ବିଦ୍ୟୁତ ଖମ୍ବରୁ ପଡି ଠିକା ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ବ୍ଲକ ଅନ୍ତର୍ଗତ ଟାଇଞ୍ଜନ ଗ୍ରାମରେ ଖମ୍ବରେ ଚଢି ବିଦ୍ୟୁତ ମରାମତି କରୁଥିବାବେଳେ ଖମ୍ବରୁ ପଡି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ବିଦ୍ୟୁତ ସେକ୍ସନରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟରତ ଥିବା ସୌଭାଗ୍ୟ ପ୍ରଧାନ ତାଳସରଡା ପଞ୍ଚାୟତର ଟାଇଞ୍ଜନ ଗ୍ରାମରେ ଖମ୍ବରେ ଚଢି ବିଦ୍ୟୁତ ମରାମତି କରୁଥିଲା। ତାଙ୍କର ଅସାବଧାନତା ବଶତଃ ଗୋଡ ଖସି ଯାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତାଙ୍କୁ ତୁରନ୍ତ ବାଉଁଶୁଣୀ ଚିକିତ୍ସାଳୟରେ ପହଞ୍ଚାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୌଭାଗ୍ୟ ଏକ ଠିକା ସଂସ୍ଥା ଦ୍ୱାରା ଲାଇନମେନ ଭାବରେ ଯୋଗଦେଇଥିଲେ। ତାଙ୍କର ଘର ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଧଡୁରୁବାହାଲ ବୋଲି ଜଣାପଡିଛି। ମୃତ ଲାଇନମେନ ସୌଭାଗ୍ୟଙ୍କ ପରିବାରକୁ ଠିକା ସଂସ୍ଥା ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଅଛି।

Comments are closed.