ବଲାଙ୍ଗିରରେ ସଟ୍‍ଡାଉନ୍‍, ରାସ୍ତା ଘାଟ ଶୂନଶାନ

ବଲାଙ୍ଗିର: କରୋନାର ଦ୍ୱିତୀୟ ଲହର। ଛତିଶଗଡ ରାଜ୍ୟ ସୀମାନ୍ତ ନୂଆପଡ଼ା, କଳାହାଣ୍ଡି ଜିଲା ଭଳି ବଲାଙ୍ଗିର ଜିଲାରେ ବି ଛନକା ଭରିଛି ଛତିଶଗଡ। ବିଶେଷ କରି କଣ୍ଟାବାଞ୍ଜିରୁ ଆରମ୍ଭ କରି ପାଟଣାଗଡ ଓ ଟିଟିଲାଗଡ ସହ ବଲାଙ୍ଗିର ସହର ତଥା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ସଟ୍‍ଡାଉନ୍‍ ସହ ସନ୍ଧ୍ୟା ୬ରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ। ଶନିବାର ଭଳି ରବିବାର ମଧ୍ୟ ସଟ୍‍ଡାଉନ୍‍ ସହ ରାତ୍ରି କର୍ଫ୍ୟୁ ଲୋକଙ୍କୁ ବିଚଳିତ କରୁଛି। ସେହିପରି ସୋମବାରରୁ ଶୁକ୍ରବାର ଯାଏ ସନ୍ଧ୍ୟାରୁ ରାତ୍ରିକାଳୀନ କର୍ଫ୍ୟୁ ନେଇ ବି ଲୋକେ ଅଥୟ ହେଲେଣି। ସ୍ୱାଭାବିକ ହେଉଥିବା ଜନଜୀବନ ପୁଣିଥରେ ଥରହର କଲାଣି। ପ୍ରବାସୀ ଲୋକେ ପୁଣି ଘର ମୁହାଁ ହେଲେଣି।

ଆଜି ୯୨ଜଣ ଜିଲାରେ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ଦେଓଗାଁ ବ୍ଲକ ବନ୍ଧପଡ଼ା ହାଇସ୍କୁଲ ୧୦ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହେବା, ଆଗଧାଡିର କରୋନା ଯୋଦ୍ଧା କୁହାଯାଉଥିବା ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୁଲିସ, ଶିକ୍ଷକ, ଶିକ୍ଷୟିତ୍ରୀ ସଂକ୍ରମିତ ହେଉଥିବାରୁ ଏବେ ଜିଲାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। କରୋନା ଦ୍ୱିତୀୟ ଲହରର ପ୍ରଥମ ସପ୍ତାହନ୍ତ ସଟ୍‍ଡାଉନ୍‍ ଯୋଗୁଁ ଘାଇଲା ହେଲେଣି ସାଧାରଣ ଲୋକେ। ପୁଣିଥରେ ସଟ୍‍ଡାଉନ୍‍ ଓ ଲକ୍‍ଡାଉନ୍‍ ହୁଏ ତା’ହେଲେ ପ୍ରଥମ ପର୍ଯ୍ୟାୟଠାରୁ ସାଂଘାତିକ ହେବ ବୋଲି ଆକଳନ କରାଗଲାଣି।

Comments are closed.