କାହା ପାଇଁ ବମିଖାଲ ଓଭରବ୍ରିଜ୍‌?

-ଜନତାଙ୍କ କାମରେ ଲାଗୁନି,-ନିୟମିତ ଘଟୁଛି ଦୁର୍ଘଟଣା

ଟ୍ରାଫିକ୍‌ ଅଣାୟତ୍ତ, ପଥଚାରୀ କ୍ଷୁବ୍ଧ

ଭୁବନେଶ୍ୱର : ନିର୍ମାଣ ସମୟରେ ଏକାଧିକ ଦୁର୍ଘଟଣା ଓ ଜୀବନ ଯିବା ପରେ ଦୁଇ ବର୍ଷ ତଳେ ଯାତାୟାତ ପାଇଁ କାର୍ଯ୍ୟକ୍ଷମ ହୋଇଥିଲା ବମିଖାଲ ଓଭରବ୍ରିଜ୍‌। ଓଭରବ୍ରିଜ୍‌ ଦ୍ବାରା ଟ୍ରାଫିକ୍‌ ନିୟନ୍ତ୍ରଣ ହେବା ସହ ସହଜରେ ସ୍ଥାନୀୟ ଲୋକ ଯାତାୟାତ କରିପାରିବେ ବୋଲି ଲକ୍ଷ୍ୟ ରହିଥିଲା। ହେଲେ ଓଭରବ୍ରିଜ୍‌ ଜନତାଙ୍କ ପାଇଁ ସହାୟକ ହେବା ବଦଳରେ ଦିନକୁ ଦିନ ଜଟିଳ ସମସ୍ୟା ସୃଷ୍ଟି କରୁଛି। ମୁଖ୍ୟତଃ ଓଭରବ୍ରିଜ୍‌ ଯୋଗୁଁ ନିୟମିତ ଦୁର୍ଘଟଣା ସହ ଟ୍ରାଫିକ୍‌ ସ୍ଥିତି ଅଣାୟତ୍ତ ହୋଇପଡୁଛି। ସହରର ପ୍ରମୁଖ ସ୍ଥାନରେ ଥିବା ଏହି ବ୍ରିଜ୍‌ ସ୍ଥାନୀୟ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ରିଜ୍‌ ନିର୍ମାଣ ପାଇଁ ସରକାରୀ ରାଜକୋଷରୁ ପ୍ରାୟ ୫୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ନିର୍ମାଣଗତ ତ୍ରୁଟି ଯୋଗୁଁ ଏହି ଅର୍ଥ ଏବେ ପାଣିରେ ପଡ଼ିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଓଭରବ୍ରିଜ୍‌ରେ ଚାଳକଙ୍କ ଯାତାୟାତ ପାଇଁ ବିବିଧ ନିୟମ ଥିଲେ ମଧ୍ୟ ଏହାକୁ ପାଳନ କରାଯାଉନି। ଏହି ବ୍ରିଜ୍‌ ଯୋଗୁଁ ସ୍ଥାନୀୟ ଜନତା ଓ ସେହି ବାଟରେ ଯାତାୟାତ କରୁଥିବା ବ୍ୟକ୍ତିବିଶେଷ ଭୋଗ କରୁଥିବା ସମସ୍ୟାର ବାସ୍ତବ ସ୍ଥିତି ପରଖିଥିଲା ‘ସମାଜ’ ଟିମ୍‌।
କ’ଣ ରହିଛି ସମସ୍ୟା
ମୁଖ୍ୟତଃ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ବେଳେ ତ୍ରୁଟିପୂର୍ଣ୍ଣ ରୂପରେଖକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏଠି କିଛି ନିୟମ କାନୁନ କାମ କରୁନି। କଳ୍ପନାରୁ ରୁସଲଗଡ଼ ଯିବା ପାଇଁ ଏହି ବ୍ରିଜ୍‌ରେ ବ୍ୟବସ୍ଥା ନାହିଁ। ସେହିପରି ବମିଖାଲ ବାସିନ୍ଦାଙ୍କୁ ସହିଦନଗର ଯିବାକୁ ହେଲେ ଜୟଦୁର୍ଗାନଗର ଛକ ନିକଟରେ ଥିବା ଡିଭାଇଡର ବାଟେ ଯିବାକୁ ହେଉଛି। ଏହି ଡିଭାଇଡର ଖୁବ୍‌ ସଂକୀର୍ଣ୍ଣ। ଗାଡ଼ିରେ ରାସ୍ତା ଅତିକ୍ରମ କରିବା ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ପାରି ସମୟରେ ଗହଳି ହେଉଥିବାରୁ ରସୁଲଗଡ଼ରୁ କଳ୍ପନା ଅଭିମୁଖେ ଯାଉଥିବା ଗାଡ଼ି ଦୀର୍ଘ ସମୟ ଧରି ଅଟକି ରହୁଛି। ସେହିପରି କଳ୍ପନାରୁ ରସୁଲଗଡ଼ ଯାଉଥିବା ରାସ୍ତାରେ ଭିଡ଼ ଦେଖିବାକୁ ମିଳୁଛି।
ପଥଚାରୀ ହଟହଟା
ଏକାମ୍ର ସିନେମା ହଲ୍‌ ନିକଟରେ ଥିବା ନାଳ ଉପରେ ଏକ ଛୋଟ ବ୍ରିଜ୍‌ ରହିଛି। ବ୍ରିଜ୍‌ ପୂର୍ବରୁ ଓ ପରେ ପଥଚାରୀଙ୍କ ଯାତାୟାତ ପାଇଁ ବ୍ୟବସ୍ଥା ଥିବାବେଳେ ଠିକ୍‌ ଏହି ନାଳ ଉପରେ ବ୍ୟବସ୍ଥା ନାହିଁ। ଓଭରବ୍ରିଜ୍‌ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ନାଳ ଉପରେ ଥିବା ଛୋଟ ସେତୁରେ ଯାତାୟାତ କରିପାରୁନାହାନ୍ତି ସ୍ଥାନୀୟ ଲୋକ। ଏହି ବାଟେ ଯିବାଆସିବେ ବେଳେ ଲୋକେ ବହୁ ସମସ୍ୟାରେ ପଡୁଛନ୍ତି।
ଚିନ୍ତାରେ ଗୋବିନ୍ଦବିହାର ବାସିନ୍ଦା
ବମିଖାଲରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପରେ ଏକାମ୍ର ପ୍ରେକ୍ଷାଳୟ ପାର୍ଶ୍ବରେ ଥିବା ଗୋବିନ୍ଦବିହାର ଅଞ୍ଚଳର ବାସିନ୍ଦାଙ୍କ ଦୁଃଖ ବଢ଼ିଚାଲିଛି। ରସୁଲଗଡ଼ରୁ କଳ୍ପନା ମୁଖ୍ୟ ରାସ୍ତା ଓଭରବ୍ରିଜ୍‌ ଯୋଗୁଁ ସଙ୍କୁଚିତ ହୋଇଛି। ଗୋବିନ୍ଦବିହାରରୁ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଗାଡ଼ି ଭିଡ଼ ରହୁଥିବାରୁ ଅପେକ୍ଷା କରିବାକୁ ପଡୁଛି। ସବୁଠାରୁ ବଡ଼ କଥା ହେଲା ଉଭୟ ପ୍ରବେଶ ଓ ପ୍ରସ୍ଥାନ ସମୟରେ ହଟହଟା ହେଉଛନ୍ତି ସ୍ଥାନୀୟ ବାସିନ୍ଦା।
ଉଲ୍ଲଘଂନ ହେଉଛି ଟ୍ରାଫିକ୍‌ ନିୟମ
