ଖଟିଖିଆ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଲାଣି କରୋନା, କଟକଣା କୋହଳ ପାଇଁ ଓକିଲ ସଂଘର ଜିଲ୍ଳାପାଳଙ୍କୁ ଦାବିପତ୍ର

ବୌଦ୍ଧ : କରୋନା ଅନେକ ଗରିବ ଖଟିଖିଆ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଲାଣି। ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ଗ୍ରାଫ ବଢି ଚାଲିଥିବାବେଳେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ତଥା ଲୋକଙ୍କ ସୂରକ୍ଷା ପାଇଁ କଟକଣା ମଧ୍ୟ ବଢିବାରେ ଲାଗିଛି। କରୋନା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି କୃଷିଭିତ୍ତିକ ବୌଦ୍ଧଜିଲ୍ଲାର ଖଟିଖିଆ ମଧ୍ୟବିତ ଶ୍ରେଣୀର ଲୋକ। ଜିଲ୍ଳାରେ ୪୦ ରୁ ଊର୍ଦ୍ଧ୍ବ ସରକାରୀ କର୍ମଚାରୀ ପଜେଟିଭ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଲଗାତାର ୫ ଦିନ ସଟଡାଉନ ପରେ ୩ ଦିନ ପାଇଁ ଲକଡାଉନରେ ସାମାନ୍ୟ କୋହଳ କରାଯାଇ ପୁନର୍ବାର ଶୁକ୍ରବାର ଠାରୁ ରବିବାର (ଆଗାମି ୯ ତାରିଖ ) ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଉଭୟ ସଟଡାଉନ ଓ ଲକଡାଉନରେ କେବଳ ଜରୂରୀ ସାମଗ୍ରୀ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ କରୋନା କଟକଣାରେ କୋହଳ କରିବାକୁ ଗତ ଦୁଇଦିନ ତଳେ ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ଆଜି ସିଭିଲ ଏଣ୍ଡ କ୍ରିମିନାଲ କୋର୍ଟ ବାର ପକ୍ଷରୁ ଲୋକଙ୍କ ଜୀବନ ଜିବିକା ବଞ୍ଚାଇବାକୁ କଟକଣାକୁ କୋହଳ କରିବାକୁ ଏକ ଦାବିପତ୍ର ଜରିଆରେ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। କରୋନା ରୁ ବଞ୍ଚିବା ପାଇଁ କଣକଣା ଏବେ ଲୋକଙ୍କ ପାଇଁ ଯନ୍ତ୍ରଣା ହୋଇସାରିଲାଣି। ଜିବିକା ହରାଇ ଜିଲ୍ଲାରେ ଅନେକ ପରିବାର ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବାର ପକ୍ଷରୁ ଦାବି କରାଯାଇଛି। ସିଭିଲ ଓ କ୍ରିମିନାଲ କୋର୍ଟ ବାର ସଭାପତି ଚନ୍ଦ୍ର ଶେଖର ପାଢିଙ୍କ ନେତୃତ୍ୱରେ ଶାନ୍ତନୁ କୁମାର ମହାପାତ୍ର,ମନରଂଜନ ଦାଶ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି।

Comments
Loading...