ଚୀନକୁ ତା’ ଭାଷାରେ ଭାରତର ଜବାବ: ଆସନ୍ତା ୧୦ ଦିନ ମଧ୍ୟରେ ହୋଇପାରେ ଦୁଇ ବଡ଼ ବୈଠକ

ନୂଆଦିଲ୍ଲୀ: ସୀମାରେ ଚୀନର ହରକତ ଯେପରି ବଢ଼ିଛି ତାହାର ଜବାବ ଚୀନ ଭାଷାରେ ଦେବାକୁ ଭାରତ ପ୍ରସ୍ତୁତ ହୋଇଛି । ଗତ୩୦ ଓ ୩୧ ତାରିଖ ରାତିରେ ଭାରତୀୟ ସେନା ପେଙ୍ଗାଙ୍ଗ ତ୍ସୋ ଅଞ୍ଚଳରେ ଯେଉଁ ଆଭିମୁଖ୍ୟ ଦେଖାଇଛନ୍ତି, ସେଥିରେ ଚୀନ ବିବ୍ରତ ହୋଇଛି । ଚୀନର ସରକାରୀ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ୩୦ ଓ ୩୧ ତାରିଖ ରାତିରେ ଭାରତୀୟ ସେନା ବାସ୍ତବିକ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଚୀନ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଏହାମଧ୍ୟରେ ଆଗାମୀ ୧୦ ଦିନ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦୁଇଟି ବଡ଼ ବୈଠକ ହେବାକୁ ଯାଉଛି । ରୁଷର ରାଜଧାନୀ ମସ୍କୋରେ ଅନୁଷ୍ଠିତ ହେବାକୁଥିବା ୪ ଓ ୧୦ ସେପ୍ଟେମ୍ବରରେ ଦୁଇ ବୈଠକରେ ଯୋଗ ଦେବା ନିମନ୍ତେ ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨ ତାରିଖରେ ରୁଷ ଯିବାର କାର୍ଯ୍ୟକ୍ରମ ରହିଛି ।

ସାଂଘାଇ ସହଯୋଗ ସଙ୍ଗଠନ ସଦସ୍ୟ ଦେଶର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ପାଇଁ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବୁଧବାର ମସ୍କୋ ଅଭିମୁଖେ ଯାତ୍ରା କରିବାର କାର୍ଯ୍ରକ୍ରମ ରହିଛି । ଚୀନର ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ୪ ମାସ ଧରି ଚାଲିଥିବା ଭାରତ-ଚୀନ ସୀମା ବିବାଦ ମଧ୍ୟରେ କୌଣସି ଆନ୍ତର୍ଜାତିକସ୍ତରରେ  ପ୍ରଥମଥର ପାଇଁ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ଯୋଗ ଦେବେ । ତେବେ ଦୁଇ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ବୈଠକ ନେଇ ସୂଚୀ ପ୍ରକାଶ ପାଇନାହିଁ ।

ରୁଷ ଯିବା ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଅପରାହ୍ନରେ ଚୀନ ସୀମାର ବର୍ତମାନ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ସିଚୁଏସନ ରୁମରେ ହୋଇଥିବା ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଏ ଅଜିତ୍ ଡ଼ୋଭାଲ, ସିଡ଼ିଏସ୍ ଜେନେରାଲ ବିପିନ ରାୱତ, ସେନା ପ୍ରମୁଖ ଜେନେରାଏ ଏମଏମ୍ ନରଭଣେ ଓ ଡ଼ିଜିଏମ୍ଓଙ୍କ ସହ ସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଲାଦାଖ ସହ ପୁରା ୪୩୮୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖାର ବର୍ତମାନର ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା ଏବଂ ଚୀନ ସେନାର ଉପସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ରୁଷ ପକ୍ଷରୁ ଏସସିଓ ଓ ବ୍ରିକ୍ସ ବିଦେଶ ମନ୍ତ୍ରୀମାନଙ୍କର ବୈଠକ ଆୟୋଜନ କରାଯାଇଛି । ୧୦ ତାରିଖରେ ହେବାକୁଥିବା ବୈଠକରେ ଯୋଗ ଦେବାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ବୈଠକରେ ଚୀନ ବିଦେଶ ମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।   ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଶ୍ରୀ ଜୟଶଙ୍କରଙ୍କର ଗସ୍ତ ନେଇ କୌଣସି ଚୂଡ଼ାନ୍ତ ସୂଚୀ ପ୍ରକାଶ ପାଇନାହିଁ ।

