ନିଆଁରେ ପୋଡ଼ି ଯୁବତୀ ମୃତ

0

ବିଶ୍ରା : ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଶୁକ୍ରବାର ଭୋରରେ ନିଆଁରେ ପୋଡ଼ିହୋଇ ଜନୈକା ଯୁବତୀଙ୍କ ମୃତ୍ୟୁ ହୋଇଛି। ପଡ଼ୋଶୀ ତଥା ଝିଅର ପ୍ରେମିକ ଅମିତ ଯାଦବଙ୍କ ପରିବାର ତାଙ୍କ ଝିଅକୁ ହତ୍ୟା କରିଥିବା ଯୁବତୀଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ଅନୁସାରେ, ବନ୍ଧମୁଣ୍ଡା ଏ-ସେକ୍ଟରରେ ବିରଞ୍ଚି ନାୟକ ପରିବାର ସହିତ ରୁହନ୍ତି। ତାଙ୍କର ଝିଅ ଆଶା ନାୟକ (୨୨)ଙ୍କ ସହିତ ପଡୋଶୀ ଅମିତ ଯାଦବ ନାମକ ଯୁବକଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ପ୍ରେମିକ ଅମିତକୁ ବାହା ହେବା ପାଇଁ ଜିଦ୍‍ କରୁଥିଲେ। ଆଜି ଭୋର ୪.୩୦ରୁ ୫.୦୦ଟା ମଧ୍ୟରେ ଘର ବାହାରେ ଆଶାଙ୍କ ଚିତ୍କାର ଶୁଣି ତାଙ୍କୁ ଅର୍ଦ୍ଧଦଗ୍‍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଶାଙ୍କ ପିତା ବିରଞ୍ଚି ନାୟକ ତାଙ୍କ ପଡୋଶୀ ତଥା ପ୍ରେମିକ ଅମିତ ଯାଦବଙ୍କ ପରିବାର ଲୋକେ ତାଙ୍କ ଝିଅକୁ କିରାସିନି ଢାଳି ହତ୍ୟା କରିଥିବା ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ବନ୍ଧମୁଣ୍ଡା ଥାନା ଅଧିକାରୀ ଅର୍ପିତା ଖଟୁଆ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply