ବିଧବା ବୃଦ୍ଧା ଲତା ଭୋଇର ଦୁଃଖ ବୁଝିବ କିଏ ?

- ଅନ୍ତଦ୍ୟୋୟରୁ ବଞ୍ଚିତ, ମାସକୁ ମିଳୁଛି ୫ କେଜି ଚାଉଳ

ଖପ୍ରାଖୋଲ: ଗରିବ, ଅସହାୟ ତଥା ନିରାଶ୍ରୟ ବ୍ୟକ୍ତିଙ୍କୁ ସହାୟତା ଯୋଗାଇଦେବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ତଳ ସ୍ତରରେ କାମ କରୁଥିବା ସରକାରୀ କର୍ମଚାରୀ ହୁଅନ୍ତୁ ବା ଲୋକ ପ୍ରତିନିଧି, ସେମାନଙ୍କ ଆନ୍ତରିକତା ଅଭାବରୁ ଅନେକ ଯୋଗ୍ୟ ହିତାଧିକାରୀ ଦୃଷ୍ଟି ଆଢୁଆଳରେ ରହିଯାଉଛନ୍ତି। ଫଳରେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି।

ଧଣ୍ଡାମୁଣ୍ଡା ଗ୍ରାମର ଲତା ଭୋଇ। ଜଣେ ଅସହାୟା ବିଧବା ମହିଳା। ବିବାହର କିଛିଦିନ ପରେ ତାଙ୍କର ସନ୍ତାନ ସନ୍ତତି ନହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ବିଦା କରିଦେବା ସହିତ ଦ୍ୱିତୀୟ ବିବାହ କରିଥିଲେ। ପରେ ତାଙ୍କ ସ୍ୱାମୀର ମୃତ୍ୟୁ ହୋଇଥିଲା। ସେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ବାପଘର ଗ୍ରାମ ଧଣ୍ଡାମୁଣ୍ଡାରେ ଏକୁଟିଆ ରହିଆସୁଛନ୍ତି। ସେ ବିପିଏଲ୍‍ ତାଲିକାଭୁକ୍ତ ହୋଇଥିବା ବେଳେ ତାଙ୍କର କ୍ରମିକ ସଂଖ୍ୟା ୧୬୫ ରହିଛି। ସେ ଜଣେ ଅସହାୟ ତଥା ନିସନ୍ତାନ ମହିଳା ହୋଇଥିଲେ ମଧ୍ୟ ଅନ୍ତଦ୍ୟୋୟ ଅନ୍ନ ଯୋଜନାରୁ ବଞ୍ଚିତ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ହେବା ପରେ ତାଙ୍କୁ ଏହି ଅନ୍ତଦ୍ୟୋୟ ଯୋଜନାରୁ ବାଦ ଦିଆଯାଇଛି। ଅନ୍ୟ ପକ୍ଷରେ ୨୦୧୮ରେ ତାଙ୍କୁ ନୂତନ ରେସନ କାର୍ଡ ମିଳିଥିବା ବେଳେ ଏବେ ସେ ମାସକୁ ୫ କେଜି ଚାଉଳ ସରକାରଙ୍କ ଠାରୁ ପାଉଛନ୍ତି। ସେ ୨୦୧୪ ପର୍ଯ୍ୟନ୍ତ ଅନ୍ତୋଦ୍ୟୋୟ ଯୋଜନାରେ ହିତାଧିକାରୀ ରହିଥିବା ବେଳେ ମାସକୁ ୩୫ କେଜି ଚାଉଳ ପାଇଆସୁଥିଲେ। ମାତ୍ର ୩୫ କେଜି ବଦଳରେ ୫ କେଜି ଚାଉଳ କାହିଁକି ଦିଆଗଲା ସେ ନେଇ କେହି ମୁହଁ ଖୋଲୁନାହାନ୍ତି।

ବିଧବା, ଶାରିରୀକ ବିକଳାଙ୍ଗ ତଥା ନିରାଶ୍ରୟ ମହିଳା ତଥା ପୁରୁଷଙ୍କ ପାଇଁ ସରକାର ଅନ୍ତୋଦ୍ୟୋୟ ଯୋଜନା କରିଥିବା ବେଳେ ଲତାଙ୍କୁ କାହିଁକି ଏଥିରୁ ବାଦ୍‍ ଦିଆଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆଜୀବନ ଦୁଃଖିନୀ ଲତା ଦୁଃଖ ସହିସହି ନିର୍ବିକାର ହୋଇପଡିଛନ୍ତି। ଚାଉଳ କମିଗଲା ବୋଲି କେବେ କାହାକୁ ପ୍ରଶ୍ନ କରିନାହାନ୍ତି। ତେବେ ଏ ନେଇ ତାଙ୍କୁ ପଚାରିଲେ ହସିଦେଇ କୁହନ୍ତି ୫ ବର୍ଷ ହେଲା ମାସକୁ ୫ କେଜି ଚାଉଳ ପାଉଛି। ଏ ନେଇ ଧଣ୍ଡାମୁଣ୍ଡା ସରପଞ୍ଚ ଲକ୍ଷ୍ମୀ କୁମ୍ଭାରଙ୍କୁ ପଚାରିବାରୁ ମୋ ସମୟରେ ତାଙ୍କ କାର୍ଡ କଟି ନାହିଁ। ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ। ଏନେଇ ବ୍ଲକ ଯୋଗାଣ ନିରୀକ୍ଷକ ରାଜାରାମ ହୋତାଙ୍କୁ ପଚାରିବାରୁ ଟାର୍ଗେଟ ଆସିଲେ, ନଚେତ ଖାଲି ହେଲେ ତାଙ୍କ ନାମ ଅନ୍ତୋଦ୍ୟୋୟ ଯୋଜନାରେ ତାଲିକାଭୁକ୍ତ କରାଯିବ ବୋଲି କହିଛନ୍ତି। ତେବେ ସତୁରୀ ବର୍ଷର ସୁଖିଲା ପତର ବୃଦ୍ଧା ଲତା ଟାର୍ଗେଟ ଆସିବା ବେଳକୁ ଅପେକ୍ଷା କରି ରହିଥିବେ ତ? ଯଦି ଝଡିପଡିଥିବେ ତେବେ ଏହାର ଉତ୍ତର କିଏ ଦେବ?

Comments are closed.