ମହୁ ସଂଗ୍ରହ ପାଇଁ ଯାଇଥିବା ଯୁବକର ମୃତ ଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଆଦର୍ଶଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟକରପଡା ଗ୍ରାମ ପଞ୍ଚାୟତ ଭେଜିପଦର ଗ୍ରାମର ଜଣେ ଯୁବକ ଗତକାଲି ରାତ୍ରିରେ ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଏକ ଗଛତଳେ ତାଙ୍କର ମୃତ ଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଭେଜିପଦର ଗ୍ରାମର ରତ୍ନାକର ମଲ୍ଲିକଙ୍କ ପୁଅ ପ୍ରଦୀପ ମଲ୍ଲିକ(୩୫) ଗତ ଶୁକ୍ରବାର ସନ୍ଧ୍ୟାରେ ମହୁ ସଂଗ୍ରହ କରିବାକୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଗୋଟିଏ ଗଛରେ ଚଢି ମହୁ ସଂଗ୍ରହ କରୁଥିବା ବେଳେ ଅସାବଧାନତା ବଶତଃ ଖସିପଡିବା କିମ୍ବା ମହୁମାଛିଙ୍କ ଆକ୍ରମଣ ଯୋଗୁଁ ଗଛରୁ ପଡିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପରିବାର ଲୋକ ଏହି ଘଟଣା ସଂପର୍କରେ ସୂଚନା ପାଇବା ପରେ ଗତକାଲି ରାତ୍ରିରେ ସେଠାରେ ପହଞ୍ଚିବା ପୂର୍ବରୁ ପ୍ରଦୀପଙ୍କ ମୃତ୍ୟୁ ହୋଇସାରିଥିଲା।

ଏ ସଂପର୍କରେ ସୂଚନା ପାଇ ବଘିଆପଡା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଆମ୍ବୁଲାନସ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Comments are closed.