ସଂସଦରେ ତେଲ ତାତି: ସମ୍ଭବ ହେଲାନି ଗୃହକାର୍ଯ୍ୟ, ଉଭୟ ଗୃହ ମୁଲତବୀ

ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ବିରୋଧୀ ଦଳର ସଦସ୍ୟଙ୍କ କୋଳାହଳପୂର୍ଣ୍ଣ ବିରୋଧ ଯୋଗୁ ଗୃହ କାର୍ଯ୍ୟ ଚଳାଇ ରଖିବା ସମ୍ଭବ ନ ହେବା ଫଳରେ ଆଜି ଦିନକ ପାଇଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି। ଉଭୟ ଗୃହରେ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟକୁ ଏକାଧିକ ଥର ସ୍ଥଗିତ ରଖାଯାଇଥିଲା। ଯେତେବେଳେ ଉଭୟ ଗୃହରେ ପୁନର୍ବାର ଅପରାହ୍ନ ୨ଟାରେ କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରାଗଲା, ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବା ଫଳରେ ମାତ୍ର ୫ ମିନିଟ୍ ପରେ ଲୋକସଭାକୁ ଦିନକ ପାଇଁ ସ୍ଥଗିତ ରଖାଯାଇଥିବା ବେଳେ ୧୦ ମିନିଟ୍ ପରେ ରାଜ୍ୟସଭାକୁ ସ୍ଥଗିତ ରଖି ଦିଆଯାଇଥଲା।

ଲୋକସଭାରେ ବହୁ କଂଗ୍ରେସ ସଦସ୍ୟ ଇନ୍ଧନ ମୂଲ୍ୟରେ ହ୍ରାସ ପାଇଁ ଦାବି କରିଥିଲେ ଓ ଡିଏମକେ ସଦସ୍ୟମାନେ ସେମାନଙ୍କୁ ସମର୍ଥନ କରିଥିଲେ। ତେବେ ତୃଣମୂଳ କଂଗ୍ରେସ ସଦସ୍ୟମାନେ ସଂଯମତା ବଜାୟ ରଖିଥିଲେ। ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଅଭିଯୋଗ କରିଥିଲେ ଯେ ଲୋକସଭା ସିଧା ପ୍ରସାରଣରୁ ବିରୋଧୀ ସଦସ୍ୟମାନଙ୍କୁ ‘ବ୍ଲାକ୍ ଆଉଟ୍’ କରାଯାଉଛି। ଏ ନେଇ ବାଚସ୍ପତି ଓମ ବିର୍ଲା ତାଙ୍କୁ ପଚାରିଥିଲେ ଯେ ସେ ଚାହୁଁଛନ୍ତି କି ଏଭଳି ଘଟଣା ଜନସାଧାରଣଙ୍କ ପାଇଁ ପ୍ରସାରିତ ହେଉ।

ମଧ୍ୟାହ୍ନ ସମୟରେ ଲୋକସଭାରେ ସଦସ୍ୟମାନେ ଏକତ୍ରିତ ହେବା ପରେ ବିରୋଧୀ ସଦସ୍ୟମାନେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ। ଉତ୍ତେଜନା ମଧ୍ୟରେ ଗୃହର ଟେବୁଲ ଉପରେ କାଗଜପତ୍ର ପଡି ରହିଥିଲା। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଆସନରେ ଥିବା ମୀନାକ୍ଷୀ ଲେକ୍ଷୀ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ମଧ୍ୟ ସମାନ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ।

ସେହିପରି ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟ ମୁଖ୍ୟତଃ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏଥିରେ ଉପଧାକ୍ଷ୍ୟ ହରିବଂଶ ବିରୋଧୀ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିଜ ଦଳର ସଦସ୍ୟମାନଙ୍କୁ ଶାନ୍ତ ରଖିବାକୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବହୁଜନ ସମାଜ ପାର୍ଟିର ସତୀଶ ଚନ୍ଦ୍ର ମିଶ୍ର, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଡିଏମକେର ତିରୁଚି ଶିବ ନିୟମ ୨୬୭ ଅନୁଯାୟୀ ଗୃହକାର୍ଯ୍ୟ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ବିରୋଧୀ ଦଳର ସଦସ୍ୟମାନେ ନିଜ ଆସନରୁ ବାହାରି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ରାଜ୍ୟସଭା ପ୍ରଥମେ ୪୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ଏବଂ ପରେ ପୁନର୍ବାର ଅପରାହ୍ନ ୨ଟାରେ ବିରୋଧୀ ଦଳର ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିଥିଲେ ଓ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ୱାରା ଆଗତ ଏହି ପ୍ରସଙ୍ଗରେ ବିତର୍କ କରିବାକୁ ଅଧ୍ୟକ୍ଷ ଏମ. ଭେଙ୍କୟା ନାଇଡୁ ମନା କରି ଦେଇଥିଲେ। ପରେ ହଟ୍ଟଗୋଳ ଜାରି ରହିବ ଯୋଗୁ ରାଜ୍ୟସଭାକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।

Comments are closed.