ବୌଦ୍ଧରେ ଲକ୍ଷାଧିକ ଭକ୍ତ ଗହଣରେ ଟାଣାହେଲା ରଥ, ହରିଗୁଢି ରଥକୁ ଟାଣିଲେ ମହିଳା ଭକ୍ତ

ଜିଲାପାଳ ଓ ଏନଏସି ଅଧ୍ୟକ୍ଷ କଲେ ଠାକୁରଙ୍କ ପହଣ୍ଡି

ବୌଦ୍ଧ : ବୌଦ୍ଧ ଗଡଜାତର ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଛି। ରଥଯାତ୍ରା ଜିଲାରେ ଏକ ମୁଖ୍ୟ ପର୍ବ ହୋଇଥିବାବେଳେ ଏହାକୁ ଗଣପର୍ବ ଭାବେ ପୁରପଲ୍ଲୀରେ ପାଳନ କରାଯାଉଅଛି । ଦୀର୍ଘ ଦୁଇ ବର୍ଷ କୋରନା କଟକଣା ଯୋଗୁଁ ରଥଯାତ୍ରା ସଂପୁର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ କେବେଳ ବିଧି ରକ୍ଷା ପାଇଁ ପୁଜାର୍ଚ୍ଚନା କରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରା ପାଇଁ ବଡଦାଣ୍ଡକୁ ଆକର୍ଷଣୀୟ ରଙ୍ଗୋଲିରେ ସଜ୍ଜିତ କରାଯାଇଥିଲା। ଶୁକ୍ରବାର ଭୋର ସକାଳ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ କରାଯାଇଥିଲା। ସକାଳେ ପହଣ୍ଡି ପାଇଁ ବ୍ରାହ୍ମଣସେବକ ଓ ସଂକୀର୍ତ୍ତନ ମଣ୍ଡଳୀ ସମାବେଶ ହେବାପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସୁଦର୍ଶନଙ୍କୁ ରଥାରୁଢ କରିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପହଣ୍ଡି ସମୟରେ ଶଙ୍ଖ, ଘଣ୍ଟ , ମୃଦଙ୍ଗର ତାଳେ ତାଳେ ପ୍ରଭୁ ଝୁଲି ଝୁଲି ଗୋଟି ପହଣ୍ଡିରେ ଆସିବା ବେଳେ ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କ ଦ୍ୱାରା ବାଟ ଭୋଗ ହୋଇଥିଲା। ପହଣ୍ଡି ସମୟରେ ବ୍ରାହ୍ମଣସେବକମାନଙ୍କ ସହିତ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା।

 

