କେନ୍ଦ୍ର-ରାଜ୍ୟର ଚାଉଳ ଖେଳ: କେନ୍ଦ୍ର କହୁଛି ଅଖାଦ୍ୟ, ଚ୍ୟାଲେଞ୍ଜ କରିବ କି ରାଜ୍ୟ!

ବଲାଙ୍ଗିର: କେନ୍ଦ୍ରୀୟ ଦଳ ସମ୍ବଲପୁର ଓ ଟିଟିଲାଗଡ଼ ମଣ୍ଡଳର ୯ଟି ଜିଲାରୁ ୧୧୨ଟି ଚାଉଳ ନମୂନା ଗତ ଫେବ୍ରୁଆରି ମାସରେ ପରୀକ୍ଷା ପାଇଁ ନେଇଥିଲେ। ସେଥିରୁ ୧୦୨ଟି ଚାଉଳ ନମୂନା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଗୁଣାତ୍ମକ ମାନ ପରୀକ୍ଷାରେ ବିଫଳ ହୋଇଛି। ୩୯ଟି ନମୂନା ଖାଇବା ଅନୁପଯୋଗୀ ଓ ୬୩ଟି ନମୂନା ଖାଇବା ଯୋଗ୍ୟ ହେଲେ ମଧ୍ୟ ନିମ୍ନମାନର ବୋଲି ତଥ୍ୟ ସାମ୍ନାକୁ ଆସିଛି। ଏଥିପାଇଁ ୬୦ରୁ ଅଧିକ ମିଲର୍‍, ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଟିମ୍‍ ରାଜ୍ୟ ଖାଦ୍ୟ ଓ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗକୁ ସୁପାରିଶ କରିଛନ୍ତି। ବଲାଙ୍ଗିର ଜିଲାର ଟିଟିଲାଗଡ଼ ମଣ୍ଡଳ ଅଧୀନରେ କଳାହାଣ୍ଡି, ନୂଆପଡ଼ା, ସୋନପୁର ଓ ବଲାଙ୍ଗିର ଜିଲା ଆସୁଛି।

ବଲାଙ୍ଗିର ଜିଲାର କଣ୍ଟାବାଞ୍ଜି, ଚାରଭଟା ଓ ମଲମୁଣ୍ଡା ଗୋଦାମରୁ ଚାଉଳ ନମୂନା ନେଇଥିଲେ କେନ୍ଦ୍ରୀୟ ଦଳ। ନମୂନା ସଂଗ୍ରହ ବେଳେ ଏଫଏକ୍ୟୁ ମାନର ଥିବା କହିଥିଲେ। କିନ୍ତୁ ୨ ମାସ ପରେ ନମୂନା ନେଇ ଭିନ୍ନ ମତ ରଖିବାକୁ ନେଇ ଦୋଷ ଲଦାଲଦି ଆରମ୍ଭ ହୋଇଛି। କେନ୍ଦ୍ର-ରାଜ୍ୟ ସରକାରଙ୍କ ଚାଉଳ ଖେଳରେ କିଏ ଜିତୁଛି ତାହା ଭିନ୍ନ କଥା। କିନ୍ତୁ କେନ୍ଦ୍ରୀୟ ଦଳର ଅଭିଯୋଗକୁ ଦେଖିଲେ ମିଲର୍‍ଙ୍କୁ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ମୁଣ୍ଡରେ ବସାଇଛନ୍ତି। ଏହାକୁ ମିଲର୍‍ କି ଯୋଗାଣ ବିଭାଗ ଅଧିକାରୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଫେବ୍ରୁଆରି ୧୬ ତାରିଖରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବିତରଣ ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ୱରେ ୨୦ଜଣିଆ ଦଳ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା, ଦେବଗଡ଼, ସୋନପୁର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲାର ଚାଉଳ ଯାଞ୍ଚ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଚାଉଳ ଗୋଦାମର ଚାଉଳ ରେକର୍ଡ ସହିତ ଗୋଦାମ ଯାଞ୍ଚ କରିଥିଲେ। ସଂଗୃହିତ ନମୂନା ଦିଲ୍ଲୀ ପରୀକ୍ଷାଗାରକୁ ପଠାଯାଇଥିଲା। ୨ ମାସ ପରେ ପରୀକ୍ଷା ରିପୋର୍ଟ ଆସିଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ନୀତି ଅନୁସାରେ, ରାଜ୍ୟ ସରକାରଙ୍କ ଏଜେଣ୍ଟ ଭାବେ ପେକ୍ସ ଚାଷୀଙ୍କଠାରୁ ଧାନ କିଣେ। ଚାଉଳ ପାଇଁ ମିଲର୍‍ଙ୍କୁ ଦିଆଯାଏ। ମିଲର୍‍ ସେହି ଧାନକୁ ଚାଉଳ କରି ଯୋଗାଣ ବିଭାଗକୁ ଦେଇଥାନ୍ତି।

ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ବିତରଣ ବ୍ୟବସ୍ଥାରେ ସେହି ଚାଉଳ ରାସନକାର୍ଡଧାରୀ, ସ୍କୁଲ ବିଦ୍ୟାର୍ଥୀଙ୍କୁ ମଧ୍ୟାହ୍ନ ଭୋଜନ, ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‍)ରେ ଶିଶୁଙ୍କୁ ଦିଆଯାଏ। ଲୋକଙ୍କ ପାଖକୁ ନିମ୍ନମାନର ଚାଉଳ ଯେମିତି ନପହଞ୍ଚିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଉଳର ଗୁଣାତ୍ମକ ମାନ ନେଇ ଏକ ମାପଦଣ୍ଡ ନିର୍ଦ୍ଧାରିତ ହୋଇଛି। ଗୁଣାତ୍ମକ ମାନର ଚାଉଳ ପ୍ରସ୍ତୁତ ପାଇଁ ଯୋଗାଣ ବିଭାଗକୁ ଲକ୍ଷାଧିକ ଟଙ୍କା ମିଳିଥାଏ। ମାତ୍ର ମିଲର୍‍ମାନେ ବ୍ୟକ୍ତିଗତ ଲାଭ ପାଇଁ ନିମ୍ନମାନର ଚାଉଳ ଯୋଗାଣ ବିଭାଗକୁ ଦେଇଥିବା ଯାଞ୍ଚ ରିପୋର୍ଟରେ କୁହାଯାଇଛି। ଏଥିପାଇଁ ଜିଲା ଯୋଗାଣ ଅଧିକାରୀମାନେ ମିଲର୍‍ଙ୍କୁ ସହାୟତା କରୁଥିବା ବି କୁହାଯାଉଛି। ନିୟମ ଅନୁସାରେ, ମିଲର୍‍ମାନେ ଯେତିକି ନିମ୍ନମାନର ଚାଉଳ ଦେଇଛନ୍ତି ତା’ ବଦଳରେ ସେତିକି ପରିମାଣର ଗୁଣାତ୍ମକମାନର ଚାଉଳ ବଦଳ ଦେବେ। ନଚେତ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ। ଏହି ତାଲିକାରେ ୬୦ରୁ ଉର୍ଦ୍ଧ ମିଲର୍‍ଙ୍କୁ କଳା ତାଲିକା ଭୁକ୍ତ କରିବାକୁ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ ବଲାଙ୍ଗିର ଜିଲାର କିଛି ମିଲର୍‍ ଥିବା ଆଲୋଚନା ହେଉଛି। ଯେଉଁମାନଙ୍କୁ ଜିଲା ଯୋଗାଣ ବିଭାଗ ଗେହ୍ଲା ପୁଅ କରିଥିବା ଚର୍ଚ୍ଚା ହେଉଛି ମିଲର୍‍ଙ୍କ ମଧ୍ୟରେ। ତେବେ କେନ୍ଦ୍ର ସରକାର ଚାଉଳ ପାଇଁ ଅର୍ଥ ଦେଉଥିଲେ ବି ତଦନ୍ତ ଉଭୟ ପକ୍ଷର ଉପସ୍ଥିତିରେ ହେବା କଥା। ଏକପାଖିଆ ଭାବେ ୨ ମାସ ପରେ କେନ୍ଦ୍ର ରିପୋର୍ଟକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ପୂର୍ବରୁ କେନ୍ଦ୍ରୀୟ ଦଳ ଉପକୂଳ ଓଡ଼ିଶାର ୩ଟି ଜିଲାର ଚାଉଳ ମାନ ପରୀକ୍ଷା କରିବା ସହ ନିମ୍ନମାନର ଦର୍ଶାଇ ୪ଜଣ ଧାନ କିଣା ଅଧିକାରୀ ଓ ୪ଜଣ ମାନ ପରୀକ୍ଷକଙ୍କୁ ନିଲମ୍ବିତ କରିଥିଲେ। ଜିଲା ଯୋଗାଣ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ତେବେ ଗତ ଥର ତୁଳନାରେ ଏଥର କେନ୍ଦ୍ରୀୟ ଦଳ ପରୀକ୍ଷା ରିପୋର୍ଟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଅକଳରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପଡ଼ିଛି। କେନ୍ଦ୍ରୀୟ ସୁପାରିଶ ଅନୁସାରେ ପୁଣି କାର୍ଯ୍ୟାନୁଷ୍ଠାନ ନେବେ ନା କେନ୍ଦ୍ରୀୟ ପରୀକ୍ଷାକୁ ଚ୍ୟାଲେଞ୍ଜ କରିବ ବୋଲି ତା’ ଉପରେ ସମସ୍ତଙ୍କ ନଜର। ଏସଂପର୍କରେ ବଲାଙ୍ଗିର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କ ପ୍ରତିକ୍ରିୟା ନେବାରୁ ସେ କୌଣସି ତଦନ୍ତ ରିପୋର୍ଟ ପାଇ ନାହାନ୍ତି। ତେଣୁ ପ୍ରତିକ୍ରିୟା ଦେବା ଠିକ୍‍ ହେବ ନାହିଁ କହିଛନ୍ତି।

Comments are closed.