ଓଡ଼ିଶା ସୀମାରେ ଛତିଶଗଡ଼ ବିଧାୟକଙ୍କ ମନ୍ତ୍ରଣା : ସୀମାନ୍ତ ଅଞ୍ଚଳକୁ ଛତିଶଗଡ଼ରେ ମିଶାଇବା ପାଇଁ ମସୁଧା

ବରଗଡ଼/ପଦ୍ମପୁର : ବରଗଡ଼ ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଏକ ଜିଲା। ଏହାର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକର ଚର୍ଦାପାଲି ଗ୍ରାମପଞ୍ଚାୟତ ଛତିଶଗଡ଼ର ସରାଇପାଲି ଜିଲାର ସୀମାକୁ ଛୁଇଁଛି। ଏହି ପଞ୍ଚାୟତଟି ଓଡ଼ିଶା ତଥା ବରଗଡ଼ ଜିଲାର ଅଂଶବିଶେଷ ହୋଇଥିଲେ ହେଁ ଦୀର୍ଘ ଦଶନ୍ଧି ଧରି ଏହା ବିଚ୍ଛିନ୍ନାଞ୍ଚଳ ଭାବରେ ପରିଚିତ। ପଦ୍ମପୁର ସଦର ମହକୁମାକୁ ଚର୍ଦାପାଲିର ଦୂରତା ମାତ୍ର ୧୫କି.ମି। ହେଲେ ପଞ୍ଚାୟତର ତିନିପଟରେ ଥିବା ନଦୀ, ନାଳ ଉକ୍ତ ପଞ୍ଚାୟତକୁ ବର୍ଷର ଅର୍ଦ୍ଧାଧିକ ସମୟ ବିଚ୍ଛିନ୍ନାଞ୍ଚଳ କରି ରଖୁଛି। ସାଧାରଣ ଲୋକେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଉଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ହେଉ ନଥିବାରୁ ସଂପୃକ୍ତ ଅଞ୍ଚଳବାସୀ ଏବେ ଛତିଶଗଡ଼ରେ ମିଶିବା ପାଇଁ ଚରମ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏ ନେଇ ସେମାନେ ପଡ଼ୋଶୀ ଛତିଶଗଡ଼ର ସରାଇପାଲି ବିଧାୟକଙ୍କ ସହ ବରାବର ସମ୍ପର୍କରେ ଅଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଛତିଶଗଡ଼ର ସରାଇପାଲି ବିଧାୟକ ଆଜି ମଧ୍ୟ ଚର୍ଦାପାଲିକୁ ଆସି ସେମାନଙ୍କୁ ଛତିଶଗଡ଼ରେ ମିଶିବାର ବାଟ ​ଦେଖାଇଛନ୍ତି। ବିଧାୟକ ଜଣକ ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ପ୍ରୋତ୍ସାହିତ କରିବା ସହ ସେ ଓ ତାଙ୍କ ସରକାର ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ କୁଆଡ଼େ ପ୍ରତିଶ୍ରୁତି ଦେଇଥିବା ଉକ୍ତ ସୂଚନାରୁ ପ୍ରକାଶ।

ଚର୍ଦାପାଲିର ୫ଟି ଗ୍ରାମ ଯଥା- ଲୁହୁରାକୋଟ, ଚାରଦାପଲି, ଗୁଞ୍ଚାଡିହି, ଗସ୍ତିଡିହି ଓ ଚଙ୍ଗରିଆର ସମୁଦାୟ ଜନସଂଖ୍ୟା ପ୍ରାୟ ୪୭୦୦ ପାଖପାଖି। ଗ୍ରାମଗୁଡ଼ିକୁ ଯିବା ପାଇଁ ରାସ୍ତା ନାହିଁ । କୌଣସି ଗ୍ରାମକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୧୪ରୁ ୧୮ କିଲୋମିଟର ପଥୁରିଆ ରାସ୍ତାରେ ଯିବାକୁ ପଡିଥାଏ। ଅନ୍ୟପଟେ ଅଙ୍ଗନଦୀ ଉପରେ ଛାତିଏ ପାଣି ପାରି ହୋଇ ଯିବାକୁ ପଡ଼େ। ବର୍ଷାଦିନେ ପ୍ରଶାସନ ତରଫରୁ ଡଙ୍ଗାର ବ୍ୟବସ୍ଥା କରାଯାଇଥାଏ।
ଦେଶ ସ୍ବାଧୀନ ହେବାର ଏତେ ବର୍ଷ ବିତିଯିବା ପରେ ମଧ୍ୟ ପୋଲଟିଏ ନିର୍ମାଣ ହୋଇପାରି ନାହିଁ । ପଞ୍ଚାୟତଠାରୁ ଉପଖଣ୍ଡ କାର୍ଯ୍ୟାଳୟ ପ୍ରାୟ ୪୦ କିଲୋମିଟର ଦୂରରେ ଥିବାବେଳେ ଜିଲା ମୁଖ୍ୟାଳୟର ଦୂରତା ୧୨୦ କିଲୋମିଟରରୁ ଅଧିକ। ଏପରି ଅବସ୍ଥା ଭିତରେ ଅଞ୍ଚଳଟି ବର୍ଷକୁ ପ୍ରାୟ ୭ ରୁ ୮ ମାସ ଅପହଞ୍ଚ ଇଲାକାରେ ପରିଣତ ହୁଏ। ସ୍ୱାସ୍ଥ୍ୟ ହେଉ ବା ଶିକ୍ଷା, ବିବାହ ହେଉ ବା ଅନ୍ୟ କୌଣସି ଭଲମନ୍ଦ କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କୁ ପଡ଼ୋଶୀ ଛତିଶଗଡ଼ ଉପରେ ନିର୍ଭର କରିବାକୁ ହୁଏ। ଏଥି ପାଇଁ ସେମାନେ ରାଜ୍ୟ ସରକାର ଏବଂ ପ୍ରଶାସନିକ ଅବହେଳାକୁ ଦାୟୀ କରି ଛତିଶଗଡ଼ରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତା’ ସହିତ ସେମାନେ ଛତିଶଗଡ଼ର ଏହି ବିଧାୟକଙ୍କୁ ଭେଟି ଛତିଶଗଡ଼ରେ ମିଶିବା ପାଇଁ ଏକ ଦରଖାସ୍ତ ତାଙ୍କୁ ଦେଇଛନ୍ତି ଏବଂ ସେ ତାକୁ ଗ୍ରହଣକରି ଏ ଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି କୁଆଡ଼େ ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ ଜିଲାର ସୀମାନ୍ତ ଅଞ୍ଚଳ ସୁରକ୍ଷିତ ରହିଛି ବୋଲି ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଉଥିବା ବେଳେ ଛତିଶଗଡ଼ର ଜଣେ ବିଧାୟକ ବରଗଡ଼ ସୀମାରେ ଆସି ଲୋକଙ୍କୁ ଛତିଶଗଡ଼ରେ ମିଶିବା ପାଇଁ ଆହ୍ବାନ ଦେବା ଘଟଣା ପ୍ରଶାସନର ପାରିବାପଣିଆଁକୁ ପଦାରେ ପକାଇ ଦେଇଥିବା ସଚେତନ ମହଲରେ ଆଲୋଚନା ହେଉଛି।

Comments are closed.