ସୀମା ବିବାଦ ଓଡ଼ିଶା ନୀରବ ; ମାଡ଼ି ଚାଲିଛି ଆନ୍ଧ୍ର : ପୁଣି ଫଳକ ଉପାଡ଼ି ରାସ୍ତା ଅବରୋଧ

ପଟାଙ୍ଗି : ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ତେଜିବାରେ ଲାଗିଛି ସୀମା ବିବାଦ। ଓଡ଼ିଶାର ନୀରବତାର ସୁଯୋଗ ନେଇ ଆନ୍ଧ୍ର ମାଡ଼ି ମାଡ଼ି ଚାଲିଛି। କୋରାପୁଟ ଜିଲା ପ୍ରଶାସନ ସୀମା ଚିହ୍ନଟ କରି ଲଗାଇଥିବା ଫଳକକୁ ୨୪ ଘଣ୍ଟା ନ ପୂରୁଣୁ ଆନ୍ଧ୍ରପଟର ସୀମାନ୍ତବାସୀ ଉପାଡ଼ିଦେବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏପରିକି ରାସ୍ତାରେ ପଥର ପକାଇ ଅବରୋଧ କରିଛନ୍ତି। ରବିବାର ପୁଣିଥରେ ଆନ୍ଧ୍ରର କିଛି ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ସେମାନେ ଓଡ଼ିଶା ସୀମାନ୍ତକୁ ପଶି ଆସିଥିବା ଅଭିଯୋଗ ହେଇଛି। ସୀମାନ୍ତ ଲୋକଙ୍କୁ ଆନ୍ଧ୍ରର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଉଠିଛି।
କୋରାପୁଟ ଜିଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ୍‍ର ସମ୍ବାଇ ପଞ୍ଚାୟତରେ ଥିବା ସୁନାବେଡ଼ା ଗ୍ରାମର ଅପରପାର୍ଶ୍ବରେ ଥିବା ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲାର ଡୁମୁରିଗୁଡ଼ା ବ୍ଲକ୍‍ ଅଧିନ ବଡ଼ଲାମ୍ବ, ନିଟାମ୍ବ, ଡେକାପର ଏବଂ ବୁସପୁଟ ଗ୍ରାମ ସୀମାନ୍ତକୁ ଲାଗିଥିବା ବେଳେ ଏହି ଗ୍ରାମବାସୀ ସୁନାବେଡ଼ା ଗ୍ରାମବାସୀଙ୍କ ବେସରକାରୀ ଚାଷ ଜମି ସହ ସରକାରୀ ଡଙ୍ଗର ପାହାଡ ଏବଂ ଜଙ୍ଗଲକୁ ଜୋରଜବରଦସ୍ତ ଦଖଲ କରି ଚାଷ କରୁଥିବା ସୁନାବେଡ଼ା ଗ୍ରାମବାସୀ ଦୀର୍ଘଦିନରୁ ଅଭିଯୋଗ କରି ଆସୁଛନ୍ତି। ଗତ କିଛିଦିନ ହେଲା ଏହି ସମସ୍ୟାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଗତ ୯ତାରିଖରେ ଉପଜିଲାପାଳ ଲଳିତ କହଁରଙ୍କ ନେତୃତ୍ୱରେ ପଟାଙ୍ଗୀ ତହସିଲଦାର, ବିଡିଓ, ଆର୍‍ଆଇ ଏବଂ ସୁନାବେଡା ଏସ୍‍ଡିପିଓଙ୍କ ସହ ସମ୍ବାଇ ସରପଞ୍ଚ ପିଲବଡ଼ ଗୁଣ୍ଠା ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ ସୀମାନ୍ତ ବୋର୍ଡ଼ ଲଗାଇ ଆସିଥିଲେ। ତେବେ ତା’ ପରଦିନ ସମ୍ପୃକ୍ତ ଗ୍ରାମବାସୀ ସୀମାନ୍ତ ଫଳକକୁ ଉପାଡ଼ି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହାୟତାରେ ପଥର ପୋତି ସବୁଜ ପତାକା ଲଗାଇଥିବା ଗ୍ରାମବାସୀଙ୍କ ଅଭିଯୋଗରୁ ଜଣପଡିଛି। ସୀମାନ୍ତର ସମ୍ପୃକ୍ତ ୪ଖଣ୍ଡ ଗ୍ରାମବାସୀ ଆଜି ଏକ ଭୋଜିଭାତର ଆସର କରିଥିବା ବେଳେ ବିଶାଖାପାଟଣା ୱାଇଏସ୍‍ଆର୍‍ ଜିଲା ସଭାପତି ଧନୁର୍ଜୟ ଦୋରାଙ୍କ ସହ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ସମ୍ମିଳନୀ ହୋଇଥିବା ଜଣାପଡିଛି। ଗ୍ରାମବାସୀ ନେତାଙ୍କ ଉପସ୍ଥିତିରେ ‘ଜଙ୍ଗଲ ଏବଂ ଜମି ଆମର, ଆମେ ମରିବୁ ପଛେ ଏହାକୁ ଛାଡିବୁ ନାହିଁ’ ଆଦି ବିଭିନ୍ନ ସ୍ଲୋଗାନ ଦେଇ ସେଠାକାର ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଅପରପକ୍ଷରେ ଡୁମୁରିଗୁଡା ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ମଧ୍ୟ ଘଟଣାସ୍ଥଳକୁ ଆସିଥିବା ସୁନାବେଡ଼ା ୱାର୍ଡ଼ ସଭ୍ୟ ମୁସୁରୀ ତାଉଡୁ ପ୍ରକାଶ କରିଛନ୍ତି। ସୀମାନ୍ତ ଏବଂ ଗ୍ରାମର ନିଜ ଜମିଜମାର ବିବାଦକୁ ନେଇ ସୁନାବେଡ଼ା ଗ୍ରାମବାସୀ ବିଭିନ୍ନ ସମୟରେ ବ୍ଲକ୍‍ ପ୍ରଶାସନ, ଜିଲା ପ୍ରଶାସନ ସାଙ୍ଗକୁ ରାଜନୈତିକ ନେତୃବୃନ୍ଦଙ୍କ ଦୃଷ୍ଟିଗୋଚର କରି ଆସୁଥିଲେ ହେଁ ସେମାନଙ୍କୁ ସହଯୋଗ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ଆମ ଅଞ୍ଚଳକୁ ସେମାନେ ଜୋରଜବରଦସ୍ତ ନେଇ ଜୁଲୁମ କରୁଥିବା ଅଭିଯୋଗ ସତ୍ତ୍ବେ ଆନ୍ଧ୍ର ପ୍ରଶାସନ ଏବଂ ରାଜନୈତିକ ନେତୃବୃନ୍ଦ ସେମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଯୋଗାଉଥିବା ସେମାନଙ୍କ ବିଭିନ୍ନ କାର୍ଯ୍ୟଶୈଳୀରୁ ସ୍ପଷ୍ଟ ପ୍ରମାଣ ମିଳୁଛି ବୋଲି ସୁନାବେଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଦାବି ମୁତାବକ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ନେତୃବୃନ୍ଦ ପ୍ରତି ସମୟରେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ମନୋବଳକୁ ଦୃଢ଼ କରୁଥିବା ଉପସ୍ଥିତି ଜାହିରି କରୁଛି ବୋଲି ଯୋଗିରାଜୁ କିଞ୍ଚେଇ ପ୍ରକାଶ କରିଛନ୍ତି। ସୁନାବେଡ଼ା ଗ୍ରାମବାସୀ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଥିବା ବେଳେ ପ୍ରଶାସନିକ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ମିଳୁନାହିଁ। ଅପରପକ୍ଷରେ ସମ୍ପୃକ୍ତ ଆନ୍ଧ୍ର ବାସିନ୍ଦା ଧମକ ଦେଇ ପ୍ରତି ସମୟରେ ଭୟଭୀତ କରାଉଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ଅଭିଯୋଗ କରୁଛନ୍ତି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ବିଚାର କରି ଗ୍ରାମବାସୀ ଏବଂ ସୀମାନ୍ତର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ସୀମା ବିବାଦ ନେଇ କୋରାପୁଟ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସୀମା ବିବାଦ ନଜରରେ ରହିଛି। କୋରାପୁଟ ଉପଜିଲାପାଳଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‍ ଗଠନ କରାଯାଇ ଅନୁଧ୍ୟାନ କରାଯିବା ସହ ପରିସ୍ଥିତି ଉପରେ ନଜର ରଖାଯାଇଛି। ଏ ନେଇ ସମ୍ପୃକ୍ତ ଜିଲାପାଳଙ୍କୁ ଏକ ଚିଠି କରାଯାଇଥିବା ସୂଚନା ଦେଇଛନ୍ତି।

Comments are closed.