ପହଣ୍ଡି ଓ ରଥଟଣା ସମୟରେ ବୌଦ୍ଧର ଗେହ୍ଳାମା କଳାନିକେତନର କଳାକାର ମାନଙ୍କ ପକ୍ଷରୁ ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା। ନୂତନ ଭାବରେ ଆରମ୍ଭ ହୋଇଥିବା ଏହି ପରମ୍ପରା ବହୁ ସଂଖ୍ୟାରେ ଭକ୍ତଙ୍କୁ ଆକର୍ଷିତ କରିଥିଲା। ରଥଖଳାରେ ଠାକୁର ମାନେ ପହଞ୍ôଚବାପରେ ଚାରିଥର ବେଢା ପରିକ୍ରମା କରିବା ପରେ ଅପରାହ୍ନ ସମୟରେ ରଥ ଉପରକୁ ମହାପ୍ରଭୁ ବିଜେ କରିଥିଲେ। ବୌଦ୍ଧ ରଥଯାତ୍ରାରେ ଏକ ଭିନ୍ନ ପରମ୍ପରା ରହିଛି ରଥଛୁଆଁ । ତିନି ଠାକୁର ରଥାରୁଢ ହେବାପରେ ଏକବର୍ଷରୁ ଉଦ୍ଧ୍ୱର୍ ଛୋଟ ଛୋଟ ଛୁଆଙ୍କୁ ରଥ ଛୁଆଁଇଲେ ,ଏହା ସେମାନଙ୍କର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଦୁଇବର୍ଷ ପରେ ଠାକୁରଙ୍କ ଗୁଣ୍ଡିଚା ଯାତ୍ରା ହେଉଥିବାରୁ ରଥଛୁଆଁ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଧାଡି ଲଗାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଶାସକ ରାଜାଙ୍କ ସତ୍ୱାଧିକାରୀ ଦେବେନ୍ଦ୍ର ପ୍ରସାଦ ଦେବଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛେରା ପହଁରା ଓ ରଥ ଛୁଆଁ ସରିବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏକ ସଙ୍ଗରେ ସହରର ପୋଡା ପୋଡା ହରିଗୁଢି ଜଗନ୍ନାଥଙ୍କ ମଧ୍ୟ ରଥ ଟଣା ହୋଇଥିଲା । ଏହି ରଥକୁ କେବଳ ମହିଳା ଭକ୍ତ ମାନେ ଟାଣନ୍ତି। ବଡ ଦାଣ୍ଡରେ ରଥ ଟଣା ହେଉଥିବା ସମୟରେ ବିଭିନ୍ନ ଛକ ମାନଙ୍କରେ ପ୍ରଭୁଙ୍କୁ ପୋଡପିଠା, ବିଭିନ୍ନ ଭୋଗ ଭକ୍ତ ମାନେ ଅର୍ପଣ କରିଥିଲେ। ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା ମନ୍ଦିରକୁ ଯାଇଥିଲେ। ରଥ ବଡଦାଣ୍ଡରେ ଗଡି ମାଉସୀମା ଘରେ ପହଞ୍ôଚବା ପରେ ରଥରୁ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ମାଉସୀମା ଘରେ ବିଜେ କରାଇଥିଲେ। ରଥଯାତ୍ରା ପାଇଁ ପାଗ ଅନୁକୁଳ ଥିବାବେଳେ ଏଥର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ସହର ମଧ୍ୟକୁ ଦିନ ତମାମା ଗାଡି ମୋଟର ଚଳାଚଳ କଟକଣା କରାଯାଇଥିବାବେଳେ ବିଭିନ୍ନ ଛକରେ ପୋଲିସ ପକ୍ଷରୁ ବେରିକେଡ ଲଗାଇ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା। ଏସପି ଜ୍ଞାନରଞ୍ଜନ ମହାନ୍ତି ନିଜେ ଉପସ୍ଥିତ ରହି ପହଣ୍ଡି ଓ ରଥଟଣା ସମୟରେ ଶାନ୍ତି ଶୃଙ୍ଖଳା କାର୍ଯ୍ୟ ତଦାରଖ କରିଥିଲେ। ବ୍ରାହ୍ମଣ ସମାଜ ପକ୍ଷରୁ ସଭାପତି ଗୁରୁପ୍ରସାଦ ଦାଶ ଓ ସଂପାଦକ ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ଠାକୁରମାନଙ୍କ ନିତିକାନ୍ତି ସହିତ ଠାକୁରମାନଙ୍କ ପହଣ୍ଡି ବିଜେ ଶୃଙ୍ଖଳାର ସହିତ କରାଯାଇଥିଲା। ସେହିପରି ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ବୌଦ୍ଧ ବ୍ଲକ ବିଡିଓ ଅବିନାଶ ପାଣ୍ଡିଆ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁଇଗୋଟି ସ୍ଥାନରେ ଧାରା ବିବରଣୀ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ଉଦଘୋଷକ ଭାବରେ ଅଧ୍ୟାପକ ପ୍ରତାପ କୁମାର ରଥ,ଚନ୍ଦ୍ରକାନ୍ତ ନାୟକ,ହୃଷିକେଶ ପ୍ରଧାନ,ରିତାଞ୍ଜଳି ସ୍ୱାଇଁ,ଡଃ. ସଂଜୟ କୁମାର ପଣ୍ଡା,ସୁଶାନ୍ତ କୁମାର ମହାପାତ୍ର,ଜ୍ଞାନରଞ୍ଜନ ଶତପଥୀ,ରମେଶ ପ୍ରସାଦ ମେହେର,ସନ୍ତୋଷ କୁମାର କର୍ଣ୍ଣ,ଦୁଃଖୀଶ୍ୟାମ ବେହେରା ଓ ଶିବଦତ୍ତ ପଟ୍ଟନାୟକ ପ୍ରମୁଖ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲ୍ାର ପୁରୁଣାକଟକ, ଠିଡିକାଯୋର, ହରଭଙ୍ଗା, କୁଶଙ୍ଗ, ମନମୁଣ୍ଡା, କଣ୍ଟା ମାଳ ଓ ପୁରପଲ୍ଳୀରେ ମଧ୍ୟ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଛି ।

Comments are closed.