ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

0

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ମାଟ୍ରିକ ପରୀକ୍ଷା ଫଳ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ଏକା ସମୟରେ ପ୍ରକାଶିତ ହେବ।
ସୋମବାର ସକାଳ ୯ଟାରେ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଏବଂ ସଚିବଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯିବ। ବୋର୍ଡ ସଭାପତି ଡ. ଜାହାନଆରା ବେଗମ୍‍  ଏନେଇ ସୂଚନା ଦେଇଛନ୍ତି ।
ପରୀକ୍ଷାଫଳ ପ୍ରକାଶ ପାଇବାର ୩ଘଣ୍ଟା ପରେ ଅର୍ଥାତ, ମଧ୍ୟାହ୍ନ ୧୨ଟାରୁ ମାଟ୍ରିକ ପରୀକ୍ଷାଫଳ ବୋର୍ଡ ୱେବସାଇଟ୍‍ରେ ଉପଲବ୍ଧ ହେବ। www.bseodisha.ac.in ଏବଂ www.bseodisha.nic.in ୨ଟି ୱେବସାଇଟରେ ପରୀକ୍ଷା ଫଳ ଉପଳବ୍ଧ ହେବ। ଇଣ୍ଟରନେଟ ସୁବିଧା ନ ଥିବା ଅଞ୍ଚଳର ବିଦ୍ୟାର୍ଥୀମାନେ ମୋବାଇଲ ଫୋନରେ ମେସେଜ କରି ପରୀକ୍ଷାଫଳ ଜାଣିପାରିବେ। OR10< ରୋଲ ନମ୍ବର > ଦେଇ ୫୬୭୬୭୫୦କୁ ଏସ୍ଏମଏସ୍ କଲେ ପିଲାଙ୍କୁ ପରୀକ୍ଷା ଫଳ ସଂପର୍କରେ ଜାଣି ପାରିବେ। ସେହିପରି ଅପରାହ୍ଣ ୨ଟାରୁ ବୋର୍ଡ ୱେବସାଇଟ୍‍ରେ ପରୀକ୍ଷାର୍ଥୀଙ୍କ ଓଏମ୍‍ଆର୍‍ ସିଟ୍‍ ମଧ୍ୟ ଉପଲବ୍ଧ ହେବ।

ଏଥିସହିତ ପରୀକ୍ଷାଫଳ ସଂକ୍ରାନ୍ତରେ ଯେ କୌଣସି ଅଭିଯୋଗ ଶୁଣିବା ପାଇଁ ବୋର୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଆସନ୍ତାକାଲି ଠାରୁ ୧୫ତାରିଖ ପର୍ଯ୍ୟନ୍ତ ଖୋଲାଯିବ। ପରୀକ୍ଷାର୍ଥୀମାନେ ସରକାରୀ କାର୍ଯ୍ୟ ଦିବସରେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବୋର୍ଡ଼ କାର୍ଯ୍ୟାଳୟକୁ ଫୋନ୍‌ କରି ନିଜର ଅଭିଯୋଗ ତଥା  ପରୀକ୍ଷା ଫଳ ସଂପର୍କୀୟ ସୂଚନା ପାଇ ପାରିବେ।  ନିୟନ୍ତ୍ରଣ କକ୍ଷର ନମ୍ବର ହେଉଛି  ୦୬୭୧-୨୪୧୨୦୬୦ ଏବଂ ୨୪୧୨୦୫୯।
ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୩ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଚଳିତବର୍ଷ ୫,୯୦,୩୬୦ ପରୀକ୍ଷାର୍ଥୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା, ୧୩, ୯୭୮ ପରୀକ୍ଷାର୍ଥୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ୩,୭୧୫ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ପାଇଁ ଯଥାକ୍ରମେ ୨୮୧୮, ୧୦୧ ଓ ୪୭ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏପ୍ରିଲ ପ୍ରଥମ ସପ୍ତାହରେ ପରୀକ୍ଷାଖାତା ଦେଖା ଶେଷ ହେବା ପରେ ହାଇଦ୍ରାବାଦରେ ମାର୍କ ଟାବୁଲେସନ ହୋଇଥିଲା।

Leave A Reply