୬ ଦିନ ପୂଜା ପାଠ ପରେ ହେଲା ଶବ ସତ୍କାର

ବୌଦ୍ଧ: ଜୀବନ ଭଳି ମୃତ୍ୟୁ ସତ୍ୟ। ହେଲେ ବି କୌଣସି ପରିବାରଲୋକ ନିଜ ସଂପର୍କିୟଙ୍କୁ ହରାଇବାକୁ ଚାହାଁନ୍ତିନାହିଁ। ଏହା ଜିବଶ୍ରେଷ୍ଠ ମଣିଷର ସ୍ୱାଭାବିକ ପ୍ରକୃତି। କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବାପରେ ୬ ଦିନ ପର୍ଯ୍ୟନ୍ତ ଶବକୁ ଘରେ ରଖି ସେ ପୁଣି ଜିବିତ ହୋଇଉଠିବେ ବୋଲି ପରିବାରଲୋକ ଗୁଣିଗାରେଡି ଓ ପୂଜା ପାଠ କରିବା ପରେ ଶେଷରେ ପ୍ରକୃତିର ସତ୍ୟ ଆଗରେ ସେମାନଙ୍କୁ ହାର ମାନିବାକୁ ପଡିଛି। ମୃତ୍ୟୁ ର ୬ ଦିନ ପରେ ଆଜି ପରମ୍ପରା ମୁତାବକ ଶବ ସତ୍କାର କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବୌଦ୍ଧ ବ୍ଲକ ସମ୍ମୁଖରେ ଥିବା ମୁରୁଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ହରିଜନ ବସ୍ତିରେ।

ମିଳିଥିବା ସୂଚନା ମୁତବାକ ବସ୍ତିର ମିଥୁନ ପେରା ପେଟ ଓ ପରିବାର ପାଇଁ ଦାଦନ ଖଟିବାକୁ ସୁରଟ ଯାଇଥିବାବେଳେ ସେଠାରେ ଅସୁସ୍ଥ ହୋଇ କୌଣସି ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମିଥୁନ ଅସୁସ୍ଥ ଥିବା ଖବର ପହଞ୍ଚିବା ପରେ ଗ୍ରାମରୁ ତାଙ୍କର ଭାଇ ରାଜେଶ ପେରା ସୁରଟ ଯାଇଥିଲେ। ସେଠାରେ ଡାକ୍ତର ମିଥୁନଙ୍କୁ ମୃତ ଘୋଷଣା କରିବାପରେ ଏକ ଆମ୍ବୁଲାନସ ଯୋଗେ ଶବକୁ ନେଇ ଗତ ୬ ଦିନ ତଳେ ଗ୍ରାମକୁ ଫେରିଥିଲେ। ନିୟମ ମୁତବାକ ପଞ୍ଚାୟତ ପକ୍ଷରୁ ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପରିବାରଲୋକଙ୍କୁ ନିର୍ବାହି ଅଧିକାରୀ ପ୍ରଦାନ କରିଥିଲେ। କିନ୍ତୁ ଘରେ ମିଥୁନଙ୍କ ଶରୀରରେ ଜବୀନ ଥିବା ଭଳି ଲକ୍ଷଣ ଦେଖାଯିବା ସହ ତାଙ୍କର ସ୍ୱାଭାବିକ ଭାବରେ ଝାଡା ଓ ପରିଶ୍ରା ହେଉଥିବା କହି ପରିବାରଲୋକ ସେ ଜିବିତ ଥିବା ନେଇ ସନ୍ଦେହ କରି ଚିକିତ୍ସା ପାଇଁ ଗୁଣି ଗାରେଡିର ସହାୟତା ନେଇଥିଲେ।

ଦୀର୍ଘ ୫ ଦିନ ଧରି ବିଭିନ୍ନ ପୂଜା ପାଠ କରାଯିବା ସତ୍ୱେ ମିଥୁନଙ୍କ ଶରୀରରେ ଜୀବନର କୌଣସି ଲକ୍ଷଣ ଦେଖାନଯିବାରୁ ବୁଧବାର ସକାଳୁ ପରିବାର ଲୋକ ତାଙ୍କର ମୃତ୍ୟୁ ହୋଇସାରିଥିବା ବିଶ୍ୱାସ କରିବା ସହ ପରମ୍ପରା ମୁତବାକ ତାଙ୍କର ଶବସତ୍କାର କରିଥିବା ଜଣାପଡିଛି। ତେବେ ଚିକିତ୍ସା ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ବୌଦ୍ଧ ସହରଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବସ୍ତିରେ ଲୋକଙ୍କ ମଧ୍ୟରେ ରହିଥିବା ଅନ୍ଧ ବିଶ୍ୱାସ ଯୋଗୁଁ ଜଣଙ୍କ ମୃତ୍ୟୁ ପରେ ସେ ପୁଣି ଜିବିତ ହୋଇଯିବା ଆଶାରେ ପରିବାରଲୋକ ୬ ଦିନ ପର୍ଯ୍ୟନ୍ତ ଶବକୁ ସତ୍କାର ନକରି ଗୁଣିଗାରେଡି ଓ ପୂଜା ପାଠ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Comments are closed.