ବଲାଙ୍ଗିରରେ ସପ୍ତାହାନ୍ତ ବନ୍ଦର ଭିନ୍ନ ଛବି

ବଲାଙ୍ଗିର: ଶନିବାର, ସପ୍ତାହାନ୍ତ ବନ୍ଦ। ତେବେ ବଲାଙ୍ଗିର ଜିଲାରେ ଆଜି ୨୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲାରେ ୧୧ ହଜାର ୨୯୪ ସଂକ୍ରମିତ ହୋଇଥିବା ବେଳେ ୯ ହଜାର ୫୫୧ ଜଣ ସୁସ୍ଥ ହେଲେଣି। ୧୬୯୪ ଜଣ କୋଭିଡ ଡାକ୍ତରଖାନା, କୋଭିଡ ସେବା କେନ୍ଦ୍ର ବଲାଙ୍ଗିରୀ ଓ ଟିଟିଲାଗଡରେ ଚିକିତ୍ସିତ ହେଉଛନ୍ତି। ଶନିବାର ଜିଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସର୍ବାଧିକ ସଂକ୍ରମିତ ପୁଇଁନ୍ତଲା ଅଙ୍କରିଆପଦର ୨୦ ଜଣ, ସଇଁନ୍ତଲା କଁସରରେ ୧୨ଜଣ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ପୌରାଞ୍ଚଳରେ ସର୍ବାଧିକ ସଂକ୍ରମିତ ଥିବା ବେଳେ ବିଶେଷ କରି ଗ୍ରାମାଞ୍ଚଳରେ ସଂକ୍ରମଣ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ତେବେ ସପ୍ତାହନ୍ତ ବନ୍ଦକୁ ନେଇ ଆଜି ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।

ବଣିକ ସଂଘ ବନ୍ଦ ଡାକରା ନେଇ ବିଭ୍ରାନ୍ତି
ଟିଟିଲାଗଡ, କଣ୍ଟାବାଞ୍ଜି ସହ ଅନ୍ୟାନ୍ୟ ବ୍ଲକ ଅଞ୍ଚଳରେ ଦୋକାନୀମାନେ ଆଲୋଚନା କରି ସପ୍ତାହାନ୍ତ ବନ୍ଦ ସହ ପରବର୍ତ୍ତୀ ସମୟରେ ବନ୍ଦ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗିରରେ ୧୦ ଦିନିଆ ବନ୍ଦ ଡାକରା ବଣିକ ସଂଘ ଦେଇଥିବା ଏ କାନରୁ ସେ କାନ ହୋଇଥିଲା। ଏମିତି ପ୍ରଚାର ହୋଇଥିଲା ଯେ ଲୋକେ ଭୟଭୀତ ହୋଇଥିଲେ। ତେବେ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ସେ ବନ୍ଦ କରିବା ଠିକ୍‍ ନା ଭୁଲ ହେବ ବୋଲି ପ୍ରତିକ୍ରିୟା ଲୋଡିଥିଲେ। ସକରାତ୍ମକ ଓ ନକରାତ୍ମକ ପ୍ରତିକ୍ରିୟା ମିଳିଥିଲା। ତେବେ ସପ୍ତାହନ୍ତ ବନ୍ଦ ଛଡ଼ା ଅନ୍ୟ ସମୟରେ ବନ୍ଦ ନେଇ କୌଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି ଶ୍ରୀ ପାଣିଗ୍ରାହୀ।

କେଉଁ ଛକରେ କେମିତି ପୁଲିସ
ଶନିବାର ସପ୍ତାହାନ୍ତ ବନ୍ଦ ଯୋଗୁଁ ସହରର ଛକ ବଜାରରେ ପୁଲିସ ଓ ଟ୍ରାଫିକ୍‍ ପୁଲିସ ମୁତୟନ ହୋଇଥିଲେ। ପୁଲିସ ମହାନିର୍ଦ୍ଦେଶକ ଆସିବା ଦିନ ସମସ୍ତ ଟ୍ରାଫିକ ପୁଲିସ ଛତା ଧରି ତୟାର ଥିବା ବେଳେ ଆଜି ଜଣଙ୍କୁ(ପାଟଣା ହୋଟେଲ ଛକରେ) ଛାଡି ଦେଲେ ଆଉ କାହା ହାତରେ ଛତା ନଥିଲା। ଭାଗିରଥୀ ଛକରେ ଜଣେ ପୁଲିସ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କୁ ତାଙ୍କ ଫଟୋ ଉଠାଇବାକୁ ଅଙ୍ଗଭଙ୍ଗି ଦେଉଥିବା ବେଳେ ଛକରେ ଥିବା ଫଳ ରସ ଦୋକାନରେ ଟ୍ରାଫିକ୍‍ ପୁଲିସ, ହୋମଗାର୍ଡ ଫଳ ରସର ମଜା ନେଉଥିଲେ। ସେହିପରି କଚେରୀ ଛକ ଓ ପାଟଣା ଛକରେ ଯାଞ୍ଚ କଡ଼ା କଡ଼ି କରାଯାଉଥିବା ଦେଖିବାକୁ ମିଳିଥିଲା।