ଓଭରବ୍ରିଜ୍‌ ବାଟ ଦେଇ ରସୁଲଗଡ଼ରୁ ସହିଦନଗର ଓ ସହିଦନଗରରୁ ଗୋବିନ୍ଦବିହାର ରାସ୍ତା ସମ୍ମୁଖ ଦେଇ ଆସିବାକୁ ନିଷିଦ୍ଧ ଘୋଷଣା କରାଯାଇଛି। ସେହିପରି ଓଭରବ୍ରିଜ୍‌ ବାଟେ କଳ୍ପନାରୁ ଆସୁଥିବା ଗାଡ଼ି ରସୁଲଗଡ଼ ଅଭିମୁଖେ ଯିବା ଉପରେ ମଧ୍ୟ କଟକଣା ରହିଛି। ତେବେ ନିୟମିତ ଭାବେ ଏହି ନିଷେଧାଦେଶକୁ କୌଣସି ଗାଡ଼ି ଚାଳକ ପାଳନ କରୁନାହାନ୍ତି। ଯିଏ ଯେଉଁ ଆଡ଼େ ଚାହିଁଲା ସିଆଡ଼େ ଯାଉଛନ୍ତି। ଏଥିପାଇଁ ଦୁର୍ଘଟଣା ଘଟିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ଓଭରବ୍ରିଜ୍‌ ଫାଙ୍କା
ମୁଖ୍ୟତଃ ଗୋପବନ୍ଧୁବିହାର, ବମିଖାଲ ବାସିନ୍ଦା ଏହି ଓଭରବ୍ରିଜ୍‌ରେ ଯିବାକୁ ଅସୁବିଧା ଭୋଗୁଛନ୍ତି। ସେମାନେ ଓଭରବ୍ରିଜ୍‌ ବ୍ୟବହାର କରିବାକୁ ହେଲେ ଜୟଦୁର୍ଗା ନଗର ଛକ ବାଟେ ଯିବାକୁ ହେଉଛି। ସବୁବେଳେ ରାସ୍ତା ଭିଡ଼ ରହୁଥିବାରୁ ଏହି ବାଟେ ଯିବାକୁ ଅମଙ୍ଗ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ସେହିପରି କଳ୍ପନା ପଟୁ ଆସୁଥିବା ଗାଡ଼ି ଚାଳକ ମଧ୍ୟ ଏହି ବାଟେ ରସୁଲଗଡ଼ ଯାଇପାରୁନାହାନ୍ତି। ସେଥିଯୋଗୁଁ ଅଧିକାଂଶ ସମୟ ଏହି ବ୍ରିଜ୍‌ ଫାଙ୍କା ରହୁଛି।
ବ୍ରିଜ୍‌ ଉପରେ ଖଟି
ରାଜଧାନୀର ଅଧିକାଂଶ ସ୍ଥାନ ବ୍ୟସ୍ତବହୁଳ ରହୁଥିବାବେଳେ ଏହି ବ୍ରିଜ୍‌ ପ୍ରାୟ ଫାଙ୍କା ରହୁଛି। ଏହାର ସୁଯୋଗ ନେଇ ଅନେକ ବ୍ରିଜ୍‌ରେ ଫଟୋସୁଟ୍‌ କରୁଥିବା ଦେଖିବାକୁ ମିଳୁଛି। ବେଳେବେଳେ ବ୍ରିଜ୍‌ ଉପରେ ମଧ୍ୟ ସାଙ୍ଗସାଥୀ ଖଟି କରୁଥିବା ଦେଖିବାକୁ ମିଳୁଛି।

ଜନତାଙ୍କ ଦାବି
-ବମିଖାଲ ପଟୁ ବ୍ରିଜ୍‌ ଉପରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଉ।
-ଟ୍ରାଫିକ୍‌ ସ୍ଥିିତି ନିୟନ୍ତ୍ରଣ ପାଇଁ ଗୋବିନ୍ଦବିହାରର ସଂଯୋଗୀକରଣ ରାସ୍ତାରେ ଗତିରୋଧକ ବା ହମ୍ପ୍‌ସ ବ୍ୟବସ୍ଥା ହେଉ।
-ପଥଚାରୀଙ୍କ ପାଇଁ ନାଳ ଉପରେ ପୋଲକୁ ସମ୍ପ୍ରସାରଣ କରାଯାଉ।
-କଳ୍ପନାରୁ ରସୁଲଗଡ଼ ଯିବାପାଇଁ ବ୍ରିଜ୍‌ରେ ଯାତାୟାତର ବ୍ୟବସ୍ଥା ହେଉ।
-ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ବାରା ବ୍ରିଜ୍‌ ସ୍ଥିତି ପରଖିବା ସହ ତ୍ରୁଟି ସୁଧୁରା ଯାଉ।

Comments are closed.