ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ: ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବିଧାୟକ ପ୍ରଦିପ କୁମାର ଅମାତ ଏହି ଶିବିରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବାସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ଅମାତ ରକ୍ତଦାନର ଉପାଦେୟତା ଏବଂ ଏହି କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାମାନଙଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଇଥିବାବେଳେ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ। ଆୟୋଜିତ ସଭାରେ ଓଡ଼ିଶା ମୋ ପରବାରର ଜୀବନ ବିନ୍ଦୁ ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର ଗୋଟିଏ ପଞ୍ଚାୟତରେ ଆୟୋଜିତ ଦୁଇଗୋଟି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ଏବଂ ୨୪ ଜଣ ମହିଳା ରକ୍ତଦାନ କରିବା ବୌଦ୍ଧ ଜିଲାରେ ସର୍ବକାଳୀନ ରେକର୍ଡ ବୋଲି ପ୍ରକାଶ କରିବା ସହିତ ସରପଞ୍ଚ ଶ୍ରୀସ୍ୱାଇଁ ଓ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ।

ଏହି କାର୍ଯକ୍ରମରେ ଶ୍ରୀସ୍ୱାଇଁ ମା’ ମାନଙ୍କ ଭୂମିକା ଏବଂ ରକ୍ତଦାତାମାନଙ୍କ ଆଗ୍ରହକୁ ଭୂୟସୀ ପ୍ରଶଂସା କରିବା ସହିତ ଶିବିର ଆୟୋଜନରେ ସହଯୋଗ କରିଥିବା ଡାକ୍ତରୀଦଳ,ସ୍ୱେଛାସେବୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଜିଲା ମହିଳା ବିଜେଡି ସଭାନେତ୍ରୀ ଯଶ୍ମିନ ପ୍ରଧାନ, ମନୋରଞ୍ଜନ ପୁରୋହିତ ଓ ସୁବୋଧ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶିବିର ପରିଚାଳନାରେ ସୁମନ୍ତ ନାଏକ, ବିଦ୍ୟାଧର ପ୍ରଧାନ, ଜଗଦୀଶ ବାରିକ, ଲିଙ୍ଗରାଜ ଭୋକ୍ତା, ସଂଜୟ ପ୍ରଧାନ, ପ୍ରଭାତ ପ୍ରଧାନ, ହରି ପ୍ରଧାନ, ସୁମନ୍ତ ସାହୁ, ରାମଚନ୍ଦ୍ର ପ୍ରଧାନ, ଅରୁଣ ବାଘ, ବିରେନ୍ଦ୍ର ଝାଙ୍କର ଓ ଅରୁଣ ବାରିକ୍‍ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.