ମମିତା ମେହେର ହତ୍ୟା ଘଟଣାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବୌଦ୍ଧ: କଳାହାଣ୍ଡି ଜିଲା ମହାଲିଙ୍ଗ୍ ସନସାଇନ ପବ୍ଲିକ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ସାହୁଙ୍କୁ ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁଙ୍କ ଦ୍ୱାରା ଅପହରଣ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବୌଦ୍ଧଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସହିତ ଘଟଣାରେ ସଂପୃକ୍ତ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବି କରାଯାଇଛି। ଗୁରୁବାର ମଧ୍ୟାହ୍ନରେ ଜିଲା କଂଗ୍ରେସ କମିଟି ପକ୍ଷରୁ ମହିଳା କଂଗ୍ରେସର ସଭାପତି କବିତା ମହାକୁଳଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଆଇନ ସେଲ କାର୍ଯ୍ୟାଳୟଠାରୁ ବାହାରି ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଦଳୀୟ କର୍ମୀମାନେ ବିକ୍ଷୋଭ ସମାବେଶରେ ସାମିଲ ହୋଇ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବା ସହିତ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ,ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବିଭିନ୍ନ ସମୟରେ ସଂପୃକ୍ତ କଲେଜକୁ ଗସ୍ତ କରି ସେଠାରେ ରାତ୍ରୀଯାପନ କରିଥିବା ସନ୍ଦେହ ଉପୁଜୁଥିବାରୁ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି।

 

ଏଥିସହିତ ଏକ ଘରୋଇ କଲେଜକୁ କିପରି ଭାବରେ ଏବଂ କେଉଁ ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଯୋଗାଇଦିଆଯାଗଲା ତାହାର ମଧ୍ୟ ତଦନ୍ତ କରାଯିବାକୁ ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ବିଦ୍ୟାଳୟ ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ମାମଲାର ନିରପେକ୍ଷ ତଦନ୍ତ କରାଯିବାକୁ ଜିଲା ମହିଳା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ସମାବେଶରେ ଜିଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର, ଉପସଭାପତି ସମରେଶ ମିଶ୍ର,କୋଷାଧ୍ୟକ୍ଷ ପ୍ରଦିପ କୁମାର ଦାସ, ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କୁମାର କର୍ଣ୍ଣ,ରୋହିତାଶ୍ୱ ବେହେରା, ବେଣୁଧର ମେହେର,ତାରେଣି ଜେନା, ଅର୍ଜୁନ ମହାନନ୍ଦିଆ ଓ ଗଣେଶ ଅଗ୍ରୱାଲା ପ୍ରମୁଖ ସାମିଲ ହୋଇଥିଲେ।

Comments are closed.