କାଏମ ରହିବ ମରାଠା ସଂରକ୍ଷଣ : ବମ୍ବେ ହାଇକୋର୍ଟ

ମୁମ୍ବଇ : ମହାରାଷ୍ଟ୍ରରେ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ମରାଠାଙ୍କୁ ଦିଆଯାଇଥିବା ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ଗୁରୁବାର ବମ୍ବେ ହାଇକୋର୍ଟ କାଏମ ରଖିଛନ୍ତି। ବିଚାରପତି ରଂଜୀତ ମୋରେ ଏବଂ ଭାରତୀ ଡାଙ୍ଗ୍ରୀଙ୍କ ଖଣ୍ଡପୀଠ ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ପକ୍ଷରୁ ସୁପାରିଶ କରାଯାଇଥିବା ମରାଠାଙ୍କ ପାଇଁ ୧୬% ସଂରକ୍ଷଣକୁ ହ୍ରାସ କରି ୧୨ରୁ ୧୩% ମଧ୍ୟରେ ରଖିବାକୁ କହିଛନ୍ତି।
ମହାରାଷ୍ଟ୍ର ସରକାର ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ମରାଠାଙ୍କ ପାଇଁ ୧୬% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଏହା ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହି ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ମରାଠା ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ କାଏମ ରଖିବା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭୀସ ସ୍ୱାଗତ କରିଛନ୍ତି। ବମ୍ବେ ହାଇକୋର୍ଟ ପଛୁଆ ବର୍ଗ ଆୟୋଗଙ୍କ ରିପୋର୍ଟକୁ ସ୍ୱୀକାର କରିଛନ୍ତି ଓ ସ୍ୱତନ୍ତ୍ର ପରିସ୍ଥିତିରେ ୫୦% ସଂରକ୍ଷଣ ସୀମା ପାର କରିହେବ, ତାହା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।
ପ୍ରକାଶ ଯେ ମହାରାଷ୍ଟ୍ର ସରକାର ମରାଠାଙ୍କୁ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଘୋଷିତ କରିଥିଲେ। ପରେ ୨୦୧୮ ନଭେମ୍ବର ୩୦ରେ ମହାରାଷ୍ଟ୍ର ବିଧାନସଭାରେ ମରାଠାଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୬% ସଂରକ୍ଷଣ ଦେବା ନେଇ ଏକ ବିଧେୟକ ପାରିତ କରିଥିଲେ। ଏହା ବିରୋଧରେ ଆଗତ ଆବେଦନ ନାକାମ ହୋଇଛି। କେବଳ ସଂରକ୍ଷଣ ପ୍ରତିଶତରେ ହ୍ରାସ ଘଟିଛି।

Comments are closed.