ଶତପ୍ରତିଶତ ଫଳ ପାଇଁ ୧୦ ବିଦ୍ୟାଳୟ ପୁରସ୍କୃତ, ଗୋଟିଏ ବି ସରକାରୀ ବିଦ୍ୟାଳୟ ନାହିଁ!

ବୌଦ୍ଧ: ବୌଦ୍ଧ ଜିଲ୍ଲାର ୧୦ଟି ସ୍କୁଲ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ହାସଲ କରିଛି। ଶତ ପ୍ରତିଶତ ଫଳାଫଳ ପାଇଥିବା ସ୍କୁଲଗୁଡିକୁ ରାଜ୍ୟ ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଫଳତା ହାସଲ କରିଥିବା ସ୍କୁଲ ତାଲିକାରେ ବୌଦ୍ଧ ସହର ଉପକ ରେ ଥିବା ମାଉଲିସିଙ୍ଗା ସ୍ଥିତ ଜାନକୀ ଭୀକାରୀ ଉଚ୍ଚ ବିଦ୍ୟାଳୟ, ବଢିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁଣ୍ଡାପଡା , ପୁରୁଣାକଟକ ସରକାରୀ ଉଚ୍ଚ ବିଦ୍ୟାଳୟ, ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟ, ରିଙ୍ଗାପଡାର ସଦାନନ୍ଦ ଉଚ୍ଚ ବିଦ୍ୟାଳୟ, ନୂଆଁପାଲିର ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଦିଗୁନମାଲର ପ।ୟତ ଉଚ୍ଚ ବିଦ୍ୟାଳୟ ଓ ବୌଦ୍ଧ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ସାମିଲଥିବା ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ପ୍ରକାଶ କରିଛନ୍ତି। ସେହି ସ୍କୁଲଗୁଡିକୁ ରାଜ୍ୟ ସରକାରଙ୍କ ଠାରୁ ସମ୍ମାନ ସୂଚକ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପୁରସ୍କାର ରାଶି ସ୍କୁଲର ଜମାଖାତାକୁ ପ୍ରେରଣ କରାଯାଇଥିବା ଡିଇଓ ଶ୍ରୀ କୁଜୁର କହିଛନ୍ତି।

ତେବେ ବୌଦ୍ଧ ସହରରେ ରହିଥିବା ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବରେ ଦାବି ରଖୁଥିବା ସର୍ବପୂରାତନ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନର ନାମ ଏହି ତାଲିକାରେ ସ୍ଥାନ ପାଇନପାରିବା ସଂପୃକ୍ତ ବିଦ୍ୟାଳୟର ଶିକ୍ଷାଦାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ ଦୀପ ତଳ ଅନ୍ଧାର ଭଳି ଏହି ଦୁଇଟିଯାକ ଶିକ୍ଷାନୁଷ୍ଠାନରେ ପ୍ରଧାନଶିକ୍ଷକ ପଦବୀ ଦୀର୍ଘଦିନ ହେଲା ଖାଲିପଡିଥିବାବେଳେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଭୟ ଦାୟିତ୍ୱରେ ରହିଛନ୍ତି। ସହରରେ ଚାଲିଥିବା ବେସରକାରୀ ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ସହର ଉପକଣ୍ଠରେ ଥିବା ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିଲେ ମଧ୍ୟ ସେହି ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ସଫଳତା ଅଭିଭାବକମାନଙ୍କୁ ଆକୃଷ୍ଟ କରୁଥିବାବେଳେ ସମସ୍ତ ସରକାରୀ ସୁବିଧା ସୁଯୋଗ ସହିତ କର୍ମଚାରୀମାନେ ଉଚ୍ଚ ବେତନ ପାଉଥିବା ସତ୍ୱେ ଅନ୍ୟ ଦୁଇଟି ଶିକ୍ଷାନୁଷ୍ଠାନର ବିଫଳତା ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ଜିଲାପ୍ରଶାସନ ଓ ଜିଲା ଶିକ୍ଷା ବିଭାଗ ସହରରେ ରହିଥିବା ଏହି ଦୁଇ ପ୍ରମୁଖ ବିଦ୍ୟାଳୟରେ ଶିକ୍ଷାଦାନ ଉପରେ ଅନୁଧ୍ୟାାନ କରି ଉଚିତ ପଦକ୍ଷେପ ନେବାକୁ ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଇଛି।

Comments are closed.