ଶିଳ୍ପ ତାଲିମ୍ କେନ୍ଦ୍ର ପୁରୁଣା କୋଠା ହେବ କୋଭିଡ କେୟାର ସେଣ୍ଟର

ଜିଲାପାଳଙ୍କ ପରିଦର୍ଶନ

ବୌଦ୍ଧ:ଶନିବାର ଦିନ ଜିଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ସଦରମହକୁମା ଠାରେ ଥିବା ପୁରୁଣା ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର(ଆଇଟିଆଇ) କୋଠା ପରିଦର୍ଶନ କରିଛନ୍ତି। ବୌଦ୍ଧ ଜିଲାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରୋଗୀଙ୍କ ପାଇଁ ଅତିରିକ୍ତ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ ମେଡିକାଲ ଟିମ୍ ସହ ଆଲେଚନା କରିଛନ୍ତି। ଏଥିସହିତ ପୁରୁଣା ଆଇଟିଆଇ କୋଠାରେ କୋଭିଡ କେୟାର ସେଣ୍ଟର(ସିସିସି) ସ୍ଥାପନ କରିବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ଏହି କୋଠାରେ ଜିଲା ପ୍ରଶାସନ ପକ୍ଷରୁ ୧୩୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମେଡିକାଲ କର୍ମଚାରୀଙ୍କ ପାଇଁ ନିର୍ମିତ କ୍ୱାର୍ଟର ଗୁଡିକୁ କୋଭିଡ କେୟାର ସେଣ୍ଟର ଭାବରେ ବ୍ୟବହୃତ କରାଯାଉଥିଲା। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବାପରେ ସେଠାରେ ବର୍ତମାନ ମେଡିକାଲ କର୍ମଚାରୀ ରହୁଛନ୍ତି। ତେଣୁ ନୂତନ କୋଭିଡ କେୟାର ସେଣ୍ଟର ଭାବରେ ପୂରାତନ ଶିଳ୍ପ ତାଲିମ କେନ୍ଦ୍ର କୋଠାକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କେନ୍ଦ୍ରରେ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତି, ହୋମ ଆଇସୋଲେସନ୍ ସୁବିଧା ପାଉନଥିବା ବ୍ୟକ୍ତି ଓ ଲକ୍ଷଣବିହୀନ ଆକ୍ରାନ୍ତ, ଚିକିତ୍ସା ଆବଶ୍ୟକ କରୁଥିବା ଲୋକଙ୍କୁ ରଖାଯାଇ ଚିକିତ୍ସା କରାଯିବ। କୋଭିଡ ସେଣ୍ଟର ପାଇଁ ଅତିରିକ୍ତ ଡାକ୍ତରୀ ଟିମ୍ ଓ ପାରା ମେଡିକାଲ ଷ୍ଟାଫ୍ ନିୟୋଜିତ ରହିବେ। ଏକ ସପ୍ତାହ ମଧ୍ୟରେ ଏହି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଇବାକୁ ଯୋଜନା ରହିଛି। ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିଥିବା ରାପିଡ ରେସପନ୍ସ ଟିମ୍ ଦ୍ୱାରା ଚିହ୍ନଟ ବ୍ୟକ୍ତିଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ କହିଛନ୍ତି।

 

ଆବଶ୍ୟକ ସୁବିଧା ଉପଲବ୍ଧ ପାଇଁ ସଂପୃକ୍ତ ବିଭାଗ ଗୁଡିକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ଜିଲାରେ ୪ଟି ରାପିଡ ରେସପନ୍ସ ଟିମ୍ କୋଭିଡ ସଂକ୍ରମଣ ବ୍ୟକ୍ତି ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। ପ୍ରକାଶଯୋଗ୍ୟ, ବୌଦ୍ଧ ଜିଲା ସଦର ମହକୁମାରେ ଗୁରୁତର କୋଭିଡ ସଂକ୍ରମଣ ରୋଗୀଙ୍କ ଚିକିତ୍ସା ପାଇଁ ୧୨୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି ଏବଂ ବର୍ତମାନ ୧୨ ଜଣ ପଜେଟିଭ ଚିହ୍ନଟ ବ୍ୟକ୍ତି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ରହିଥିବା ଜଣାଯାଇଛି। ଅଧିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୬ ଗୋଟି ଆଇସିୟୁ ଓ ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରହିଛି। କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୫୨ ଗୋଟି ବଡ ଓ ୬୦ ଗୋଟି ସାନ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି କରି ରଖାଯାଇଛି। କ୍ଷମତା ଅନୁଯାୟୀ ଆଇସିୟୁ ମଧ୍ୟରେ ଚିକିତ୍ସା କରାଗଲେ ଦୈନିକ ୨୦ ଟି ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ହେବ। ତେଣୁ ଜରୂରୀ ପରିସ୍ଥିତି ପାଇଁ ସମ୍ବଲପୁରର ଏକ ଅକ୍ସିଜେନ ଗ୍ୟାସ ଟ୍ରାନ୍ସପୋର୍ଟ ସଂସ୍ଥା ସହିତ ଯୋଗାଯୋଗ ରଖାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଧାନ ସୂଚନା ଦେଇଛନ୍ତି। ଏହାବ୍ୟତୀତ ପ୍ରବାସୀ ଶ୍ରମିକଙ୍କ ଫେରିବା ଉପରେ ସତର୍କ ନଜର ରଖାଯାଇଛି। ଜିଲାର ପ୍ରବେଶ ଦ୍ୱାର ଗୁଡିକରେ ଚେକପୋଷ୍ଟ କରାଯାଇ ସମସ୍ତ ଯାନ ବାହାନର ରେକର୍ଡ କରାଯାଉଅଛି। ପ୍ରବାସୀ ଶ୍ରମିକ ଜିଲା ଫେରିଲେ ସେମାନଙ୍କୁ କ୍ୱାରେନଣ୍ଟାଇନରେ ରଖାଯିବାକୁ ୨୨ ଗୋଟି କ୍ଲଷ୍ଟରରେ ୧୦୦ରୁ ୧୫୦ ପର୍ଯ୍ୟନ୍ତ ବେଡ ପ୍ରସ୍ତୁତ କରି ରଖାଯାଇଥିବା ଜିଲାପାଳ ଶ୍ରୀମିଶ୍ର ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ କୋଭିଡ ସମୟରେ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଜିଲାବାସୀ କୋଭିଡ ନିୟମ ପାଳନ କରି ସାମାଜିକ ଦୂରତା,ନିୟମିତ ମାସ୍କ ଲଗାଇବା ଓ କୌଣସି ଜରୂରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନଯିବାକୁ ଜିଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.