ବୌଦ୍ଧଜିଲା ଖାଉଟି ସୁରକ୍ଷା ପରିଷଦ ବୈଠକ

ଖାଉଟିଙ୍କ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଓ ଖାଉଟି ସଚେତନତାକୁ ଗୁରୁତ୍ୱ

ବୌଦ୍ଧ : ଖାଉଟିମାନଙ୍କର ଅଧିକାରର ସୁରକ୍ଷା ପାଇଁ ବୌଦ୍ଧଜିଲା ଖାଉଟି ସୁରକ୍ଷା ପରିଷଦର ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପରିଷଦର ଅଧ୍ୟକ୍ଷ ଅତିରିକ୍ତ ଜିଲାପାଳ ଅଶ୍ୱନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଖାଉଟିମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ଅଧିକାର ସଂପର୍କରେ ସଚେତନତା କାର୍ଯ୍ୟକ୍ରମକୁ ଗୁରତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପେଟ୍ରୋଲ ପମ୍ପ ଗୁଡିକରେ ବ୍ୟାପକ ଅପମିଶ୍ରଣ ସହିତ ମାପରେ ଠକେଇ ଏବଂ ଗ୍ୟାସ ବିତରକମାନେ ସିଲିଣ୍ଡର ଯୋଗାଣରେ ବିଭିନ୍ନ ଉପାୟରେ ଗ୍ରାହକମାନଙ୍କୁ ଠକେଇ କରାଯାଉଥିବା ନେଇ ବୈଠକରେ ବିଭିନ୍ନ ସଦସ୍ୟ ମତପ୍ରକାଶ କରିବା ସହିତ ଏଥିରେ ଲଗାମ ଲଗାଇବାକୁ ମତପ୍ରକାଶ କରିଥିଲେ।
ବିଶେଷ ଭାବରେ ଗ୍ୟାସ ବିତରକମାନେ ଖାଉଟିମାନଙ୍କ ଠାରୁ ଖୋଲାଖୋଲି ଚଢାଦର ନେଉଥିବା ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ତୁରନ୍ତ ସମସ୍ତ ଗ୍ୟାସ ଗୋଦାମ ସମ୍ମୁଖ ଓ ସହରର ପ୍ରମୁଖ ସ୍ଥାନରେ ଗ୍ୟାସ ବିତରଣର ନିୟମ ଓ ପ୍ରକୃତ ମୂଲ୍ୟ ସଂପର୍କରେ ହୋଡିଂ ଲଗାଇବାକୁ ଜିଲାପାଳ ଶ୍ରୀମିଶ୍ର ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏକ ଟାସ୍କଫୋର୍ସ ଗଠନ କରି ଖାଉଟିଙ୍କୁ ଠକୁଥିବା ବ୍ୟବସାୟୀଙ୍କ ଉପରେ ନିୟମିତ ବ୍ୟବଧାନରେ ଚଢାଉ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଶ୍ରୀମିଶ୍ର ନିର୍ଦ୍ଦେଶ ଦେଇଥିଲେ। କେବଳ ଯେ ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣରେ ନୁହେଁ ସମସ୍ତ ସାମଗ୍ରୀରେ ଖାଉଟିମାନଙ୍କୁ ଶୋଷଣ କରାଯାଉଥିବାରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ବୈଠକରେ ଜିଲା ଯୋଗାଣ ଅଧିକାରୀ ବିଭୁପ୍ରସନ୍ନ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେଇ ଖାଉଟିମାନଙ୍କର ଅଧିକାରକୁ ସୁରକ୍ଷିତ କରିବା ଓ ପ୍ରୋତ୍ସାହିତ କରିବା ଖାଉଟି ସୁରକ୍ଷା ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ। ବିଶେଷ ଭାବରେ ଖାଉଟିମାନଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସାମଗ୍ରୀ ଗୁଡିକର କ୍ରୟ ବିକ୍ରୟ ଓ ସେବା ବାବଦରେ ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବା,ଖାଉଟିମାନଙ୍କୁ ଆବଶ୍ୟକୀୟ ସାମାଗ୍ରୀ ଗୁଡିକର ପରିମାଣ,ଗୁଣ,ସାମର୍ଥ୍ୟ,ବିଶୁଦ୍ଧତା,ମାନ ଓ ମୂଲ୍ୟ ସମ୍ବନ୍ଧରେ ସଚେତନ କରାଇବା,ବିଭିନ୍ନ ସାମଗ୍ରୀର ପ୍ରତିଯୋଗିତାମୂଳକ ମୂଲ୍ୟରେ ଉପଲବ୍ଧ କରାଇବା ବ୍ୟବସ୍ଥା କରିବା ,ଖାଉଟିମାନଙ୍କ ବିଭିନ୍ନ ମୌଳିକ ଦାବିଗୁଡିକ ଉପଯୁକ୍ତ ଫୋରମ ଦ୍ୱାରା ବିଚାର କରାଯିବାକୁ ସୁବିଧା ସୁଯୋଗ ଯୋଗାଇଦେବା,ଅସାଧୁ ବ୍ୟବସାୟୀଙ୍କ ଶୋଷଣରୁ ଖାଉଟିମାନଙ୍କୁ ସୁରକ୍ଷା ଓ ଖାଉଟିମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରାଇବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ଭୋଇ,ପରିଷଦର ସଦସ୍ୟ ମୃତ୍ୟୁଂଜୟ ମିଶ୍ର,ଶଶାଙ୍କ ଶେଖର ମିଶ୍ର,ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ରାଜ୍ୟ ଖାଉଟି ଅଧିକାର ସୁରକ୍ଷା ପରିଷଦର ସଦସ୍ୟ ବଂଶିଧର ଆଚାର୍ଯ୍ୟ, ବିଭାଗୀୟ ଅଧିକାରୀ ବିଦ୍ୟାଧର ବିଶ୍ୱାଳ ଓ ବିଷ୍ଣୁପଦ ରାଉଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Comments are closed.