ବିଧବା ପତ୍ନୀଙ୍କୁ ସ୍ୱାମୀଙ୍କ ଗାଁ ପ୍ରବେଶ ମନା, ନ୍ୟାୟ ଆଶାରେ ଦୁଇ ନାବାଳକ ପୁତ୍ର ପ୍ରଶାସନର ଦ୍ୱାରସ୍ଥ

ବୌଦ୍ଧ: ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବା ପରେ ସ୍ୱାମୀଙ୍କ ପରିବାର ପକ୍ଷରୁ ଗ୍ରାମକୁ ପ୍ରବେଶ ମନା ହୋଇଯିବା ଅଭିଯୋଗ କରି ଦୁଇ ନାବାଳକ ପୁତ୍ର ସହ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଚାରଭାଟି ଗ୍ରାମର ରାଧାକାନ୍ତ ଦ୍ୱାରୀ ନିଜ ପରିବାର ସହ ବରଗଡ ଜିଲାରେ ରହି ଜଣେ ବ୍ୟବସାୟୀଙ୍କ ପାଖରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ।

ସେଠାରେ ରାଧାକାନ୍ତଙ୍କ ମୃତ୍ୟୁ ହୋଇଯିବାପରେ ତାଙ୍କ ପତ୍ନୀ ରୀତା ଦ୍ୱାରୀ ଦୁଇ ନାବାଳକ ପୁତ୍ରକୁ ଧରି ଶାଶୁଘର ଗ୍ରାମ ଚାରଭାଟିରେ ପହଞ୍ଚିଥିଲେ। କିନ୍ତୁ ଶାଶୁଘର ଲୋକ ତୁ ସ୍ୱାମୀକୁ ମାରିଦେଇଛୁ ବୋଲି ଦୋଷାରୋପ କରିବା ସହିତ ରୀତା ଓ ତାଙ୍କର ଦୁଇ ନାବାଳକ ପୁତ୍ରକୁ ଗ୍ରାମରେ ପ୍ରବେଶ କରାଇନଦେବାରୁ ସେ ଏ ସଂପର୍କରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବୌଦ୍ଧ ଆସି ନାରାୟଣପୁର ସ୍ୱଧାର ଆଶ୍ରମରେ ରହିଥିଲେ। ଗ୍ରାମରେ ରହୁନଥିବାରୁ ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ସାମଗ୍ରୀ ପାଇବାରେ ମଧ୍ୟ ସେ ବଂଚିତ ହେଉଥିବା ଅଭିଯୋଗ କରିବା ସହିତ ଚାରଭାଟି ଗ୍ରାମରେ ନିଜର ଦୁଇ ନାବାଳକ ପୁତ୍ର ସହ ଶାନ୍ତିରେ ଜୀବନ ଯାପନ କରିବାରେ ସହାୟତା କରିବାକୁ ଜିଲାପାଳଙ୍କୁ ନିବେଦନ କରିଥିବା ଜଣାଯାଇଛି।

Comments are closed.