ଦୀର୍ଘ ୭୦ ବର୍ଷ ପରେ ଜୀବନ୍ୟାସ ପାଇଲା କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’

ବଲାଙ୍ଗିର: ଦୀର୍ଘ ସତୁରୀ ବର୍ଷର ନୀରବତା ପରେ ପୁଣି ମୁଖରିତ ହୋଇଛି ବଲାଙ୍ଗିରର ସାଂସ୍କୃତିକ ପ୍ରାଣକେନ୍ଦ୍ର କୋଶଳ କଳାମଣ୍ଡଳ। ବୁଧବାର ସନ୍ଧ୍ୟାରେ କୋଶଳ କଳାମଣ୍ଡଳର ମୁଖପତ୍ର ଚତୁରଙ୍ଗ ନବ କଳେବର ହୋଇ ପୁଣି ଥରେ ପ୍ରକାଶିତ ହୋଇଛି। ଗତ ଜାନୁଆରୀରେ ଏହାର ପ୍ରଚ୍ଛଦ ବିମୋଚନ ପରେ ଆଜି ଏହାକୁ ଆନୁଷ୍ଠାନିକ ଭାବରେ କୋଶଳ କଳାମଣ୍ଡଳର ସଭାପତି ତଥା ଜିଲାପାଳ ଚଞ୍ଚଳ ରାଣା ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପତ୍ରିକାର ପ୍ରକାଶନ ଐତିହ ସମ୍ପନ୍ନ ବଲାଙ୍ଗିରର ଇତିହାସର ଏକ ନୂତନ ଫର୍ଦ ବୋଲି କହିବା ସହ କୋଶଳ କଳାମଣ୍ଡଳର ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇ ଏହାକୁ ଏକ ଐତିହ ସମ୍ପନ୍ନ କ୍ଷେତ୍ର ଉପସ୍ଥାପିତ କରାଯିବ ବୋଲି ଜିଲାପାଳ ଶ୍ରୀ ରାଣା କହିଥିଲେ। ଜନସାଧାରଣ ଏ ଦିଗରେ ସହଯୋଗ ପାଇଁ ସେ ନିବେଦନ କରିଥିଲେ।

ଏକଦା ସମଗ୍ର ଓଡିଶାରେ ନିଜର ସାରସ୍ୱତ ବୈଶିଷ୍ଟ ପାଇଁ ବହୁଳ ପ୍ରସାରିତ ତଥା ଲୋକଦୃତ ହୋଇଥିଲା ପତ୍ରିକା ଚତୁରଙ୍ଗ। ମାସିକ ଭାବରେ ପ୍ରାୟ ୫୧ଟି ସଂଖ୍ୟା ପ୍ରକାଶ ପାଇବା ପରେ ବନ୍ଦ ହୋଇଯାଇଥିବା ଏହି ପତ୍ରିକାକୁ ପୁଣିଥରେ କୋଶଳ କଳାମଣ୍ଡଳର ମୁଖପତ୍ର ଭାବରେ ତ୍ରୈମାସିକ ଭାବରେ ପ୍ରକାଶ କରାଯାଇଛି। ଚତୁରଙ୍ଗ ପ୍ରକାଶନ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,ସମ୍ପାଦନା ମଣ୍ଡଳୀର ବରିଷ୍ଠ ସଦସ୍ୟ ସନାତନ ଠାକୁର ମଞ୍ଚାସିନ ଥିଲେ। ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଡ.ଶିବପ୍ରସାଦ ନନ୍ଦ,ସମ୍ପାଦନା ମଣ୍ଡଳୀ ସଦସ୍ୟ କବି ଭାଗିରଥୀ ମିଶ୍ର, ପ୍ରଫେସର ରବିଶଙ୍କର ପାଣ୍ଡିଆ, ଚତୁରଙ୍ଗ ଐତିହାସିକ ତଥ୍ୟ ସହ ଏହାର ବ୍ୟାପକ ଗ୍ରାହୀତା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ତଥା ଚତୁରଙ୍ଗର ପରିଚାଳନା ସମ୍ପାଦଜ ବିଜୟ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ସଭାକୁ ସମ୍ପାଦନା ମଣ୍ଡଳୀ ସଦସ୍ୟ ସଂଦୀପ କୁମାର କୂଅଁର ସଂଯୋଜନା କରିଥିବା ବେଳେ ଅନ୍ୟତମ ସଦସ୍ୟ ବୀରେନ୍ଦ୍ର କୁମାର ଝାଙ୍କର ଶେଷରେ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର,କବି ଆନନ୍ଦଚନ୍ଦ୍ର ସାହୁ, କବୟତ୍ରୀ ସବିତା ମହରା,ଡା.ଜ୍ୟୋତିର୍ମୟୀ ସାହୁ,ଗୋପାଳ ପ୍ରଧାନ,ବିଷ୍ଣୁ ପ୍ରସାଦ କେଡିଆ,ବିଭୁ କଲ୍ୟାଣ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ମାସ୍କ ପରିଧାନ,ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବସ୍ଥା କରାଯାଇଥିଲା।

Comments are closed.