ଫସଲ ନଷ୍ଟ କଲେ ହାତୀ

ବୌଦ୍ଧ: ପୁଣି ଗାଁ ମୁହାଁ ହାତୀ। ଜଙ୍ଗଲରୁ ବାହାରି ଏବେ ଗ୍ରାମ ନିକଟ ଚାଷ ଜମିରେ ମାତିଛନ୍ତି। ସୋମବାର ରାତିରେ ବଘିଆପଡ଼ା ସେକ୍ସନ ଜାମଖୋଲ ବିଟର କରାମୁଣ୍ଡା ଗାଁୟର ଧାନ ବସନ୍ତ ପ୍ରଧାନଙ୍କ ଧାନ ଖାଇବା ସହ ନଷ୍ଟ କରିଛନ୍ତି। ସେଠାରୁ ବଘିଆପଡା-ସମାପାଜୁ ରାସ୍ତା ଅତିକ୍ରମ କରି ବୌଦ୍ଧ ସେକ୍ସନର ବେରେଡାବାରି ଗାଁ ମୁହାଁ ହୋଇଥିଲେ। ବେରେଡାବାରି ଗାଁରେ ମଧ୍ୟ କିଛି ଚାଷୀଙ୍କ ଧାନ ଖାଇ ବାଙ୍କମୁଣ୍ଡି ସଂରକ୍ଷିତ ଅଞ୍ଚଳକୁ ଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାଯାଇଛି। ଲୋକଙ୍କ ଅଭିଯୋଗ ଅନୁସାରେ ପ୍ରାୟ ଚାରି ବର୍ଷ ହେଲା ଜିଲ୍ଲାରେ ହାତୀ ରହୁଥିଲେ କୌଣସି ସ୍ଥାନରେ ହାତୀ ଅତିକ୍ରମ ସୂଚନା ଫଳକ ଦିଆଯାଇ ନାହିଁ। ହାତୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ପାଇଁ ଜଙ୍ଗଲ ମଧ୍ୟରେ ଲୁଣ ମିଶା ମାଟି ରଖିବା ନିୟମ ରହିଥିଲେ ସୁଦ୍ଧା ବୌଦ୍ଧ ଜିଲ୍ଲାରେ ସେଭଳି କିଛି ବ୍ୟବସ୍ଥା କରାଯାଇ ନାହିଁ। ହାତୀଙ୍କ ସୁରକ୍ଷା ପାଇଁ ଏଲିଫେଣ୍ଟ ସ୍କାଡର ବ୍ୟବସ୍ଥା ମଧ୍ୟ ନାହିଁ। ଏ ବିଷୟରେ ବୌଦ୍ଧ ରେଞ୍ଜ ଅଧିକାରୀଙ୍କ ମତାମତ ପାଇଁ ଫୋନ କରାଯାଇଥିଲେ ସୁଦ୍ଧା ଫୋନ ଗ୍ରହଣ ନକରିବାରୁ ମତାମତ ହସ୍ତଗତ ହୋଇପାରି ନାହିଁ।

Comments are closed.