପରେ ଅଙ୍କୁଶ ଲଗାଇବାକୁ ସମୀକ୍ଷା କରିଥିଲେ। ବିଶେଷ ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ରହିଥିବା ଜଳସ୍ରୋତ ଗୁଡିକର କୂଳେ କୂଳେ ସରକାରୀ ଜମିରେ ଏହି ବେଆଇନ ଚାଷ କରାଯାଉଛି। ପ୍ରତିବର୍ଷ ଜିଲାରୁ ଲକ୍ଷ ଲକ୍ଷ ଗଂଞ୍ଜେଇ ଗଛ କଟାଉଥିଲେ ମଧ୍ୟ ଏହି ବ୍ୟବସାୟ ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଜିଲାରେ ପୋଲିସ, ଅବକାରୀ, ଜଙ୍ଗଲ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ବୌଦ୍ଧ ବ୍ଲକ ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୧୦୦ ଏକର ଅଞ୍ଚଳରୁ ୧୫୧୧୫୫ଟି ଗଛ କଟାଯାଇ ନଷ୍ଟ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ପୋଲିସ, ଅବକାରୀ, ବନବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୁଇଗୋଟି ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Comments are closed.