ପୌର ପରିଷଦ ମାନ୍ୟତା ଦାବିରେ ନାଗରିକ କମିଟିର ଧାରଣା

ବୌଦ୍ଧ: ବୌଦ୍ଧ ସହରବାସୀଙ୍କ ଦୀର୍ଘଦିନର ଦାବି ବୌଦ୍ଧକୁ ପୌର ପରିଷଦର ମାନ୍ୟତା, ବୌଦ୍ଧ ଜିଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତକୁ ପରିବର୍ତ୍ତନ ଏବଂ ଜିଲାର ଦୁଇ ପ୍ରାଚୀନ ମନ୍ଦିର ଗନ୍ଧରାଢୀ ଓ ରାମେଶ୍ୱରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଅନୁଦାନ ତୁରନ୍ତ ଯୋଗାଇଦେବା ଦାବିରେ ବୌଦ୍ଧ ନାଗରିକ କମିଟି ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ପ୍ରଦାନ କରାଯାଇଛି। ବୌଦ୍ଧ ସହର ଏକ ପ୍ରାଚୀନ ସମୃଦ୍ଧ ଗଡଜାତର ରାଜଧାନୀ ରହିଥିବା ବେଳେ ସ୍ୱାଧୀନତା ପରେ ଏହି ଐତିହମୟୀ ସହର କନ୍ଧମାଳ ଜିଲା ଅଧିନରେ ରହି ନିଜର ପରିଚିତି ହରାଇ ବସିଥିଲା।

ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୌଦ୍ଧକୁ ଏକ ସ୍ୱତନ୍ତ୍ର ଜିଲା ଭାବରେ ପରିଚୟ ଦେବାପରେ ଏହି ଜିଲାର ସମୃଦ୍ଧ ଐତିହ୍ୟ, ପରମ୍ପରାକୁ ନୂତନ ପରିଚୟ ମିଳିବା ସହିତ ବିକାଶ ଦିଗରେ ଜିଲା ଅଗ୍ରଗତି କରିଚାଲିଛି। ତେବେ ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗି ଭାବରେ ଜଡିତ ଏହି ଜିଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଉତ୍ତରାଞ୍ଚଳ ଆୟୁକ୍ତକୁ ସ୍ଥାନାନ୍ତର ପାଇଁ ଏହି ଅଞ୍ଚଳର ଓକିଲ ସଂଘ, କର୍ମଚାରୀ ସଂଘ, ସାମ୍ବାଦିକ ସଂଘ ଓ ନାଗରିକ କମିଟି ଠାରୁ ଆରମ୍ଭ କରି ସମସ୍ତ ସଂଗଠନ ପକ୍ଷରୁ ଦୀର୍ଘଦିନ ହେଲା ଦାବି କରାଯାଇ ଆସୁୂଥିଲେ ମଧ୍ୟ କେତେବେଳେ ରାଜସ୍ୱ ଆୟୁକ୍ତ ସଂଖ୍ୟା ବୃଦ୍ଧି କିମ୍ବା ଆଞ୍ଚଳିକ ଅସହମତି ନାମରେ ରାଜ୍ୟ ସରକାର ଏଡାଇ ଚାଲିଛନ୍ତି। ତେଣୁ ନାଗରିକ କମିଟି ପକ୍ଷରୁ ତୁରନ୍ତ ଏହି ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଦାବି କରାଯାଇଛି।