ଯଦି ଏହି ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ଯୋଗ ଦେବାକୁ ଶ୍ରୀ ଜୟଶଙ୍କର ମସ୍କୋ ଯାଆନ୍ତି, ତେବେ ତାଙ୍କର ସାକ୍ଷାତ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ହୋଇପାରେ । ସାଧାରଣତଃ ଏସଓସି (ସାଂଘାଇ ସହଯୋଗ ସଙ୍ଗଠନ), ବ୍ରିକ୍ସ ଓ ଆରଏସି ପରି ବୈଠକଗୁଡ଼ିକରେ ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଥାଏ । ୨୦୧୪ରେ ଚୁମାର ଅଞ୍ଚଳରେ ଭାରତ-ଚୀନ ସେନା ମଧ୍ୟରେ ୨୧ ଦିନ ଧରି ଚାଲିଥିବା ବିବାଦ ଓ ସାମ୍ନାସାମ୍ନି ସ୍ଥିତି ନ୍ୟୁୟର୍କରେ ଅନୁଷ୍ଠିତ ବୈଠକରେ ତତ୍କାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଓ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ କଥାବାର୍ତା ପରେ ସମାଧାନ ହୋଇଥିଲା ।

ଏହି ପରିସ୍ଥିତିରେ ଆସନ୍ତା ମସ୍କୋ ବୈଠକ ଦୁଇ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଜୁନ୍ ୧୫ ତାରିଖରେ ଗଲୱାନ ଘାଟିରେ ହୋଇଥିବା ହିଂସ୍ର ଗଣ୍ଡଗୋଳ ପରେ ଜୁନ ୧୭ ତାରିଖରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ କଥାବାର୍ତା ହୋଇଥିଲା । ଏହାପରେ ଜୁଲାଇ ୫ରେ ବିଶେଷ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ମାମଲା ସମାଧାନ ହେବା ନେଇ ଆଶା ପ୍ରକାଶ ପାଇଥିଲା । ମାତ୍ର ଇତିମଧ୍ୟରେ ଏକ ଡ଼ଜନ ସୈନ୍ୟସ୍ତରୀୟ ଓ ଅଧା ଡ଼ଜନ କୂଟନୈତିକ ଭାବବିନିମୟ ପରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଘଟିନାହିଁ ।

ଏହି ସ୍ଥିତିରେ ଭାରତ ଚୀନକୁ ତା ନିଜ ଭାଷାରେ ବୁଝାଇବ ବୋଲି ନିଷ୍ପତ୍ତି ନେଇଛି । ଯେତେବେଳେ ଚୀନ ସେନା ପୋଙ୍ଗାଙ୍ଗ ହ୍ରଦର ଦକ୍ଷିଣ ଭାଗରେ ନୂଆ ମୋର୍ଚାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲା, ସେତେବେଳେ ଭାରତୀୟ ସେନାମାନେ ସେମାନଙ୍କୁ ଜୋରଦାର ପ୍ରତିରୋଧ କରିଥିଲେ । ଭାରତୀୟ ସ୍ପେସାଲ ଫ୍ରଣ୍ଟିଅର ଫୋର୍ସ କମାଣ୍ଡୋ ଚୀନର ଯୋଜନାକୁ କେବଳ ଅସଫଳ କରିନାହାନ୍ତି ଓଲଟି ବ୍ଲାକ୍ ଟପ୍ ଅଞ୍ଚଳରେ ଦୁଇଟି ସ୍ଥାନ ଦଖଲ କରି ନେଇଛନ୍ତି ।

Comments are closed.