ଖୋର୍ଦ୍ଧା ଭୋଗଡା ଗାଁରେ ବୋମା ମାଡ କରି ଲୁଟ ପାଟ କଲେ ଦୁର୍ବୃତ୍ତ
ବୋମା ମାଡରେ ୩ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଗାଁର ଜଣଙ୍କ ଘରକୁ ଲକ୍ଷ୍ୟ କରି ଏହି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ଫଳରେ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ପ୍ରାୟ ୮ରୁ ଦଶ ଜଣ ଦୁର୍ବୃତ୍ତ ଭୋଗଡ଼ା ଗ୍ରାମକୁ ମଧ୍ୟ ରାତ୍ରୀରେ ପହଞ୍ଚିଥିଲେ । ସେମାନେ ଯୋଜନାବଦ୍ଧ ଭାବେ ବୋମା ବିସ୍ଫୋରଣ କରି ଲୋକଙ୍କୁ ଭୟଭୀତ କରିଥିଲେ । ଏହା ପରେ ଗ୍ରାମର ଜଣଙ୍କ ଘରୁ ଲୁଟ କରିଥିଲେ । ତେବେ ବୋମାମାଡ଼ରେ ଗୋଟିଏ ପରିବାର ୩ ଜଣ ସଦସ୍ୟ ଗୁରୁତର ହୋଇଥିବା ଜଣାଯାଇଛି । ବୋମା ମାଡରେ ଗୁରୁତର ହୋଇଥିବା ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ଗୋଟିଏ ପୁଅଙ୍କୁ ଚିକିତ୍ସା ଲାଗି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁ’ର ଅନ୍ୟ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି। ଖବର ପାଇ ବାଘମାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବୋମାମାଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଆସିଥିବା ଅନୁମାନ କରାଯାଉଛି।