ପୁଣି ଚର୍ଚାରେ ବମ୍ବେ ହାଇକୋର୍ଟଙ୍କ ରାୟ: ପତ୍ନୀଙ୍କଠାରୁ ଟଙ୍କା ଦାବି କରିବା ଉତ୍ପୀଡ଼ନ ନୁହେଁ

ନାଗପୁର: ବମ୍ବେ ହାଇକୋର୍ଟଙ୍କ ଏକ ରାୟ ଏବେ ନୂଆ ଚର୍ଚା ସୃଷ୍ଟି କରିଛି । ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ପତ୍ନୀଙ୍କ ଆତ୍ମହତ୍ୟା ଅଭିଯୋଗରେ ଅଭିଯୁକ୍ତ ଜଣେ ବ୍ୟକ୍ତିକୁ ମୁକ୍ତ କରିବା ସହ ପତ୍ନୀଙ୍କୁ ଟଙ୍କା ମାଗିବା ଏକ ଅପରାଧ ନୁହେଁ । ଆଇପିସିର ଧାରା ୪୯୮ଏ ଅନୁସାରେ ଏହାକୁ ଉତ୍ପୀଡ଼ନ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ।

ମାମଲାର ବିବରଣୀ ହେଉଛି ଏମିତି । ବିବାହର ୯ ବର୍ଷ ପରେ ଜଣେ ମହିଳା ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କାରଣ ରୂପେ କୁହାଯାଇଥିଲା ଯେ ତାଙ୍କ ସ୍ବାମୀ ତାଙ୍କୁ ଉତ୍ପୀଡ଼ନ କରୁଥିଲେ । ବାରମ୍ବାର ଏହି ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଟଙ୍କା ମାଗୁଥିଲେ ଓ ଟଙ୍କା ନ ଦେଲେ ତାଙ୍କୁ ପିଟୁଥିଲେ । ଏଥିପାଇଁ ସମ୍ପୃକ୍ତ ମହିଳା ଆତ୍ମହତ୍ୟା କରିଥିଲେ ।

ଏହି ମାମଲାର ବିଚାର କରି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ପୁଷ୍ପା ଗଣେଶଦୀୱାଲ କହିଛନ୍ତି ଯେ ପତ୍ନୀଙ୍କୁ ଟଙ୍କା ମାଗିବା ଉତ୍ପୀଡ଼ନ ପର୍ଯ୍ୟାୟଭୁକ୍ତ ନୁହେଁ । ଏହା ଏକ ଅସ୍ପଷ୍ଟ ଶବ୍ଦ ଏବଂ ଆଇପିସିର ୪୯୮ଏ ଧାରା ଅନୁସାରେ ତାଙ୍କୁ ଅଭିଯୁକ୍ତ କରାଯାଇପାରିବ ନାହିଁ । ଏପରି ଟୀପ୍ପଣୀ ଦେଇ ବିଚାରପତି ଅଭିଯୁକ୍ତ ସ୍ବାମୀକୁ ନିର୍ଦୋଷରେ ଖଲାସ କରି ଦେଇଛନ୍ତି ।

ଏହି ରାୟ ଦେଇଥିବା ଜଷ୍ଟିସ ପୁଷ୍ପା ଆଜିକାଲି ଚର୍ଚାର ପରିଧିରେ ଅଛନ୍ତି । ନିକଟରେ ୧୨ ବର୍ଷର ଜଣେ ନାବାଳିକାକୁ ଯୌନ ନିର୍ଯାତନା ପ୍ରସଙ୍ଗର ବିଚାର କରି ସ୍କର୍ଟ ଉପରେ କୌଣସି ଯୁବତୀ ବା ତରୁଣୀର ଦେହକୁ ଛୁଇଁବା ଯୌନ ନିର୍ଯାତନା ପର୍ଯ୍ୟାୟଭୁକ୍ତ ହେବ ନାହିଁ ଏବଂ ଏ କ୍ଷେତ୍ରରେ ପୋକେ୍ସୋ ନିୟମ ଲାଗୁ ହୋଇ ପାରିବ ନାହିଁ ବୋଲି କହିଥିଲେ । ସେହିପରି ଅନ୍ୟଏକ ମାମଲାର ବିଚାର କରି କେବଳ ଚର୍ମରୁ ଚର୍ମ (ସ୍କିନ ଟୁ ସ୍କିନ) ସମ୍ପର୍କକୁ ଯୌନ ଶୋଷଣ ଭାବରେ ବିଚାର କରାଯିବ ଏବଂ କୌଣସି ନାବାଳିକାଙ୍କୁ ବଳପୂର୍ବକ ଛୁଇଁବା ଯୌନ ଉତ୍ପୀଡ଼ନ କୁହାଯାଇ ପାରିବ ବୋଲି କହିଥିଲେ । ଅବଶ୍ୟ ଜଷ୍ଟିସ ପୁଷ୍ପାଙ୍କ ଏହି ରାୟକୁ ନେଇ ଦେଶବ୍ୟାପୀ ତୀବ୍ର ସମାଲୋଚନା କରାଯାଇଥିଲା ଓ ସୁପ୍ରିମକୋର୍ଟ ଏହି ରାୟକୁ ସ୍ଥଗିତ ରଖିଥିଲେ ।

Comments are closed.