ପୁଣି ବୌଦ୍ଧକୁ ଫେରିଲା କରୋନା, ଗୋଟିଏ ଦିନରେ ୧୮ ପଜିଟିଭ ଚିହ୍ନଟ

ବୌଦ୍ଧ: ଦେଶରେ ୯୦ କୋଟି ଲୋକଙ୍କୁ ଟୀକାକରଣ ହୋଇସାରିଥିବା ନେଇ ସରକାର ରିପୋର୍ଟ ପ୍ରଦାନ କରିଥିବାବେଳେ ରାଜ୍ୟରେ ବିଦ୍ୟାଳୟ ଖୋଲଯିବା ନେଇ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହିପରି ସମୟରେ ହଠାତ୍‍ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣିଥରେ ସରକାରଙ୍କ ପାଇଁ ଚିନ୍ତା ବଢାଇଦେଇଛି। ବୌଦ୍ଧ ଭଳି ଛୋଟ ଜିଲା କିଛିଦିନ ପୂର୍ବରୁ ସଂପୁର୍ଣ୍ଣ କରୋନା ମୁକ୍ତ ବୋଲି ରିପୋର୍ଟ ପ୍ରକାଶ ପାଇଥିବାବେଳେ ବର୍ତମାନ ଗୋଟିଏ ଦିନରେ ୧୮ ଜଣ ସଂକ୍ରମିତ ଚିହ୍ନଟ ହେବା ଜିଲାବାସୀଙ୍କୁ ତୃତୀୟ ଲହର ନେଇ ସତର୍କ କରାଇଦେଇଛି।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ମୁତାବକ ବୁଧବାର ଦିନ ଜିଲାରୁ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜିଲାର ବୌଦ୍ଧ ବ୍ଳକରୁ ୯ ଜଣ , ହରଭଙ୍ଗା ବ୍ଳକରୁ ୮ ଜଣ ଓ ସୋନପୁର ଜିଲାର ଜଣେ ବ୍ୟକ୍ତି ବୌଦ୍ଧ ଆସି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏପଟେ ଜିଲାରେ ପଞ୍ଚାୟତ ନିର୍ବାଚନ ପ୍ରକିୟା ଆରମ୍ଭ ହେବାପରେ ନିର୍ବାଚିତ ପ୍ରତିନିଧିମାନେ ଆଉ କରୋନା ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉନାହାନ୍ତି। ପ୍ରାୟ ସମସ୍ତ ପଞ୍ଚାୟତରେ ଅସ୍ଥାୟି ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ହୋଇସାରିଥିବାବେଳେ ସରକାରୀ ଖର୍ଚ୍ଚରେ କିଣାଯାଇଥିବା ଖଟ,ଇନଭର୍ଟର ସବୁ ଉଭାନ ହୋଇସାରିଥିବା ଅଭିଯୋଗ ହେଉଅଛି। ଏହି ପରିସ୍ଥିତିରେ ଯଦି ପୁଣିଥରେ ଜିଲାରେ ସଂକ୍ରମଣ ବୃଦ୍ଧି ପାଇବା ସହିତ ଜରୂରୀ ପରିସ୍ଥିତି ସୃଷ୍ଟି ହୁଏ ଜିଲା ପ୍ରଶାସନକୁ ଏହାର ମୁକାବିଲା ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଜିଲାରେ କୋଭିଡ କଟକଣା ପାଳନ ପୁରା ଶୂନରେ ପହଞ୍ଚିଛି। ହାଟ ବଜାର,ଯାତ୍ରୀବାହୀ ବସ କିମ୍ବା ସଭା ସମିତି ସାମାଜିକ ଦୂରତା ପାଳନ ତ ଦୂରର କଥା ଲୋକଙ୍କ ମୁହଁରେ ଆଉ ମାସ୍କ ଦେଖିବାକୁ ମିଳୁନାହିଁ। ଏହିଭଳି ସମୟରେ ଗୋଟିଏ ଦିନରେ ଜିଲାରୁ ୧୮ ଜଣ ସଂକ୍ରମିତ ଚିହ୍ନଟ ହେବା ଜିଲାରେ ପୁଣିଥରେ କୋଭିଡର ପଦଧ୍ୱନୀ ନେଇ ସତର୍କ କରାଇଦେଇଛି। ଲୋକେ ସଚେତନ ନହେଲେ ଆଗକୁ ବିପଦ ଏହା ସ୍ପଷ୍ଟ ହୋଇସାରିଛି। ସରକାର ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ଜୋର ସୋର ପ୍ରସ୍ତୁତି ଚଳାଇଛନ୍ତି। ଏହିଭଳି ଘଡିସନ୍ଧି ମୂହୁର୍ତ୍ତରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଜିଲା ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି। ତେବେ ସଚେତନତା ଓ ସତର୍କତା ହିଁ କରୋନା ସଂକ୍ରମଣକୁ ରୋକିପାରିବ। ଲୋକମାନେ ପୁଣିଥରେ ଲକଡାଉନ ଭଳି ପରିସ୍ଥିତିର ସମ୍ମୁଖିନ ନହେବାକୁ କଡାକଡି ଭାବରେ କୋଭିଡ ନିୟମ ପାଳନ କରିବାକୁ ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଅଛି।

Comments are closed.