ମନରେଗା ଯୋଜନାରେ ବଲିଉଡ ନାୟିକା ଦୀପିକା

ଭୋପାଳ: ବଲିଉଡର ଦାମୀ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ତାଙ୍କ ଭଳି ୧୧ ଅଭିନେତା ଅଭିନେତ୍ରୀଙ୍କ ନାମରେ ମଧ୍ୟପ୍ରଦେଶରେ ମନରେଗା ଯୋଜନା ଜବ କାର୍ଡ ରହିଛି। ଖାର୍ଗନ୍ ଜିଲାର ଝିର୍ଣ୍ଣିଆ ପଞ୍ଚାୟତର ପିପରଖେଡ଼ା ନାକା ଗ୍ରାମରୁ ଏହି ଜବ କାର୍ଡ ଠାବ କରାଯାଇଛି। ଏହି କାର୍ଡ ଆଧାରରେ ପ୍ରବାସୀ ଶ୍ରମିକ ଭାବେ ସେମାନଙ୍କୁ ଶତ ପ୍ରତିଶତ କାର୍ୟ୍ୟଦିବସ ଓ ମଜୁରି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା ଏବଂ ଏଗୁଡ଼ିକ ଜାଲ୍ ଜବ କାର୍ଡ ବୋଲି ରିପୋର୍ଟ ମିଳିଛି। ଅନ୍ୟ ଯେଉଁମାନଙ୍କ ନାମରେ ଏଭଳି କାର୍ଡ ଠାବ କରାଯାଇଛି ସେମାନେ ହେଉଛନ୍ତି ସୋନୁ ଶାନ୍ତିଲାଲ, ମନୋଜ ଦୁବେ ପ୍ରମୁଖ। ଏମିତିକି କାର୍ଡରେ ଶାନ୍ତିଲାଲଙ୍କ ପତ୍ନୀଙ୍କ ସ୍ଥାନରେ ଦୀପିକାଙ୍କ ଫଟୋ ଲଗାଯାଇଥିବା ଦେଖିବାକୁ ମିଳିଛି।

ଏହି ନକଲି ଜବ କାର୍ଡ ବଳରେ ପୋଖରୀ ଖୋଳା, କେନାଲ ମରାମତି କାମ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ସୂଚନା ମିଳିଛି। ମନୋଜ ଦୁବେଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କାରୁ ମାସିକ ୩୦ହଜାର ଟଙ୍କା ଉଠାଯାଇଥିବା ପ୍ରକାଶ। ମନୋଜ ଓ ଶାନ୍ତିଲାଲ ଏଭଳି କାର୍ଡ, କାମ କିମ୍ବା ଟଙ୍କା ବିଷୟରେ ଆଦୌ କିଛି ଜାଣି ନ ଥିବା କହିଛନ୍ତି। ଏହି ଘଟଣାର ବିସ୍ତୃତ ତଦନ୍ତ ଚାଲିଛି।

Comments are closed.