ହରଭଙ୍ଗା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ସାହିତ୍ୟିକ ନୀଳଲୋହିତ ମହାପାତ୍ର

ବୌଦ୍ଧ/ହରଭଙ୍ଗା: ରାଜ୍ୟ ସରକାର ସରକାରୀ ବିଦ୍ୟାଳୟର ଉନ୍ନତି ପାଇଁ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି। ପୁରାତନ ଛାତ୍ରମାନଙ୍କୁ ନିଜ ବିଦ୍ୟାଳୟ ସହିତ ଯୋଡିବା ପାଇଁ ମୋ ସ୍କୁଲ୍‍ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ମର୍ମରେ ବୌଦ୍ଧଜିଲା ହରଭଙ୍ଗା ବ୍ଲକ୍‍ର ପୁରାତନ ଶିକ୍ଷାନୁଷ୍ଠାନ ହରଭଙ୍ଗା ନୋଡାଲ୍‍ ଉଚ୍ଚ ବିଦ୍ୟାଳୟକୁ ଉକ୍ତ ବିଦ୍ୟାଳୟର ପୂରାତନ ଛାତ୍ର ତଥା ଓଡିଆ ସାହିତ୍ୟର ଆଗଧାଡିର କବି ତଥା ସାହିତ୍ୟିକ ନୀଳଲୋହିତ ମହାପାତ୍ର ପୋଷ୍ୟ ସ୍କୁଲ୍‍ ଭାବେ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ସାହିତ୍ୟ, ସଂସ୍କୃତି ପ୍ରତି କିପରି ପିଲାଙ୍କ ଆଗ୍ରହ ବଢିବ ଏବଂ ପିଲାଟି ଦିନରୁ କିପରି ସାରସ୍ୱତ ସାଧନା ଆରମ୍ଭ କରିବେ ସେହି ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ମୋ ସ୍କୁଲ୍‍ ଯୋଜନାରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ଚିତ୍ର ରଖାଯାଇଛି। ଶ୍ରୀ ମହାପାତ୍ର ସ୍କୁଲ୍‍କୁ ପୋଷ୍ୟଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର ବିକାଶ ଓ ଜୀବନର ଗୁଣାତ୍ମକମାନ ଉନ୍ନତ କରିବାକୁ ପୁରାତନ ଛାତ୍ରଛାତ୍ରୀ କିପରି ସକ୍ରିୟ ଭୂମିକା ନେଇ ପାରିବେ ତତ୍‍ସମ୍ବନ୍ଧୀୟ ବିଶେଷ ଆଲୋଚନା କରି ପୁରାତନ ଛାତ୍ରମାନଙ୍କୁ ନେଇ ଏକ ଦୀର୍ଘମିଆଦି ଖସଡା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଭିତରେ ସୃଜନଶୀଳ ସାମର୍ଥର ଉପଯୁକ୍ତ ବିକାଶ ଓ ସାମାଜିକ କର୍ତବ୍ୟବୋଧ ପାଇଁ ସଚେତନତା ସୃଷ୍ଟି ମୋର ପ୍ରଧାନ ଆଭିମୁଖ୍ୟ ଓ ସେହି ବିଚାର ପୃଷ୍ଠଭୂମିରେ କାର୍ଯ୍ୟକରିବି ବୋଲି କହିଛନ୍ତି। ଶ୍ରୀ ମହାପାତ୍ର ଉକ୍ତ ବିଦ୍ୟାଳୟରେ ପାଠ ପଢିଥିଲେ ଏବଂ ତାଙ୍କର ବାପା ଶ୍ରୀ ରବିନ୍ଦ୍ରନାଥ ମହାପାତ୍ର ଏଠାରେ ଦୀର୍ଘ ୨୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲେଇଥିଲେ। ସ୍ୱର୍ଗତ ମହାପାତ୍ର ବୌଦ୍ଧଜିଲାର ଜଣେ ଖ୍ୟାତାନାମା ପ୍ରଧାନଶିକ୍ଷକ ତଥା ଛାତ୍ରବତ୍ସଳ ଶିକ୍ଷକଭାବେ ବେଶ୍‍ ପରିଚିତ ଥିଲେ। ହରଭଙ୍ଗା ବିଦ୍ୟାଳୟ ସହିତ ପାରିବାରିକ ସଂପର୍କ ତଥା ଭାବଗତ ସଂର୍ପକ ରହିଥିବାରୁ ସେ ଏହାକୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ଏବଂ ନିଜର ସାରସ୍ୱତ ସାଧନା ସହିତ ହରଭଙ୍ଗା ବିଦ୍ୟାଳୟର ବିକାଶ କରାଯିବ ବୋଲି କହିଛନ୍ତି। ଶ୍ରୀ ମହାପାତ୍ର ଓଡିଆ ସାହିତ୍ୟ ଏକାଡେମୀର ରାଜ୍ୟ ସରକାରଙ୍କ ମନୋନୀତ ସଦସ୍ୟଭାବେ ୨୦୧୧ ରୁ ୨୦୧୬ ଓ ନିର୍ବାଚିତ ସଦସ୍ୟ ଭାବେ ୨୦୧୭ ରୁ ୨୦୧୯ ଯାଏଁ ବୌଦ୍ଧଜିଲାରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ତାଙ୍କର ଅନେକ କବିତା, ପ୍ରବନ୍ଧ, ସମୀକ୍ଷା ଆଦି ରାଜ୍ୟ ତଥା ଜାତୀୟ ସ୍ତରରେ ବେଶ୍‍ ପ୍ରଶଂସିତ ହୋଇଛି।

Comments are closed.