ମୃତ ଠିକାଦାରଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କ ଗାଡ଼ି ସମ୍ମୁଖରେ ଶ୍ରମିକଙ୍କ ଧାରଣା

ବୌଦ୍ଧ: ସ୍ବାମୀଙ୍କ ମୃତ୍ୟୁ ପରେ ପଙ୍କଜିନୀଙ୍କ ମୁଣ୍ଡରେ ପାହାଡ଼ ଭାଙ୍ଗି ପଡ଼ିଛି। ଦୁଇ ଛୁଆଙ୍କ ପ୍ରତିପୋଷଣ ଚିନ୍ତାରେ ଘାରି ହେଉଥିବା ବେଳେ ବକେୟା ଟଙ୍କା ପାଇଁ ଘରକୁ ଆସି ଶ୍ରମିକଙ୍କ ତାଗିଦ। ହେଲେ ହାତରେ ଟଙ୍କା ନାହିଁ, ସ୍ବାମୀ କରିଥିବା ଠିକା କାର୍ଯ୍ୟର ବିଲ କୌଣସି ବ୍ୟକ୍ତି ଉଠାଇ ନେଇଛନ୍ତି। ସେହି ଟଙ୍କା ପାଇବା ପରେ ସ୍ବାମୀଙ୍କ ଋଣ ଶୁଝିବା ପାଇଁ ପଙ୍କଜିନୀ ହରଭଙ୍ଗା ବିଡିଓଙ୍କ ନିକଟକୁ ବାରମ୍ବାର ଧାଇଁଛନ୍ତି। ବିଡିଓଙ୍କ ଦ୍ବାରା ସମାଧାନ ନହେବାରୁ ବୌଦ୍ଧ ବିଧାୟକଙ୍କ ନିକଟରେ ଗୁହାରି କରିଛନ୍ତି। ତଥାପି କୌଣସି ଲାଭ ହେଲା ନାହିଁ, ଶେଷରେ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାରମ୍ବାର ଲିଖିତ ଅଭିଯୋଗ କରି ନିରାଶ ହୋଇଛନ୍ତି। ଏବେ ଅଭିଯୋଗ କରିବା ଛାଡ଼ି ଜିଲାପାଳଙ୍କ ସରକାରୀ ଗାଡ଼ି ସମ୍ମୁଖରେ ଧାରଣାରେ ବସିଛନ୍ତି। ଏଭଳି ଦୃଶ୍ୟ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି। ପଙ୍କଜିନୀ ଦୁଇ ପିଲାଙ୍କୁ ସାଙ୍ଗରେ ନେଇ ବସିଥିବା ବେଳେ ତାଙ୍କ ସହ ଯୋଗ ଦେଇଛନ୍ତି ଶ୍ରମିକ ଭାବରେ କାମ କରିଥିବା ଧ୍ରୁବ ସେଠୀ ଓ ସୁମନ୍ତ ରଣା।
ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଦେବଗଡ଼ର ପ୍ରମୋଦ ମାଝୀ ନିଜ ଗାଁର ଅଙ୍ଗନୱାଡ଼ି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। କାମ ଆରମ୍ଭ କରିଥିଲେ ହେଲେ ଗତ ମେ’ ମାସ ୧୫ ତାରିଖରେ। ଏହାପରେ ତାଙ୍କ ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଉକ୍ତ କାର୍ଯ୍ୟରେ ଶ୍ରମିକ ଭାବରେ କାମ କରିଥିବା ଲୋକେ ବକେୟା ପାରିଶ୍ରମିକ ନେବା ପାଇଁ ତାଙ୍କ ଘରକୁ ଆସିଥିଲେ। ଶ୍ରମିକମାନେ ବାରମ୍ବାର ଟଙ୍କା ମାଗିବା ପରେ ପଙ୍କଜିନୀ ବାଧ୍ୟ ହୋଇ ବିଡିଓଙ୍କ ନିକଟ ଲିଖିତ ଅଭିଯୋଗ କରିଥିଲେ, ଏହି ସମୟରେ କୌଣସି ବ୍ୟକ୍ତି ବିଲ ଟଙ୍କା ଉଠାଇ ନେଇଥିବା ବିଡିଓ କହିଛନ୍ତି ବୋଲି ପଙ୍କଜିନୀ ପ୍ରକାଶ କରିଛନ୍ତି।

Comments are closed.