ବୌଦ୍ଧ ଜିଲାରେ ମହାନଦୀ କୂଳର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ଆବଶ୍ୟକ

ବୌଦ୍ଧ: ମଇ ମାସ ସରିବାକୁ ବସିଥିବାବେଳେ ରାଜ୍ୟରେ ଠିକ ସମୟରେ ମୌସୁମୀ ସକ୍ରିୟ ହେବାନେଇ ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ପ୍ରତିବର୍ଷ ଜୁନ ୧୫ ଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହେବା ପର୍ଯ୍ୟନ୍ତ ବୌଦ୍ଧ ଜିଲାରେ ବର୍ଷା ବିତ୍ପାତ ଘଟିବା ସହିତ ମହାନଦୀ ଓ ତେଲନଦୀରେ ବନ୍ୟା ପରିସ୍ଥିତି ଲାଗି ରହିଥାଏ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବନ୍ୟା ଆଶଙ୍କା ରହିଥିବାବେଳେ ନଦୀକୂଳରେ ରହୁଥିବା ପରିବାରମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଜିଲାରେ ମହାନଦୀ ଓ ତେଲନଦୀ ଦୁଇଟି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିବାବେଳେ ବାଘ ଓ ସାଲୁଙ୍ଖି ଭଳି ଛୋଟ ନଦୀ ବନ୍ୟା ବିଭୀଷିକା ସୃଷ୍ଟି କରିବାରେ ମୁଖ୍ୟ କାରଣ ହୋଇଥାଏ। ୧୯୮୨ର ପ୍ରଳୟଙ୍କାରୀ ବନ୍ୟାରେ ସାଲୁଙ୍ଖି ନଦୀରେ ଭୀଷଣ ବନ୍ୟାଜଳ ବୌଦ୍ଧଜିଲାରେ ବିଭୀଷିକା ସୃଷ୍ଟି କରିଥିଲା।

ସେହିପରି ୨୦୦୦ ମସିହା ପରଠାରୁ ପ୍ରତିବର୍ଷ ତେଲନଦୀର ବନ୍ୟାଜଳ ତଳମୁଣ୍ଡକୁ ବିପଦ ସୃଷ୍ଟି କରିଆସିଛି। ତେଲନଦୀ କଳାହାଣ୍ଡି ଜିଲାରୁ ଜିଲାର କଣ୍ଟାମାଳ ବ୍ଲକ ଦେଇ ମନମୁଣ୍ଡା ଠାରେ ମହାନଦୀରେ ମିଶିଥିବାବେଳେ କନ୍ଧମାଳ ଜିଲାରୁ ବାହାରିଥିବା ସାଲୁଙ୍ଖି ନଦୀ ବୌଦ୍ଧ ସହରର ଉପରମୁଣ୍ଡରେ ବଲାଶିଙ୍ଗା ଗ୍ରାମ ନିକଟରେ ମହାନଦୀ ସହ ସମ୍ମିଳିତ ହୋଇଛି। ୧୯୮୨ ବନ୍ୟା ପରଠାରୁ ବୌଦ୍ଧ ଜିଲ୍ଲାରେ ମହାନଦୀ ଶଯ୍ୟାରେ ପ୍ରବଳ ବାଲି ପୋତି ହୋଇଯିବା ଯୋଗୁଁ ଏହା ମଧ୍ୟ ବନ୍ୟାର ପ୍ରମୁଖ କାରଣ ପାଲଟିଥାଏ। ତେବେ ପ୍ରତିବର୍ଷ ବନ୍ୟାରେ ନଦୀ କୂଳ ଖାଇ ଚାଲିଥିବାବେଳେ ଅନେକ ସ୍ଥାନରେ ମହାନଦୀ ଶଯ୍ୟାରେ ବାଲି ପୋତି ହୋଇଯିବା ଯୋଗୁଁ ମୌସୁମୀ ପୂର୍ବରୁହିଁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ତେଲନଦୀ ମୁହାଁଣରେ ସୁବର୍ଣ୍ଣପୁର ସହରର ସୁରକ୍ଷା ପାଇଁ ନଦୀକୂଳରେ ପଥରପେଚିଂ ଓ ରାସ୍ତା ତିଆରି ହୋଇଥିବାବଳେ ଏହା ମନମୁଣ୍ଡାବାସୀଙ୍କ ପାଇଁ ବିପଦର କାରଣ ପାଲଟିଲାଣି। ମନମୁଣ୍ଡା ପଟେ ମଧ୍ୟ ତେଲନଦୀ କୂଳରେ ପଥର ପେଚିଂ ସହ ନଦୀ କୂଳର ଉପଯୁକ୍ତ ସୁରକ୍ଷା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି।

