ଐତିହାସିକ ଗଡଖାଇର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ: ସୁସଜ୍ଜିତ ପୁଷ୍କରିଣୀର ରୂପ ଦିଆଯିବ, ବୋଟିଂର ବ୍ୟବସ୍ଥା ରହିବ

ବୌଦ୍ଧ : ବୌଦ୍ଧଗଡଜାତ ଶାସନ ମୁକସାକ୍ଷୀ ଭାବରେ ରାଜପ୍ରାସାଦ ଚାରିପଟେ ଖେଳାଯାଇଥିବା ଗଡଖାଇ ବର୍ତ୍ତମାନ ମଧ୍ୟ ବିଦ୍ୟମାନ ରହିଥିଲେବି ଏହା ଏବେ ସହରର ସବୁଠାରୁ ବଡ ଆବର୍ଜନା କୁଣ୍ଡ ଭାବରେ ପରିଣତ ହୋଇସାରିଛି। ବୌଦ୍ଧରେ ରାଜପ୍ରାସାଦ ନିର୍ମାଣ କରାଇବା ସମୟରେ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦୃଷ୍ଟିରୁ ରାଜା ଏହି ଗଡଖାଇ ଖୋଳାଇଥିଲେ। ମହାନଦୀର ଜଳ ଗଭୀର ଗଡଖାଇ ଦେଇ ରାଜପ୍ରାସାଦକୁ ଘେରି ରହିଥିଲା। ରାଜତନ୍ତ୍ରର ଅବସାନ ପରେ ଏହି ଗଡଖାଇ ଧିରେ ଧିରେ ପୋତି ହୋଇପଡିବା ସହ ମହାନଦୀରୁ ସଂଯୋଗ ମଧ୍ୟ ବିଛିନ୍ନ ହୋଇଯାଇଥିଲା। ବର୍ତ୍ତମାନ ଗଡଖାଇ କଡରେ ଅନେକ ଦୋକାନ ବଜାର ଖୋଲାଯିବା ସହିତ ଜବରଦଖଲ କରି କିଛି ଲୋକ ବାସଗୃହ ମଧ୍ୟ ନିର୍ମାଣ କରି ରହୁଛନ୍ତି। ଗଡଖାଇ ଭିତରେ ଦଳ ଓ ବିଭିନ୍ନ ପ୍ରକାର ଗଛଲତା ସହିତ ନିଷ୍କାସିତ ଆବର୍ଜନା ପାଣି ମଧ୍ୟ ଗଛିତ ହୋଇ ରହୁଅଛି। ବୌଦ୍ଧ ଇତିହାସର ଅନ୍ୟତମ ମୁକସାକ୍ଷୀ ଏହି ଗଡଖାଇର ପୁନରୁଦ୍ଧାର ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବାବେଳେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମ କ୍ରମେ ଗଡଖାଇ କଡରୁ ଅନେକ ଜବରଦଖଲ ହଟି ସାରିଥିବାବେଳେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗଡଖାଇ ମଧ୍ୟରେ ପ୍ରାୟ ୧୪ ଦଳ ଓ ଫୁଟ ପାଣି ରହିଥିବାରୁ ତିନିଗୋଟି ଡଙ୍ଗାକୁ ଚାପ ବନ୍ଧାଯାଇ ମେସିନ ସହାଯ୍ୟରେ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

 

ଶ୍ରୀଗନ୍ନାଥ ମନ୍ଦିର ପରିସରର ଉନ୍ନୟନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ଏହାର ଚାରି ଦ୍ୱାର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ଜଣାପଡିଛି। ଫଳରେ ମନ୍ଦିର ପାର୍ଶ୍ବରେ ଥିବା ଏହି ଗଡଖାଇକୁ ଏକ ସୁସଜ୍ଜିତ ପୁଷ୍କରିଣୀର ରୂପ ଦିଆଯାଇ ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି। ତେବେ ଗଡଖାଇର ପୁରନରୁଦ୍ଧାର ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇବା ସହିତ ଗଡଖାଇ କଡରେ ଗଢି ଉଠିଥିବା ଦୋକାନ ବଜାର ଉଛେଦ ଓ ସେମାନଙ୍କ ଥଇଥାନ ଏକ ବଡ ଚେଲେଂଜ ହେବ ବୋଲି ଆଲୋଚନା ହେଉଅଛି।

Comments are closed.