୧୩୨ କିଲୋ ଗଂଜେଇ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ମୂର୍ଷୁଣ୍ଡି ପଂଚାୟତ ସରଣ୍ଡା ଛକ ନିକଟରେ ଏକ ଟାଟା ଏସି ଗାଡିରେ ଗଂଜେଇ ଚାଲାଣ ହେଉଥିବା ସୂଚନା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ଗଂଜେଇ ସହିତ ଗାଡିକୁ ଜବତ କରାଯାଇଛି। ଗାଡିର ଚାଳକ ଅନୁଗୁଳ ଜିଲା ବଇଣ୍ଡା ଅଂଚଳର ଜିତେନ୍ଦ୍ର ପୋଢ(୨୪)କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏକ ଟାଟା ଏସିଇ ଗାଡିରେ ଜାତୀୟ ରାଜପଥରେ ଗଂଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ସୁପରିଟେଣ୍ଡେଣ୍ଟ୍‍ କ୍ରିଷ୍ଣା ନାୟକଙ୍କ ନିର୍ଦ୍ଦେଶରେ ଅବକାରୀ ଇନ୍ସିପେକ୍ଟର ସାଗରିକା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସରଣ୍ଡା ଗ୍ରାମ ନିକଟରେ ଏକ ଟାଟା ଏସିଇ ଗାଡିକୁ ତଲାସି କରାଯାଇଥିଲା। ଗାଡିରୁ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଂଜେଇ ଆକଳନ କରାଯିବାରୁ ୧୩୨ କିଲୋ ହୋଇଥିବା ସୂଚନା ଦିଆଯାଇଛି। ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବଇନ୍ସିପେକ୍ଟର ରମେଶ ଚନ୍ଦ୍ର ମହାନ୍ତି, ସ୍ପନ୍ଦନ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲଥିଲେ।

Comments are closed.