ଲଲିତ ନା ସଙ୍ଗୀତା ! କିଏ କଲା କମ୍ପ୍ରୋମାଇଜ ?

ବଲାଙ୍ଗିର: ବଲାଙ୍ଗିର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବିଗତ ଦିନର ଘଟଣାବଳୀ ଓ ବର୍ତ୍ତମାନ ସ୍ଥିତିରେ ଢେର ପରିବର୍ତ୍ତନ ହୋଇଥିବା ବେଳେ ତାକୁ ନେଇ ବଲାଙ୍ଗିର ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଶୁକ୍ରବାର ସନ୍ଧ୍ୟାରେ ପାଟଣାଗଡର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ବଲାଙ୍ଗିର ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି। ଫଟୋରେ ଖୋଦ ସିଂହଦେଓଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ବିଜେଡି ନେତା ଲଲିତ କୁମାର ନାୟକଙ୍କ ସମେତ ଅନ୍ୟମାନେ ରହିଛନ୍ତି। ଏହି ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଲା ପରେ ବଲାଙ୍ଗିର ସହରରେ ଆଲୋଚନାର ବିଷୟ ହୋଇଛି।

୨୦୧୯ ମସିହା ଅଗଷ୍ଟ ୧୭ ତାରିଖ। ବଲାଙ୍ଗିର ବନ୍ୟା ପରେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସହ ସାଂସଦ ସଙ୍ଗୀତା ଓ କନକ ବର୍ଦ୍ଧନ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ହେଲିକେପ୍ଟର ଯୋଗେ ବଲାଙ୍ଗିରକୁ ଆସିଥିଲେ। ପ୍ରଥମେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ଦେଖି ସାରିବା ପରେ ସହରର ବରପାଲି ପଡା ବ୍ରିଜ ଅଞ୍ଚଳରୁ ସିଧା ସିଡିଏମଓଙ୍କ ସମ୍ମିଳନୀ କକ୍ଷକୁ ବନ୍ୟା ସମୀକ୍ଷା ପାଇଁ ଆସିଥିଲେ। ହେଲେ ସିଡିଏମଓଙ୍କ କାର୍ଯ୍ୟାଳୟ ଆସିବା ପୂର୍ବରୁ ହିଁ ସଙ୍ଗୀତାଙ୍କୁ ଲଲିତ ଓ ତାଙ୍କ ସମର୍ଥକ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲଲିତଙ୍କ ସମର୍ଥକ ଓ ବିଜେପି କର୍ମୀଙ୍କ ମଧ୍ୟରେ ବେଶ କିଛି ସମୟ ଧରି ହାତାହାତି ହୋଇଥିଲା। ପୁଲିସ ଘଟଣାସ୍ଥଳରେ ଥିଲେ ହେଁ କୌଣସି ପଦକ୍ଷେପ ନେଇନଥିଲା। ଯାହା ଫଳରେ ସିଡିଏମଓ ଅଫିସ ରଣକ୍ଷେତ୍ର ପାଲଟିଥିଲା। ଲଲିତ ସଙ୍ଗୀତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ।

ହାଇକୋର୍ଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସହ ବଲାଙ୍ଗିର ମିଳିତ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ହେବାକୁ ଥିବା ବେଳେ ଲଲିତ ମଧ୍ୟ ପ୍ରତିନିଧି ମଣ୍ଡଳୀ ସହ ଯାଇଥିଲେ। ହେଲେ ସଙ୍ଗୀତା ତାଙ୍କୁ ସେଠାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କ ଚେମ୍ବରରୁ ବାହାରି ଯିବାକୁ କହିଥିଲେ। ଯାହା ବଲାଙ୍ଗିରବାସୀଙ୍କ ପ୍ରତି ଘୋର ଅପମାନ ବୋଲି ଲଲିତ ନିଜେ ଗଣମାଧ୍ୟମ ଆଗରେ ଅଭିଯୋଗ କରିବା ସହ ଅପମାନ କା ବଦଲା ଅପମାନ ବୋଲି ନାୟକ କହିଥିଲେ। ଏହା ସହ ସଙ୍ଗୀତା ମୁର୍ଦ୍ଦାବାଦ ବୋଲି ନାରା ଦେଉଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ନାରା ଦେଇଥିଲେ।

ପ୍ରାୟ ଦୀର୍ଘ ସାଢେ ୩ ମାସ ପରେ ପୁଣି ସେଇ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ ଦୁହେଁ ଏକାଠି ହସହସ ମୁହଁରେ ଫଟୋ ପୋଜ ଦେବା ଦୁହିଁଙ୍କ ମଧ୍ୟରେ ଠିକ ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଫଟୋ ଲୋକେ ଦେଖିଲା ପରେ କମ୍ପ୍ରୋମାଇଜ କଲା କିଏ? ଲଲିତ ନା ସଙ୍ଗୀତା ବୋଲି ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚାଏ ପେ ଚର୍ଚ୍ଚାରେ ଏହି ବିଷୟ ଆଲୋଚନାର ଖୋରାକ ଯୋଗାଇଛି।

Comments are closed.