ସେହିପରି ବୌଦ୍ଧ ସହରର ଜନସଂଖ୍ୟା ଓ ଭିତିଭୂମି ଆଧାରରେ ଏହାକୁ ଏକ ପୌର ପରିଷଦର ମାନ୍ୟତା ପ୍ରଦାନ ଜିଲାବାସୀଙ୍କ ନ୍ୟାର୍ଯ୍ୟ ଦାବି ହୋଇଥିବା ବେଳେ ସରକାର ଏହାକୁ ମଧ୍ୟ ଅଣଦେଖା କରି ଚାଲିଛନ୍ତି। ପୌର ନିର୍ବାଚନ ପୂର୍ବରୁ ସରକାର ଜିଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପୂରଣ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାର ପୌର ନିର୍ବାଚନର ୱାର୍ଡ ସୀମା ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେଣୁ ଜିଲାବାସୀଙ୍କ ଏହି ଦାବି ଏବେ ମରିଚିକା ହେବାକୁ ବସିଥିବା ବେଳେ ରାଜ୍ୟ ସରକାର ତୁରନ୍ତ ବୌଦ୍ଧକୁ ପୌର ପରିଷଦର ମାନ୍ୟତା ପ୍ରଦାନ କରିବା ପରେ ନିର୍ବାଚନ ଘୋଷଣା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି। ବୌଦ୍ଧ ନାଗରିକ କମିଟି ପକ୍ଷରୁ ଜିଲାବାସୀଙ୍କ ଏହି ଦାବି ତୁରନ୍ତ ପୂରଣ କରିବାସହ ପ୍ରସ୍ତାବିତ କଣ୍ଟାମାଳ, ମନମୁଣ୍ଡା, ପୁରୁଣାକଟକ ଓ ବାଉଁଶୁଣୀଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି। ଏହାବ୍ୟତୀତ ବୌଦ୍ଧର ଦୁଇ ପୂରାତନ ମନ୍ଦିର ରାମେଶ୍ୱର ଓ ଗନ୍ଧରାଢିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି। ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ନଗର ଉନ୍ନୟନ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଯଦି ସରକାର ଜିଲାବାସୀଙ୍କ ଏହି ନ୍ୟାର୍ଯ୍ୟଦାବି ନେଇ ଟାଳଟୁଳ ନିତି ଜାରି ରଖନ୍ତି ଆବଶ୍ୟକ ହେଲେ ନାଗରିକ କମିଟି ନ୍ୟାୟାଳୟର ଆଶ୍ରୟ ନେବ ବୋଲି ସୂଚନା ଦିଆଯାଇଛି।

ବୌଦ୍ଧ ନାଗରିକ କମିଟିର ସମ୍ପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ଧାରଣା କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ବରଷ୍ଠ ଆଇନଜିବୀ ନବ କୁମାର ମିଶ୍ର, ବିପ୍ରଚରଣ ମହାନ୍ତି, ବୌଦ୍ଧ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁଧର ଭୋଇ, ଶୁଭେନ୍ଦୁ ପଟ୍ଟନାୟକ, ସରୋଜ କୁମାର ପ୍ରଧାନ, ସୂର୍ଯ୍ୟକାନ୍ତ ଦଳବେହେରା, ଜିଲା ଉନ୍ନୟନ ପରିଷଦର ସଭାପତି ଚିତରଞ୍ଜନ ଦାଶ, ପଙ୍କଜ କର୍ଣ୍ଣ, ଯୁଗଳ କିଶୋର ସାହୁ, ରାଏ ସଂଜିବ କୁମାର ଦେଓ, ସୂର୍ଯ୍ୟନାରାୟଣ ମହାପାତ୍ର, ପ୍ରଦୋଷ କୁମାର ମିଶ୍ର, ଶୁଭେନ୍ଦୁ ପଟ୍ଟନାୟକ, ତାରେଣି ଜେନାଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ନାଗରିକ ସାମିଲ ହୋଇଥିଲେ। ଏହା ବ୍ୟତୀତ ବୌଦ୍ଧ ମୋଟର କର୍ମଚାରୀ ସଂଘ, ରିକ୍ସା ଚାଳକ ସଂଘ, ଦୁଇଚକିଆ ମେକାନିକ ସଂଘ, ଟ୍ରକ ମାଲିକ ସଂଘର ପ୍ରତିନିଧି ଓ କର୍ମକର୍ତ୍ତା ଏହି ଧାରଣାରେ ସାମିଲ ହୋଇ ନିଜର ସମର୍ଥନ ଜଣାଇଥିବା ବେଳେ କଣ୍ଟାମାଳ, ବାଉଁଶୁଣୀ ଓ ପୁରୁଣାକଟକ ନାଗରିକ କମିଟିର ପ୍ରତିନିଧି ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ।

Comments are closed.