ମମିତା ମେହେର ହତ୍ୟା ଘଟଣାରେ ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବୌଦ୍ଧ: କଳାହାଣ୍ଡି ଜିଲା ମହାଲିଙ୍ଗ୍‍ ସନସାଇନ ପବ୍ଲିକ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ସାହୁଙ୍କୁ ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁଙ୍କ ଦ୍ୱାରା ଅପହରଣ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବୌଦ୍ଧଜିଲା ବିଜେପି ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ସହିତ ଘଟଣାରେ ସଂପୃକ୍ତ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଓ ମହିଳା ମୋର୍ଚ୍ଚାର ସଭାନେତ୍ରୀ ମିନାରାଣୀ ମିଶ୍ରଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟାଳୟଠାରୁ ଏହି ବିକ୍ଷୋଭ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ବିଜେପି ନେତା ଓ କର୍ମୀମାନେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବା ସହିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ବିଦ୍ୟାଳୟ ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ମାମଲାର ନିରପେକ୍ଷ ତଦନ୍ତ କରାଯାଇ ସମସ୍ତ ଅଭିଯୁକ୍ତମାନଙ୍କୁ ଫାସି ଦଣ୍ଡ ଦିଆଯିବାକୁ ବିଜେପି ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ସମାବେଶରେ ଜିଲା ବିଜେପି ସଭାପତି ଶ୍ରୀମହାନ୍ତିଙ୍କ ସହିତ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର, ପୂର୍ବତନ ସଭାପତି ମନୋରଞ୍ଜନ ଦାଶ, ନମିତାରାଣୀ ଦାଶ, ନିବେଦିତା ମହାକୁଡ, ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ, ସାଧାରଣ ସଂପାଦକ ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟ୍ଟନାୟକ, ସୁଶାନ୍ତ ବାଘ, ପ୍ରେମାନନ୍ଦ ମିଶ୍ର, ରବି କୁମାର ଦେଓ, ରାଜୀବ କୁମାର ଦେହୁରୀ ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.