ସୁବାସିନୀ ସେଠୀ ହେଲେ ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା

ବୌଦ୍ଧ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ଉପାଧ୍ୟକ୍ଷା ଭାବରେ ୧୧ ନମ୍ବର ୱାର୍ଡ ସଭ୍ୟା ସୁବାସିନୀ ସେଠୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୌର ନିର୍ବାଚନରେ ବୌଦ୍ଧ ଏନଏସି ଶାସକ ବିଜୁ ଜନତା ଦଳ ହାତକୁ ଯାଇଥିବାବେଳେ ଅଧ୍ୟକ୍ଷ ଭାବେ ଟାଣୁଆ ଯୁବନେତା ମୃତ୍ୟୁଞ୍ଜୟ ମିଶ୍ର ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଶାସକ ବିଜେଡି ବୌଦ୍ଧ ଏନଏସିର ୧୭ ଗୋଟି ୱାର୍ଡ ମଧ୍ୟରୁ ୧୫ ଗୋଟି ୱାର୍ଡ ଦଖଲ କରିଥିବାବେଳେ ବିଜେପି ୨ ଗୋଟି ୱାର୍ଡ ଦଖଲ କରିବାରେ ସଫଳ ହୋଇଥିଲା। ବିଜେଡି ପକ୍ଷରୁ ୯ ଜଣ ମହିଳା ୱାର୍ଡସଭ୍ୟା ନିର୍ବାଚିତ ହୋଇଥିବାବେଳେ ଉପାଧ୍ୟକ୍ଷ ପଦବୀ ପାଇଁ ଅନେକଙ୍କ ନାମକୁ ନେଇ କଳ୍ପନା ଜଳ୍ପନା କରାଯାଉଥିଲା। ଶେଷରେ ଦଳ ପକ୍ଷରୁ ୧୧ ନମ୍ବର ୱାଡସଭ୍ୟା ସୁବାସିନୀ ସେଠୀଙ୍କୁ ଉପାଧ୍ୟକ୍ଷ ପଦବୀ ପାଇଁ ମନୋନୀତ କରାଯାଇଥିଲା। ଗୁରୁବାର ଦିନ ଉପାଧ୍ୟକ୍ଷ ନିର୍ବାଚନ ଥିବାରୁ ବିଜେଡି ପକ୍ଷରୁ ଏକମାତ୍ର ପ୍ରାର୍ଥୀନୀ ଭାବରେ ସୁଭାସିନୀ ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା ପାଇଁ ସଂଖ୍ୟା ନଥିବାବେଳେ ସୁବାସିନୀ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ସମୟରେ ବିଧାୟକ ପ୍ରଦୀପ କୁମାର ଅମାତ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ଯୁବ ବିଜେଡି ଜିଲା ସଂପାଦକ ଆଶୁତୋଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.