ଡହ ଡହ ଖରାରେ ପାଣି ପାଇପ୍‍
ସବୁବେଳେ ଗାଡି ମଟର ଗଡୁଥାଏ। ତେଣୁ କାମ କରିହୁଏନି। ସପ୍ତାହାନ୍ତ ବନ୍ଦ ପାଇଁ କଚେରୀ ଛକରୁ ପାଟଣାଗଡ ଯିବା ରାସ୍ତାରେ ପ୍ରାୟ ୩ ଫୁଟ ପିଚୁ ଓ ମାଟି ଖୋଳି ଝାଳ ନାଳ ହୋଇ କାମ କରୁଥିଲେ ଗର୍ଜନ ଭୁଏ ଓ କନ୍ଧପାଲି ପଡ଼ାର ଦିନ ବଗର୍ତ୍ତି। ପିଏଚ୍‍ଡି ପାଇପ୍‍ରୁ ପାଣି ଝରୁଥିବାରୁ ସମସ୍ୟା ହୋଇପାରେ। ଏହି ଆଶଙ୍କାରେ ସେମାନେ ମରାମତି କରୁଥିବା କହିଥିଲେ।

ହାଡୁଙ୍କ ଭରସା ଲଟା
ସ୍ଥାନୀୟ ତୁଲସୀ ନଗର ଝାଟିମାଟି ଘରେ ରୁହନ୍ତି ହାଡୁ ମେହେର। ଏବେ ପ୍ରବଳ ଗରମ। ଦିନ କ’ଣ ରାତିରେ ବି ରହି ହେଉନି। ଆଗକୁ ଖରା ଅଧିକ ହେବ। ସହିବା କଷ୍ଟକର। ଜେଲ୍‍ ପାଖ ବେହେରାପାଲି ନାଳରେ ଥିବା ବଡ ବଡ ଲଟା କାଟି ବୋଝେଇବା ସହ ସେ ରିକ୍ସାରେ ନେଉଥିଲେ। ବନ୍ଦ ପାଇଁ କାଁ ଭାଁ ଲୋକ ଥିବା ବେଳେ ଲଟା ନେଇ କାହିଁକି ଯାଉଛନ୍ତି ପଚାରିବାରୁ ଖରାରୁ ମୁକ୍ତି ପାଇବା ପାଇଁ ଆଜବେଷ୍ଟସ ଉପରେ ଏହି ଲଟା ବିଛାଇ ଦେଲେ କମ୍‍ ଗରମ ହେବ କହିଥିଲେ ହାଡୁ।

ସପ୍ତାହାନ୍ତରେ ଚଢା ଦର
ସପ୍ତାହାନ୍ତ ବନ୍ଦ ପାଇଁ ସବୁଠି ତାଲା। ଦୋକାନ ବଜାରୁ ଆରମ୍ଭ କରି ହୋଟେଲ, ପାନ ପୁଡ଼ିଆ ଦୋକାନ। କିନ୍ତୁ ଡାକ୍ତରଖାନା ଛକରେ ଥିବା ଏକ ଦୋକାନରେ ପୁଡ଼ିଆ ମହଜୁଦ। ଜାଣିବା ଲୋକେ ଗଲେ ଶନିବାର ଦାମ୍‍ ବଢି ଯାଇଛି ଶୁଣିବାକୁ ମିଳୁଥିଲା। ସବୁଥିରେ ଚଢା ଦରରେ ବିକ୍ରି କରୁଥିବା ବେଳେ ଲୁଚା ଛପାରେ ଜଳଖିଆ ବିକ୍ରି କରୁଥିବା ଦୋକାନୀ ବି ଚଢା ଦରରେ ବିକ୍ରି କରୁଥିଲେ। ୫ ଟଙ୍କିଆ ସିଙ୍ଗଡା ଶନିବାର ୮ ଟଙ୍କା ହେଇଯାଇଥିଲା। ଚଢା ଦରକୁ ନେଇ ଲୋକେ ଅସନ୍ତୁଷ୍ଟ ହେଉଥିଲେ।

Comments are closed.