ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ, ଶେଷକୃତ୍ୟ କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର: ବୁଧବାର ରାତିରେ କୌଣସି ଏକ ଯାତ୍ରିବାହୀ ଟ୍ରେନରୁ ଖସି ପଡି ଗୁରୁତର ଅବସ୍ଥାରେ ଥିଲେ ଜଣେ ଯୁବକ। ରେଳବାଇ ପୁଲିସ ସହାୟତାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚି ରାତିରେ ହିଁ ଯୁବକଙ୍କୁ ସ୍ଥାନୀୟ ଭୀମ ଭୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ମିଳି ନଥିବାରୁ ସାମାଜିକ ଗଣମାଧ୍ୟମରେ ମୃତକଙ୍କ ଫଟୋ ପୋଷ୍ଟ କରାଯାଇଥିଲା। ମୃତକ ଜଣଙ୍କ ସନ୍ତୋଷ ଭୋଇ ବୋଲି ଜଣାପଡିଥିଲା। ଏହାପରେ ପରିବାର ଲୋକଙ୍କୁ ଯୋଗାଯୋଗ କରିବାରୁ ମୃତକଙ୍କ ସାନ ଭାଇ ସରୋଜ ଭୋଇ ଆସି ଶବ ଚିହ୍ନଟ କରିଥିଲେ। ତେବେ ତାଙ୍କ ଭାଇ ଶେଷକୃତ୍ୟ ପାଇଁ ଅସମର୍ଥ ବୋଲି ଜଣାଇଥିଲେ।

ଏହାପରେ ଝିପି ଝିପି ବର୍ଷାରେ ଗୁରୁବାର ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଲିଙ୍କନ ସେଠ, ହରି ସନ୍ୟାସୀ, ରମାକାନ୍ତ ସେଲମା, ଦେବାଶିଷ ଗୋପାଳ, ଆଶୁତୋଷ, ଗରେଶ ମହାକୁଡ, ଅନୀଲ କୁମାର, ଆଶିଷ କଲେତ, ଆକାଶ ସାହୁ ପ୍ରମୁଖ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ। ଟୁନା ମିଶ୍ରଙ୍କ ସହାୟତାରେ ଶେଷକୃତ୍ୟ ପାଇଁ ଜାଳେଣି ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରାଯାଇ ଅନ୍ତେଷ୍ଟିକ୍ରିୟା କରାଯାଇଥିଲା। ମୃତକଙ୍କ ଭାଇ ସରୋଜ ମୁଖାଗ୍ନି ଦେଇଥିଲେ।

Comments are closed.