ବୌଦ୍ଧ ଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ପ୍ରତିବନ୍ଧକ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତି

ବୌଦ୍ଧ: ସରକାରଙ୍କ ନିଷ୍ପତି କ୍ରମେ ସାରା ରାଜ୍ୟରେ ଶିକ୍ଷକଙ୍କୁ ପଦୋନ୍ନତି ମିଳି ସାରିଥିବା ବେଳେ ବୌଦ୍ଧ ଜିଲାରେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତି ଯୋଗୁଁ ଏପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ପାରିନାହିଁ। ମିଳିଥିବା ସୂଚନା ମୁତାବକ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ନମ୍ବର ୧୦୬୬୮/ତା ୨୮.୦୬.୨୧ ଅନୁଯାୟୀ ଶିକ୍ଷକ ପଦୋନ୍ନତି ନେଇ ରହିଥିବା ୨୦୧୯ ନିୟମକୁ ସଂଶୋଧନ କରାଯାଇ ଯୋଗ୍ୟ ବିବେଚିତ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରି ତା ୩୧.୦୭.୨୦୨୧ ସୁଦ୍ଧା ପ୍ରକ୍ରିୟା ସଂପୁର୍ଣ୍ଣ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଗତ ତା.୧୫.୧୦.୨୦୨୧ରିଖରେ ବୌଦ୍ଧ ଜିଲାର ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଦିଆଯାଇଥିବା ତାଲିକା ତ୍ରୁଟିପୂର୍ଣ୍ଣ ଥିବାରୁ ଜିଲାର ଶିକ୍ଷକ ଶିକ୍ଷୟିତ୍ରୀ ଏପର୍ଯ୍ୟନ୍ତ ପଦୋନ୍ନତି ପାଇପାରିନାହାନ୍ତି।

ପ୍ରକାଶ ଥାଉକି ତତ୍କାଳୀନ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବର୍ତମାନର ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱହୀନତା ଓ ବେପରୁଆ ନିତୀ ଯୋଗୁଁ ବର୍ତମାନ ଜିଲାର ୪୭୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୫ମ ‘ଖ’ ସ୍ତରରୁ ୪ର୍ଥ ସ୍ତରକୁ ଏବଂ ୫ମ ‘କ’ ସ୍ତରରୁ ୫ମ ‘ଖ’ ସ୍ତରକୁ ୪୨୫ ଜଣ ଆଜି ସୁଦ୍ଧା ପଦୋନ୍ନତି ପାଇ ପାରିନାହାନ୍ତି। ରାଜ୍ୟର ଅନ୍ୟ ସମସ୍ତ ଜିଲାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପଦୋନ୍ନତି ପାଇସାରିଥିଲେ ମଧ୍ୟ ବୌଦ୍ଧ ଜିଲାରେ ଶିକ୍ଷା ବିଭାଗର ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ନପାଇ ନିରାଶ ହୋଇଛନ୍ତି। କରୋନା କଟକଣା ଯୋଗୁଁ ଦୀର୍ଘଦିନ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବା ବେଳେ ଖୁବଶୀଘ୍ର ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଚାଲିଥିବା ଆଲୋଚନା ହେଉଅଛି। ଏହି ପରିପ୍ରେକ୍ଷିରେ ତୁରନ୍ତ ଜିଲାର ଯୋଗ୍ୟ ବିବେଚିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତି ଦିଆନଗଲେ ଜିଲା ଶିକ୍ଷା ବିଭାଗରେ ଶିକ୍ଷକଙ୍କ ଅସନ୍ତୋଷ ଉଗ୍ରରୂପ ନେବାର ଆଶଙ୍କା ରହିଥିବା ଜଣାଯାଇଛି। ତେଣୁ ଜିଲାପ୍ରଶାସନ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ଶିକ୍ଷା ବିଭାଗର ଅବହେଳାରୁ ଅଟକି ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ତୁରନ୍ତ ଲାଗୁ କରିବାକୁ ଶିକ୍ଷକ ମହଲରେ ମତପ୍ରକାଶ ପାଉଅଛି।

Comments are closed.