ସୁଧୁରୁନି ସୀମା ବିବାଦ; ଓଡିଶା ଜମି ଉପରେ ଛତିଶଗଡ ଚାଷୀଙ୍କ ମକାଚାଷ

ଖଡିଆଳ: ନୂଆପଡା ଜିଲା ସୀମାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଓଡିଶା-ଛତିଶଗଡ ସୀମା ବିବାଦ ପ୍ରଶାସନର ବାରମ୍ବାର ପ୍ରୟାସ ସତ୍ତ୍ୱେ ସମାଧାନର ନା ଧରୁନି। ପୁଣି ଓଡିଶାର ଜମି ଛତିଶଗଡ ଚାଷୀଙ୍କ କବଜାରେ ରହିଥିବା ଅଭିଯୋଗ ହେଉଛି। ଏନେଇ ସୀମାରେ ବାରମ୍ବାର ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଏହା ଚାଷୀ ମାନଙ୍କ ପାଇଁ ବଡ ସମସ୍ୟାର କାରଣ ପାଲଟିଛି।

ସୂଚନାଯୋଗ୍ୟ ଯେ, ଛତିଶଗଡ ସୀମାନ୍ତ ସିନାପାଲି ତହସିଲ ଅଞ୍ଚଳରେ ଓଡିଶାର ଚାଷ ଜମି ଉପରେ ଛତିଶଗଡ ଚାଷୀମାନେ ଜବରଦଖଲ କରିଆସୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତ ୨୦୧୮ ଜୁନ ମାସରେ ସିନାପାଲି ଅନ୍ତର୍ଗତ ସୀମାନ୍ତ ନୂଆମାଲପଡା ଗାଁର ଚାଷୀଙ୍କ ଜମିକୁ ଜବରଦସ୍ତ ଛଡାଇନେଇ ଛତିଶଗଡର ଚାଷୀମାନେ ଚାଷ କରିଥିବା ଅଭିଯୋଗ ହେବା ପରେ ଉଭୟ ରାଜ୍ୟର ଚାଷୀଙ୍କ ଉପସ୍ଥିତିରେ ସିନାପାଲି ରାଜସ୍ୱ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ସୂଚନାମତେ ଓଡିଶା-ଛତିଶଗଡ ସୀମାନ୍ତରେ ପ୍ରାୟ ୨୫ ଏକର ଓଡିଶା ସରକାରଙ୍କ ଜମିରେ ନୂଆମାଲପଡାର ୧୨ଜଣ ଭୂମିହିନ ଚାଷୀ ବାପଅଜା ଅମଳରୁ ଜବରଦଖଲ କରି ଚାଷ କରି ଆସୁଥିଲେ। ହେଲେ ଗତ ୨୦୧୮ରେ ଛତିଶଗଡ ରାଜ୍ୟ ମେନପୁର ତହସିଲ ଗୋହିରାପଦର ଆର୍‌ଆଇ ସର୍କଲ ଅନ୍ତର୍ଗତ ବୁର୍ଜାବାହାଲ ଗାଁର କିଛି ଚାଷୀ ଓଡିଶା ଚାଷୀଙ୍କ ଠାରୁ ଉକ୍ତ ଜମି ଛଡାଇ ନେଇ ସେଠାରେ ଚାଷ କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଜମିକୁ ଛତିଶଗଡ ସରକାର ନିଜ ରାଜ୍ୟର ବୁର୍ଜାବାହାଲ ଗାଁର କିଛି ଚାଷୀଙ୍କୁ ବାଣ୍ଟି ଦେଇଥିବା ଜଣାପଡିଥିଲା। ଓଡିଶା ଜମି ଉପରେ ଛତିଶଗଡ ଚାଷୀଙ୍କ ଦାଦାଗିରି ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ସୀମା ନିର୍ଦ୍ଧାରଣ କରିଥିଲେ, ହେଲେ ବିବାଦ ତୁଟି ନ ଥିଲା। ବାରମ୍ବାର ସୀମା ବିବାଦ ଲାଗି ରହିଥିବାରୁ ସୀମା ବିବାଦ ତଦନ୍ତ ପାଇଁ ତତ୍କାଳିନ ଜିଲାପାଳ ପୋମା ଟୁଡୁ ଓ ପରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ମଧ୍ୟ ବିବାଦୀୟ ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସରଜମିନ ତଦନ୍ତ କରିଥିଲେ। ସେହି ସମୟରେ ସମସ୍ତ ଅଧିକାରୀ ଏହି ବିବାଦୀୟ ଜମି ଓଡିଶାର ବୋଲି ଦାବି କରିଥିଲେ। ପରବର୍ତ୍ତି ସମୟରେ ସୀମାରେ ଏକ ସୀମା ସୂଚନା ଫଳକ ଲଗାଇବା ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ। ସୂଚନା ଫଳକ ଲଗାଇବା ପରେ ପୁଣି ଛତିଶଗଡ ଚାଷୀମାନେ ସେହି ସୂଚନା ଫଳକକୁ ଭାଙ୍ଗି ଫିଙ୍ଗି ଦେଇଥିଲେ। ଏହି ଭଳି ବିବାଦ ଲାଗି ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ବୁର୍ଜାବାହାଲ ଗାଁର ଚାଷୀମାନେ ତାଙ୍କ ସରକାର ପଟ୍ଟା ପ୍ରଦାନ କରିଥିବା ଦାବି କରି ଉକ୍ତ ଜମିରେ ମକାଚାଷ କରିଛନ୍ତି। ଅନ୍ୟପକ୍ଷେ ନୂଆମାଲପଡାର ଚାଷୀମାନେ ବାଧ୍ୟ ହୋଇ ହାତ ବାନ୍ଧି ବସିଛନ୍ତି। ଏହାକୁ କେନ୍ଦ୍ର କରି ବର୍ତ୍ତମାନ ଦୁଇ ଗାଁ ମଧ୍ୟରେ କଥା କଟାକଟି ଲାଗି ରହିଥିବା ବେଳେ ଚାପା ଉତ୍ତେଜନା ପ୍ରକାଶ ପାଉଛି। ଗତବର୍ଷ ମଧ୍ୟ ଛତିଶଗଡର ଚାଷୀ ମାନେ ଯୋରଜବରଦସ୍ତ ଉକ୍ତ ବିବାଦୀୟ ଜମିରେ ମକାଚାଷ କରିଥିଲେ। ଏ ନେଇ ତତ୍କାଳିନ ତହସିଲଦାରଙ୍କୁ ଜଣାଇବା ପରେ ବିଭାଗିୟ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରି ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ବର୍ଷ ବର୍ଷ ବିତି ଯାଉଥିଲେ ବି ସମସ୍ୟା ସମାଧାନର ନା ଧରୁନି। ପୂର୍ବବତ୍‌ ଓଡିଶା ଜମି ଛତିଶଗଡ ଚାଷୀଙ୍କ କବ୍ଚାରେ ରହିଆସୁଛି। ଗୋଟିଏ ପଟେ ଛତିଶଗଡ ସରକାର ଓଡିଶା ସୀମାକୁ କବ୍‌ଜା କରୁଥିବା ବେଳେ ଅନ୍ୟପଟେ ଓଡିଶା ସରକାର ତିନି ବର୍ଷ ହେଲା ସୀମା ବିବାଦ ସମସ୍ୟାକୁ ସମାଧାନ କରିପାରୁ ନଥିବା ଏକ ଦୁଃଖଦାୟକ ଘଟଣା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ସିନାପାଲି ତହସିଲଦାର ଲୋକନାଥ ଶବରକୁ ପଚାରିବାରୁ ବିଭାଗୀୟ ଭୂ-ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ବିବାଦ ରହିଥିବା ଜମି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Comments are closed.