ବଲାଙ୍ଗୀର ସହରରେ ଦିନକୁ ଦିନ ବିଗୁଡୁଛି ପରିମଳ ବ୍ୟବସ୍ଥା- ସଫେଇ କାର୍ଯ୍ୟ ତଦାରଖ କରୁଛନ୍ତି ପୌରାଧ୍ୟକ୍ଷା

ବଲାଙ୍ଗିର – ଦିନକୁ ଦିନ ବଲାଙ୍ଗିର ସହରର କଳେବର ଓ ଜନସଂଖ୍ୟା ବଢି ବଢି ଚାଲିଛି । ସେହି ଅନୁସାରେ ଅସ୍ୱଚ୍ଛ ହେଉଛି ସହର । ଆବର୍ଜନାର ଭୂସ୍ୱର୍ଗରେ ପରିଣତ ହୋଇଛି । ପଡ଼ା ପଡ଼ାରେ ଅଳିଆ ଆବର୍ଜନା ଜମି ରହୁଥିବା ବେଳେ ପୌରପାଳିକା କିଛି କରୁ ନଥିବା ଲୋକେ ଅଭିଯୋଗ କରୁଛନ୍ତି । ଠିକ୍‌ ଭାବେ ସଫେଇ ହେଉ ନଥିବା ଲୋକେ କହୁଛନ୍ତି । କିନ୍ତୁ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରତିକ୍ରିୟାରେ ବର୍ତ୍ତମାନର ପୌରାଧ୍ୟକ୍ଷା ଯାହା ପ୍ରତିଶ୍ରୁତି ଦେଉଥିଲେ ତାହା କରାଯାଉଥିବା ଦେଖିବାକୁ ମିଳୁଛି । ସମୟ ଲାଗିବ, ହେଲେ ସଫେଇ ଅଭିଯାନକୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।

ବଲାଙ୍ଗିର ସହରର ଛକ, ବଜାର, ଗଳି ହେଉ କି ଡ୍ରେନ । ସବୁଠି କୁଢ କୁଢ ଅଳିଆ । ପୌରପାଳିକାର ସଫେଇ କର୍ମଚାରୀମାନେ ସଫେଇ କରୁଛନ୍ତି । ଟ୍ରାକ୍ଟରରେ ପ୍ରତିଦିନ । ଅଳିଆ ବୁହା ହେଉଛି ସେହିପରି ୱାର୍ଡ ୱାର୍ଡ ବୁଲି ସ୍ୱଚ୍ଛ ସଫେଇ ଗାଡି ଘରୁ ଘରୁ ଆବର୍ଜନା ପ୍ରକ୍ରିୟାକରଣ ପାଇଁ ନେଉଛନ୍ତି । ସହରର ସଫେଇ ବ୍ୟବସ୍ଥା ନେଇ ଲୋକେ କ୍ଷୁବ୍ଧ ହେବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି । ପୌର ନିର୍ବାଚନ ପୂର୍ବରୁ ପୌରପାଳିକା ପକ୍ଷରୁ ୨୧ ନମ୍ବର ୱାର୍ଡରୁ ସଫେଇ ଅଭିଯାନ ଜୋରଦାର କରାଯାଇଥିଲା । ତା’ପରେ ଜୋରଦାର ସଫେଇ ଅଭିଯାନ ମନ୍ଥର ହୋଇଗଲ । ଏହାକୁ କେବଳ ପୌରପାଳିକାର ପ୍ରଚାର ପ୍ରସାର ଅଭିଯାନ ବୋଲି ସହରବାସୀ ଅଭିଯୋଗ କଲେ । ତେବେ ପୌର ନିର୍ବାଚନ ବେଳେ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବର୍ତ୍ତମାନର ପୌରାଧ୍ୟକ୍ଷା ଲିକା ସାହୁ ପ୍ରତିକ୍ରିୟାରେ ସହରର ସଫେଇ ବ୍ୟବସ୍ଥାକୁ ପ୍ରାଥମିକତା ଦେବି ବୋଲି କହିଥିଲେ । ତା’ପରେ ରାସ୍ତାଘାଟ, ବନ୍ଧକଟାର ଉନ୍ନତିକରଣ, ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ କାମ କରିବି କହିଥିଲେ । ଫୋନ୍‌ରେ ଗଣମାଧ୍ୟମକୁ ଅଳିଆ ଆବର୍ଜନା ଗଦା ହୋଇ ରହୁଥିବା ଅଭିଯୋଗ ହେଉଥିବା ବେଳେ ପୌରପାଳିକାକୁ କହିଲେ କେହି ଶୁଣୁ ନଥିବା କୁହାଯାଉଛି । ତେବେ ଇତି ମଧ୍ୟରେ ଖୋଦ୍‌ ପୌରାଧ୍ୟକ୍ଷା ଲିକା ସାହୁ ୧, ୨, ୯ ନମ୍ବର ୱାର୍ଡ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି । ସଫେଇ କର୍ମଚାରୀମାନେ ଡ୍ରେନ ସଫା କରୁଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ନିଜେ କାଉନ୍‌ସିଲର୍‌ଙ୍କୁ ଧରି ସେଠାରେ କାମ ତଦାରଖ କରୁଥିବା ଦେଖିବାକୁ ମିଳୁଛି । କାମ ଓ ଅନ୍ୟାନ୍ୟ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ ପାଇଁ ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଓ ଅନ୍ୟମାନଙ୍କୁ ସାଙ୍ଗରେ ନେଉଛନ୍ତି । ଏପରିକି ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ମଧ୍ୟ ବିଭିନ୍ନ ପଡ଼ାକୁ ଯାଇ ସଫେଇ କାର୍ଯ୍ୟ ତଦାରଖ କରୁଛନ୍ତି । ଆଗକୁ ବର୍ଷା ଆସୁଥିଲେ ବି ସହରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହାକୁ ପାଳନ କରିବା ଦାୟିତ୍ୱ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି । ତେବେ ଅଳିଆ ଉଠାଇବା ପାଇଁ ପୌରପାଳିକାରେ ଏକ ଯୋଗାଯୋଗ ନମ୍ବର ଜାରି କରାଗଲେ ଲୋକେ ଅଭିଯୋଗ କରନ୍ତେ । ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସଫେଇ କରାଗଲେ ଏହି ଅଭିଯାନ ଜୋର ଧରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Comments are closed.