ଅର୍ଣ୍ଣବ ଜାମିନ ପାଇଁ ସେସନ୍ସ କୋର୍ଟକୁ ଯାଆନ୍ତୁ : ହାଇକୋର୍ଟ

ମୁମ୍ବଇ : ଅର୍ଣ୍ଣବ ଗୋସ୍ବାମୀଙ୍କୁ ଜାମିନରେ ମୁକୁଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ଶନିବାର ବମ୍ବେ ହାଇକୋର୍ଟରେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ଓ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିନତମାମ ଭିଡିଓ କନ୍‌ଫରେନ୍ସିଂରେ ସ୍ବତନ୍ତ୍ର ଶୁଣାଣି ହୋଇଥିଲା ଓ ଅପରାହ୍ଣରେ ଏହା ଶେଷ ହୋଇଥିଲେ ମଧ୍ୟ ରାୟ ସଂରକ୍ଷିତ ରହିଛି। ତେବେ ଅନ୍ତରୀଣ ନିର୍ଦେଶ ସ୍ବରୂପ ଏହି ସମୟ ମଧ୍ୟରେ ଗୋସ୍ବାମୀ ଆଲିବାଗ ସେସନ୍ସ କୋର୍ଟରେ ଜାମିନ ଆବେଦନ କରିବା ପାଇଁ ବିଚାରପତି ତାଙ୍କୁ ସୁଯୋଗ ଦେଇଛନ୍ତି।

ଏହା ଉପରେ ସେସନ୍ସ କୋର୍ଟ ଉପଯୁକ୍ତ ବିଚାର କରିବେ ବୋଲି ବିଚାରପତି ଏସ୍‌.ଏସ୍‌ ସିନ୍ଦେ ଓ ଏମ୍‌.ଏସ୍‌ କାର୍ଣ୍ଣିକଙ୍କୁ ନେଇ ଗଠିତ ପୀଠ କହିଛନ୍ତି। ଗୋସ୍ବାମୀଙ୍କ ସହ ଫିରୋଜ ଶେଖ୍‌ ଓ ନୀତୀଶ ଶରଦାଙ୍କ ଜାମିନ ଆବେଦନ ଉପରେ ମଧ୍ୟ ହାଇକୋର୍ଟ ସମାନ ମତ ରଖିଛନ୍ତି। ଏହା ଦ୍ବାରା ବୁଧବାର ସକାଳେ ଗିରଫ ହୋଇଥିବା ଗୋସ୍ବାମୀ ଆହୁରି ଅନ୍ୟୂନ ତିନି ରାତି ବିଚାର ବିଭାଗୀୟ ହେପାଜତରେ ବିତାଇବା ଆଶଙ୍କା ସୃଷ୍ଟି ହୋଇଛି।

ଆସନ୍ତାକାଲି ରବିବାର ଥିବାବେଳେ ଗୋସ୍ବାମୀ ସୋମବାର ଜାମିନ ଆବେଦନ କରିପାରନ୍ତି; କିନ୍ତୁ ସେହିଦିନ(୯ତାରିଖ)ରେ ସେସନ୍ସ କୋର୍ଟ ମହାରାଷ୍ଟ୍ର ପୁଲିସ ପକ୍ଷରୁ ଗୋସ୍ବାମୀଙ୍କୁ ଜିମାରେ ନେବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ଧାର୍ଯ୍ୟ କରିଥିବାରୁ ଏହା ପରେ ଜାମିନ ଆବେଦନର ଶୁଣାଣି ହେବା ସମ୍ଭାବନା ରହିଛି। ଶନିବାର ଏହାର ଶୁଣାଣି ହୋଇଥିଲେ ମଧ୍ୟ ଅଧା ରହିଛି। ଅପରପକ୍ଷରେ ଅନ୍ବୟ ନାଇକ ଆତ୍ମହତ୍ୟା ମାମଲାରେ ଏତଲା ଖାରଜ କରିବାକୁ ଗୋସ୍ବାମୀ କରିଥିବା ଆବେଦନର ଶୁଣାଣିକୁ ହାଇକୋର୍ଟ ଡିସେମ୍ବର ୧୦କୁ ଧାର୍ଯ୍ୟ କରିଛନ୍ତି।

Comments are closed.