ରାଣୀପାଲିରେ ଅଧିକାରୀଙ୍କ ସହ ‘ନରସିଂହ’ ଦରବାର

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକର ରାଣୀପାଲି ଗାଁ। ଏହି ଗାଁରେ ବିଧାୟକ ନରସିଂହ ମିଶ୍ରଙ୍କର ବସିଥିଲା ଦରବାର। ଉପସ୍ଥିତ ଥିଲେ ବିଭିନ୍ନ ବିଭାଗର ଅଧିକାରୀ। ଗାଁର ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍ଧକ୍ୟ ଭତ୍ତା, ଗରିବଙ୍କ ପାଇଁ ବାସଗୃହ, ରାସନ କାର୍ଡ ହେଉ କି ବିଧବା, ବିକଳାଙ୍ଗ ଭତ୍ତା ଯେମିତି ବଞ୍ଚିତ ନହେବେ ସେ ଦିଗରେ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହି ଦରବାରରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ ମହାପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନବଘନ ସାହୁ, ବିଡିଓ ବାସୁଦେବ ମହାପାତ୍ର, ଇଂ.ମୃତ୍ୟୁଞ୍ଜୟ ରାଉତ, ରଶ୍ମିତା ମହାନ୍ତି ତଥା ଅନ୍ୟାନ୍ୟ ପଂଚାୟତ ସ୍ତରୀୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ଗାଁର ପାନୀୟ ଜଳ, ବିଜୁଳି ସମସ୍ୟା, କମ୍ୟୁନିଟି ସେଣ୍ଟର, ରାସ୍ତା ସମସ୍ୟା ଶୁଣି ସେ ତୁରନ୍ତ ଉପସ୍ଥିତ ଥିବା ବିଡିଓ ତଥା କନିଷ୍ଠ ଯନ୍ତ୍ରୀଙ୍କୁ ସେ ଦିଗରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଜାଗାରେ ଆବାସଗୃହ କିମ୍ବା କମ୍ୟୁନିଟି ସେଣ୍ଟର ଗୁଡିକରେ ହିତାଧିକାରୀମାନେ ପଇସା ପାଇ ନାହାନ୍ତି ତାହାର ତଦନ୍ତ କରାଯାଇଥିଲା। ଉପସ୍ଥିତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗାଁର ବାକି ରହିଯାଇଥିବା ଗରିବ ଲୋକମାନେ(ଯେଉଁମାନଙ୍କର ବାସଗୃହ ନାହିଁ) ସେମାନଙ୍କୁ ଯୋଜନା ଅନ୍ତର୍ଗତ ବାସଗୃହ ଦେବା ପାଇଁ ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।

ଆହୁରି ମଧ୍ୟ ଖାଦ୍ୟ ସୁରକ୍ଷାରେ ଯେଉଁମାନେ ରହିଯାଇଛନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଦରବାରରେ ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ଉପସ୍ଥିତ ଥିବା ସାମାଜିକ ସୁରକ୍ଷା ଅଧିକାରୀ ତୁରନ୍ତ ତାଙ୍କ ବିଭାଗର ଯୋଜନା ମୁତାବକ ବିଧବା, ଶାରୀରିକ ବିକଳାଙ୍ଗ, ବାର୍ଦ୍ଧକ୍ୟ ତଥା ବିଧବା ଭତ୍ତାର ଅନୁସନ୍ଧାନ କରିଥିଲେ। ଆଉ ରୁକ୍ମଣି ମହାକୁର, ଶ୍ରୀୟା ନନ୍ଦ, ସୁମିତ୍ରା ମେର୍ଲି, ବସୁମତି ନନ୍ଦ, ଚହଳା ବାଗଙ୍କୁ ଚୟନ କରାଯାଇଥିଲା। ବିଧାୟକ ଶ୍ରୀ ମିଶ୍ର ଗୋଷ୍ଠୀ ବିଡିଓ ଓ ଜିଲା ସାମାଜିକ ଅଧିକାରୀଙ୍କ ଉପସ୍ଥିତିରେ କାର୍ଡ ଓ ଭତ୍ତା ରାଶି ଦେଇଥିଲେ। ଏହି ଦରବାରରେ ସରକାରୀ ଅଧିକାରୀଙ୍କ ସହ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ରାମ ମିଶ୍ର, ବିପିନ ପୁଟେଲ, ଲମ୍ବୋଧର ମହାକୁର, ଧନଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.