ରିପବ୍ଲିକ ଟିଭି ଓ ଟାଇମ୍ସ ନାଓ ବଲିଉଡ୍‌କୁ ବଦନାମ କରୁଥିବା ଅଭିଯୋଗ ଆଣି ଦିଲ୍ଲୀ ହାଇକୋର୍ଟ ଗଲେ ଶାହାରୁଖ, ଅମୀର, ସଲମାନଙ୍କ ସମେତ ୩୪ ଚଳଚ୍ଚିତ୍ର ନିର୍ମାତା

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ କିଛି ନ୍ୟୁଜ୍ ଚ୍ୟାନେଲ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପ୍ରତି ଅପମାନଜନକ ରିପୋର୍ଟ କରୁଥିବା ଅଭିଯୋଗ ଆଣିଛନ୍ତି କିଛି ପ୍ରତିଷ୍ଠିତ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତା । ସୋମବାର ବଲିଉଡ ଅଭିନେତା ଶାହରୁଖ ଖାନ, ସଲମାନ ଖାନ, ଅମୀର ଖାନଙ୍କ ସମେତ କରଣ ଜୋହର ଏବଂ ରୋହିତ ଶେଟ୍ଟୀଙ୍କ ପରି  ବଲିଉଡର ଅଗ୍ରଣୀ ଚଳଚ୍ଚିତ୍ର ନିର୍ମାତା ଏବଂ ସଂଗଠନମାନେ ନ୍ୟୁଜ୍ ଚ୍ୟାନେଲ ରିପବ୍ଲିକ ଟିଭି ଓ ଟାଇମ୍ସ ନାଓ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରିଛନ୍ତି । ଏହି ଦୁଇଟି ଚ୍ୟାନେଲକୁ ଚଳଚ୍ଚିତ୍ର ଶିଳ୍ପ ପ୍ରତି ଦାୟିତ୍ଵହୀନ ତଥା ଅପମାନଜନକ ମନ୍ତବ୍ୟ ପ୍ରକାଶ ନକରିବାକୁ ଏବଂ  ଇଣ୍ଡଷ୍ଟ୍ରି ଲୋକଙ୍କ ବିରୋଧରେ ମିଡିଆ ଟ୍ରାଏଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ମାମଲାରେ ଦର୍ଶାଯାଇଛି।

ଦିଲ୍ଲୀ ହାଇକୋର୍ଟରେ ଦାୟର ମାମଲାରେ ଶାହରୁଖ ଖାନ, ସଲମାନ ଖାନ, ଅମୀର ଖାନ, କରଣ ଜୋହର ଏବଂ ରୋହିତ ଶେଟ୍ଟୀ ବ୍ୟତିତ  ଦି ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆ, ସିନେ ଏବଂ ଟିଭି କଳାକାର ସଂଘ, ଚଳଚ୍ଚିତ୍ର ଏବଂ ଟିଭି ଉତ୍ପାଦକ ପରିଷଦ ଏବଂ ସ୍କ୍ରିନ୍ ରାଇଟର୍ସ ଆସୋସିଏସନ୍ ଭଳି ସଙ୍ଗଠନ ବଲିଉଡକୁ ବଦନାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି ଯେ  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ କଳାକାର ଡ୍ରଗ୍ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ନ୍ୟୁଜ୍ ଚ୍ୟାନେଲ ଟାର୍ଗେଟ କରୁଛନ୍ତି । ଏଥି ସହିତ ଚଳଚ୍ଚିତ୍ର ନିର୍ମାତା ଏବଂ ବଲିଉଡର ବିଭିନ୍ନ ସଂଗଠନମାନଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଛି ଯେ ଚଳଚିତ୍ର ଶିଳ୍ପ ସହ ଜଡିତ ବ୍ୟକ୍ତିବିଶେଷଙ୍କୁ ଗୋପନୀୟତା ଅଧିକାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରାଯାଇଛି। ରିପବ୍ଲିକ୍ ଟିଭି, ଏହାର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ସାମ୍ବାଦିକ ପ୍ରଦିପ ଭଣ୍ଡାରୀ, ଟାଇମ୍ସ ନାଓ , ଏହାର ସମ୍ପାଦକ ରାହୁଲ ଶିବଶଙ୍କର, ଗ୍ରୁପ ସମ୍ପାଦକ ନବିକା କୁମାର ବିଭିନ୍ନ ସମୟରେ ବଲିଉଡ ଉପରେ ବିଭିନ୍ନ ଦାୟିତ୍ଵହୀନ ତଥା ଅପମାନଜନକ ମନ୍ତବ୍ୟ ପ୍ରକାଶ କରୁଛନ୍ତି । ଏଥି ସହିତ ସୋସିଆଲ୍ ମିଡିଆରେ ମଧ୍ୟ ବଲିଉଡ ବିରୋଧରେ ସେ ଅପମାନଜନକ ତଥା ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି । ଏହା ଉପରେ ଉପରେ ପ୍ରତିବନ୍ଧକ ଲଗାଇବାକୁ ପିଟିସନରେ ଦାବି କରାଯାଇଛି ।

ଡିଏସକେ ଲିଗାଲ୍ ଫର୍ମ ଦ୍ବାରା  ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ ଏହି ଚ୍ୟାନେଲଗୁଡିକ ବଲିଉଡ ପାଇଁ ଅତ୍ୟନ୍ତ ଅପମାନଜନକ ଶବ୍ଦ ବ୍ୟବହାର କରୁଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏହି ନ୍ୟୁଜ୍ ଚ୍ୟାନେଲଗୁଡିକ ବଲିଉଡକୁ ଅପରିଷ୍କାର ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି ଏବଂ ବଲିଉଡରୁ ଯଥାଶିଘ୍ର ବ୍ୟାପିଥିବା ଅପରିଷ୍କାରକୁ ପରିଷ୍କାର କରିବା ଆବଶ୍ୟକ । ଏହା ସହ ବଲିଉଡକୁ ଦେଶର ସବୁଠୁ ବଡ ଅପରିଷ୍କାର ଶିଳ୍ପ ବୋଲି ମଧ୍ୟ କୁହାଯାଇଥିବା ପିଟିସନରେ କୁହାଯାଇଛି ।

Comments are closed.