ସେହିପରି ବୌଦ୍ଧଜିଲାରେ ମନମୁଣ୍ଡା ଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ମହାନଦୀ କୂଳେ କୂଳେ ୩୦ ହଜାର ରୁ ଊର୍ଦ୍ଧ୍ବ ପରିବାର ନଦୀକୂଳରେ ଘର କରି ରହୁଥିବାବେଳେ ଅନେକ ସ୍ଥାନରେ ବନ୍ୟା ପାଣି ପଶି ପ୍ରତିବର୍ଷ କ୍ଷୟକ୍ଷତି କରୁଅଛି। ନଦୀ କୂଳର ସୁରକ୍ଷା ଲାଗି ପଥର ପ୍ୟାଚିଂ ସହିତ ବୃକ୍ଷ ରୋପଣ ପାଇଁ ପ୍ରତିବର୍ଷ ଯୋଜନା ହୋଇ କେବଳ କାଗଜ କଲମରେ ରହିଯାଉଛି। ସରକାର ନଦୀବନ୍ଧ ର ସୁରକ୍ଷା ସହିତ ପରିବେଶର ସୁରକ୍ଷା ପାଇଁ ସବୁଜ ମହାନଦୀ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ବୌଦ୍ଧଜିଲାରେ ଏହି ଯୋଜନା ସରକାରୀ ଫାଇଲ ଭିତରେ ହଜିସାରିଲାଣି। ସେହିପରି ବୌଦ୍ଧ ସହରର ମହାନଦୀ କୂଳେ କୂଳେ ଏକ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ଅନେକ ସ୍ଥାନରେ ବେସରକାରୀ ଜମି ପଡୁଥିବାରୁ ଜଳସେଚନ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ଏହି ଅର୍ଥରୁ କିଛି ଖର୍ଚ୍ଚ କରି ବଳକା ଅର୍ଥକୁ ସରକାରଙ୍କୁ ଫେରାଇଦିଆଗଲା। ସେତେବେଳେ ଏହି ଅର୍ଥ ଫେରାଇଦିଆଗଲେ ଅଧିକ ଅର୍ଥ ଅନୁମୋଦନ ହୋଇ ଆସିବ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିବାବେଳେ ଏପର୍ଯ୍ୟନ୍ତ ନୂତନ ଅନୁଦାନ ମଂଜୁର ହୋଇନାହିଁ। ସହରର ଲୋକମାନେ ପ୍ରତିବର୍ଷ ଗ୍ରୀଷ୍ମରେ ପାନୀୟଜଳ ପାଇଁ ଡହଳ ବିକଳ ହେଉଥିବାବେଳେ ବର୍ଷାରେ ବନ୍ୟା ଆଶଙ୍କାରେ ରହୁଛନ୍ତି। ତେଣୁ ବୌଦ୍ଧ ସହର ସମେତ ଜିଲ୍ଲାର ଜନବସତି ରହିଥିବା ନଦୀକୂଳ ଗୁଡିକର ଉପଯୁକ୍ତ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ନଦୀ କୂଳେ କୂଳେ ଏକ ରିଙ୍ଗବନ୍ଧ ନିର୍ମାଣ ପାଇଁ ସାଧାରଣରେ ମତପ୍ରକାଶ ପାଉଅଛି।

Comments
Loading...