କିଏ ବୁଝିବ ୨ଶିଶୁ କନ୍ୟାଙ୍କ ଦୁଃଖ; ପରପାରିରେ ବାପା ମା’

ବଲାଙ୍ଗିର/କଣ୍ଟାବାଞ୍ଜି: ୮ମାସ ତଳେ ବଡ ବୋହୂ କ୍ୟାନସରରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ । ମା’ ଛେଉଣ୍ଡ ହୋଇଯାଇଥିଲେ ୨ ଝିଅ । ତେବେ ବାପା ସେମାନଙ୍କ ଦେଖାଶୁଣା କରୁଥିଲେ । ଅସ୍ଥାୟୀ ଭାବେ ରେଳବାଇରେ କାମ କରିବା ସହ ଛୁଆଙ୍କୁ ଭଲ ସ୍କୁଲରେ ପଢାଇବା ପାଇଁ ଇଡଲି, ଦୋଷା ବିକ୍ରି କରୁଥିଲେ । କିନ୍ତୁ ନିୟତିର ଖେଳ ବଡ ଅଜବ । ପ୍ରଥମେ ବାପାଙ୍କ ବାପା(ଜେଜେ ବାପା) ଅସୁସ୍ଥ ହୋଇ ଆରପାରିକୁ ଚାଲିଗଲେ । ଆଉ ଜେଜେ ବାପାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ବାପା(ବଡ ପୁଅ) ବି ଆଖି ବୁଜିଦେଲେ । ଅନାଥ ହୋଇଯାଇଛନ୍ତି ୨ ଝିଅ । ଏଭଳି ଦୁଃଖଦ ଖବର ଆସିଛି କଣ୍ଟାବାଞ୍ଜି ସହରର ଆଶ୍ରମପଡ଼ାରୁ ।

ଆଶ୍ରମ ପଡ଼ାର ବାସିନ୍ଦା ଗନ୍ଧର୍ବ ଥାପା(୫୭) । ଗନ୍ଧର୍ବ ରେଳବାଇରେ ଗ୍ୟାଙ୍ଗ ମ୍ୟାନ ଭାବେ କାମ କରୁଥିଲେ । ଦେହର ଅଧିକାଂଶ ସମୟ ଅସୁସ୍ଥ ରହୁଥିବାରୁ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତାଙ୍କ ବଡ ପୁଅ ଧନେଶ୍ୱର ଥାପା(୩୨) ସେହି କାମରେ ନିୟୋଜିତ ହୋଇଥିଲେ । ତେବେ ୫ ବର୍ଷ ଓ ୩ ବର୍ଷର ୨ ଝିଅଙ୍କୁ ଭଲ ସ୍କୁଲରେ ପଢାଇବା ପାଇଁ ଧନେଶ୍ୱର କାମ ସହ ସହରରେ ଇଡଲି ଓ ଦୋଷା ବିକ୍ରି କରୁଥିଲେ । ହେଲେ ହଠାତ୍‌ ମଙ୍ଗଳବାର ସନ୍ଧ୍ୟାରେ ଗନ୍ଧର୍ବ ଅସୁସ୍ଥ ହୋଇପଡିଥିଲେ । ଫଳରେ ତାଙ୍କୁ ପୁଅ ଦେବାର୍ଚ୍ଚନ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଗନ୍ଧର୍ବଙ୍କୁ ମୃତ ଘୋଷଣା କରିଥିଲେ । ଆଉ ବୁଧୁବାର ସକାଳେ ତାଙ୍କ ବଡ ପୁଅ ଧନେଶ୍ୱର ଗୁରୁତର ଅସୁସ୍ଥ ହୋଇଥିଲେ । ତାଙ୍କୁ ପରିବାର ଲୋକେ କଣ୍ଟବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଧନେଶ୍ୱରଙ୍କୁ ବି ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, ମୃତ ଧନେଶ୍ୱରଙ୍କ ପତ୍ନୀଙ୍କର ମଧ୍ୟ କ୍ୟାନସର କାରଣରୁ ମୃତ୍ୟୁ ହୋଇଯାଇଛି । ପ୍ରଥମେ ମା’ ଓ ପରେ ବାପା ଧନେଶ୍ୱରଙ୍କ ମୃତ୍ୟୁ ଯୋଗୁଁ ଏବେ ୨ ଝିଅ ବାପା-ମା’ ଛେଉଣ୍ଡ ହୋଇଯାଇଛନ୍ତି । ୨ ଝିଅଙ୍କ ଭରଣ ପୋଷଣ ଦାୟିତ୍ୱ ଏବେ ସାନ ଭାଇ ଦେବାର୍ଚ୍ଚନଙ୍କ କାନ୍ଧରେ । ସେ ବିଶେଷ କୌଣସି କାମ କରୁନଥିବା ବେଳେ ଗରିବ ଶ୍ରେଣୀର । ୨ ଝିଅଙ୍କୁ ସେ କେମିତି ଚଳାଇବେ ଓ ପଢାଇବେ ତାକୁ ନେଇ ଚିନ୍ତାରେ । ଅନ୍ୟପଟେ ବାପାଙ୍କ ପରେ ପୁଅ ଧନେଶ୍ୱରର ମୃତ୍ୟୁ କେଉଁ କାରଣରୁ ହେଲା ତାହା ଅସ୍ପଷ୍ଟ ରହିଛି । ଉଭୟଙ୍କ ଜୁଇ ଗୋଟିଏ ସ୍ଥାନରେ ଜଳିଛି । ଏହାକୁ ନେଇ କଣ୍ଟାବାଞ୍ଜି ଆଶ୍ରମପଡ଼ା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ଏଭଳି ବି ମୃତ୍ୟୁ ଆସେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Comments are closed.