ବୌଦ୍ଧଜିଲାରେ ଇ-ଶ୍ରମ କାର୍ଡ ନାମରେ ଶ୍ରମିକଙ୍କୁ କରାଯାଉଛି ଶୋଷଣ !

ବୌଦ୍ଧ,୧୯/୧୦(ନିପ୍ର) : ବୌଦ୍ଧଜିଲାରେ ଇ-ଶ୍ରମ କାର୍ଡ ନାମରେ ଶ୍ରମିକଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ସରକାର ଇ-ଶ୍ରମ କାର୍ଡ ପାଇଁ ପଂଜିକରଣ ମାଗଣା କରାଯିବାର ବ୍ୟବସ୍ଥା କରିଥିବା ବେଳେ ବୌଦ୍ଧଜିଲ୍ଲାର ଅନେକ ସ୍ଥାନରେ ଜନସେବା କେନ୍ଦ୍ର ତଥା କମନ ସର୍ଭିସ ସେରେ ଗୁଡିକରେ ହିତାଧିକାରୀଙ୍କ ଠାରୁ ଅର୍ଥଲୁଟ କରାଯାଉଛି । କାର୍ଡ ପିଛା ଏକ ଶହରୁ ଦେଢଶହ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଆଦାୟ କରାଯିବା ସହ ଆର୍ଥିକ ଶୋଷଣ ଜୋରସୋରରେ ଚାଲିଛି । ଏହି ସଂସ୍ଥା ଗୁଡିକ ଉପରେ କାହାରି ଲଗାମ ନାହିଁ । ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ରାଷ୍ଟ୍ରୀୟ ତଥ୍ୟାବଳୀ  କମନ ସର୍ଭିସ ସେର ଜରିଆରେ କରାଯିବାକୁ ଇ-ଶ୍ରମ ବ୍ୟବସ୍ଥା ଭାରତ ସରକାରଙ୍କ ଶ୍ରମ ଓ ରୋଜଗା ମନ୍ତ୍ରଣାଳୟ ନିୟମଅନୁଯାଇ କାର୍ଯ୍ୟକାରୀ ହେଉଛି । ଇ-ଶ୍ରମ ସିଏସସି ମାଧ୍ୟମରେ ୩୮ କୋଟି ଅସଂଗଠିତ ଶ୍ରମିକଙ୍କୁ ପଂଜିକୃତ କରାଯିବାର ଲକ୍ଷ୍ୟ ରଖାଯାଇଥିବାର ଜଣାପଡିଛି । ହେଲେ ଏହି ବ୍ୟବସ୍ଥାନୁଯାୟୀ ହିତାଧିକାରୀଙ୍କ ପଂଜିକରଣ ମାଗଣାରେ କରାଯିବାକୁ ବ୍ୟବସ୍ଥା ଥିବା ବେଳେ ସିଏସସି ଗୁଡିକ ଦେଢଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି । ଏଭଳି ଅଭିଯୋଗ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ।
ମାତ୍ର ଏହା ଉପରେ ଲଗାମ ଲାଗିପାରୁନାହିଁ । ସିଏସ ସେର ଗୁଡିକ ଏହି ପଂଜିକରଣ ତଥା କାର୍ଡ ପ୍ରସ୍ତୁତ ପାଇଁ ପ୍ରତି କ।।ର୍ଡ ପିଛା ୧୬ ଟଙ୍କା ସରକାର ପୈଠ କରୁଛନ୍ତି । ହେଲେ ହିତାଧିକାରୀଙ୍କ ଠାରୁ କୌଣସି ଅର୍ଥ ନେବାର ନିୟମ ନାହିଁ । ମାତ୍ର ଅସାଧୁ ଉପାୟ ଅବଲମ୍ବନ କରି ଅର୍ଥ ଆଦାୟ କରି ସିଏସସି ଚଳାଉ ଥିବା ଲୋକ ମାଲାମାଲ ହେଉଛନ୍ତି ।  ସେହିପରି ପ୍ରତି ପଂଚାୟତରେ ଜନସେବା କେନ୍ଦ୍ର ତଥା ସିଏସସି ରହିଛି । ନିଜ ନିଜ ପଂଚାୟତ ଅଂଚଳରେ ସେମାନେ କାର୍ଯ୍ୟ କରିବାର ଦାୟୀତ୍ୱ ରହିଛି । ହେଲେ ସେମାନଙ୍କ ଆଇଡି ପାସୱାର୍ଡ ଅନ୍ୟ ଲୋକ ବ୍ୟବହାର କରି ବାହାର ପଂଚାୟତକୁ ଯାଇ ଇ-ଶ୍ରମ କାର୍ଡ ଲାଗି ପଂଜିକରଣ କରିବା ସହ ଅର୍ଥ ଆଦାୟରେ ମାତିଥିବାର ଅଭିଯୋଗ ହେଉଛି । ଏପରିକି ଅନେକ ହିତାଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ଯେପରି ଶିଘ୍ର ହୋଇଯିବ ସେଥିପାଇଁ ଅର୍ଥ ଦେଇ କାର୍ଯ୍ୟ କରାଇ ନେଉଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Comments are closed.