ସଂରକ୍ଷଣ ନେଇ ତେଜୁଛି ଅସନ୍ତୋଷ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଆସ୍ଥା ହରାଉଛନ୍ତି ସରକାର

ବଲାଙ୍ଗିର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକାକୁ ପୁନଃ ସଂଶୋଧନ କରାଯାଇଥିଲା। ତେବେ ଗୁରୁବାର ତୃତୀୟ ତଥା ଚୂଡାନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ସଂରକ୍ଷଣ, ୧୪ଟି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ପଦ ତଥା ସମିତି ସଭ୍ୟ ପଦଗୁଡ଼ିକରେ ସଂରକ୍ଷଣରେ ଅଦଳ ବଦଳ କରାଯାଇଛି। ତେବେ ପଛୁଆ ବର୍ଗକୁ ଆଦୌ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳି ନାହିଁ। ଅନ୍ୟପଟେ ପଞ୍ଚାୟତ ସମିତି ଓ ସରପଞ୍ଚ ପଦରେ ଅନୁସୂଚିତ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇ ନାହିଁ। କେବଳ ସମିତି ସଭ୍ୟ/ସଭ୍ୟା ପଦରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ କରାଯାଇଥିବା ପ୍ରକାଶିତ ତାଲିକାରୁ ସ୍ପଷ୍ଟ ହୋଇଛି। ଏହି ମର୍ମରେ ବଲାଙ୍ଗିର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଅସନ୍ତୋଷ ତେଜୁଛି। ଜିଲାର ବିଭିନ୍ନ ସ୍ଥାନରେ ପଛୁଆ ବର୍ଗ ଓ ଅନୁସୂଚିତ ଜନଜାତିର ଲୋକେ ସରକାରଙ୍କ ବିରୋଧରେ ପ୍ରବଳ ବିରୋଧ ପ୍ରଦର୍ଶନ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କେବଳ ସେତିକି ନୁହେଁ, ଶାସକ ଦଳରେ ଥିବା ପଛୁଆ ବର୍ଗ ଓ ଅନୁସୂଚିତ ଜନଜାତିର ନେତାଏ ବି କ୍ଷୁବ୍ଧ ହୋଇ ରହିଛନ୍ତି।

ବଲାଙ୍ଗିର ଜିଲାର ଅନୁସୂଚିିତ ଜାତିଙ୍କ ପାଇଁ ୩ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ଥିବା ବେଳେ ୨ଟିରେ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଅଣସଂରକ୍ଷିତ ଅଧ୍ୟକ୍ଷ ପଦ ପାଇଁ ୧୧ଟି ପଞ୍ଚାୟତ ସମିତିରୁ ୫ଟି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ସୂଚନା ଅନୁସାରେ, ଆଗଲପୁର ସହ ଗୁଡଭେଲା, ଟିଟିଲାଗଡ, ବଲାଙ୍ଗିର, ସଇଁନ୍ତଲା ପଞ୍ଚାୟତ ସମିତିର ଅଧ୍ୟକ୍ଷା ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ତୁରେକେଲା ଓ ବେଲପଡ଼ା ପଞ୍ଚାୟତ ସମିତି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଖପ୍ରାଖୋଲ, ଦେଓଗାଁ, ପୁଇଁନ୍ତଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ଲୋଇସିଂହା ପଞ୍ଚାୟତ ଅଣ ସଂରକ୍ଷିତ। କେବଳ ପାଟଣାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

ଜିଲାର ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧୀନ ୨୬ ପଞ୍ଚାୟତରୁ ୫ଟି ସରପଞ୍ଚ ପଦ ଅନୁସୂଚିତ ଜାତି(୩ଟି ମହିଳାଙ୍କ ପାଇଁ), ଅଣ ସଂରକ୍ଷିତଙ୍କ ପାଇଁ ୨୧ଟି ପଞ୍ଚାୟତ ମଧ୍ୟରୁ ୧୦ଟି ମହିଳାଙ୍କ ପାଇଁ ରଖାଯାଇଛି। ବଲାଙ୍ଗିର ସଦର ବ୍ଲକର ୨୫ ପଞ୍ଚାୟତରେ ଅନୁସୂଚିତ ଜାତିଙ୍କ ପାଇଁ ୫ଟିରୁ ୩ଟି ମହିଳାଙ୍କ ପାଇଁ ଓ ୨୦ଟି ସରପଞ୍ଚ ପଦ ଅଣ ସଂରକ୍ଷିତ ଥିବା ବେଳେ ୧୦ଟି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏଥିସହିତ ମୁରିବାହାଲ ପଞ୍ଚାୟତ ସମିତିର ୨୨ଟି ପଞ୍ଚାୟତରୁ ୫ ଅନୁସୂଚିତ ଜାତି(୩ ମହିଳାଙ୍କ ପାଇଁ) ଥିବା ବେଳେ ୧୭ଟି ଅଣ ସଂରକ୍ଷିତଙ୍କ ମଧ୍ୟରୁ ୮ଟି ସରପଞ୍ଚ ପଦ ମହିଳାଙ୍କ ପାଇଁ ରଖାଯାଇଛି। ଲୋଇସିଂହା ଓ ଆଗଲପୁର ପଞ୍ଚାୟତ ସମିତିରେ ୨୦ଟି ଲେଖାଏଁ ପଞ୍ଚାୟତ ରହିଛି। ଏହି ୨ ପଞ୍ଚାୟତ ସମିତିରେ ୨ଟି ଲେଖାଏଁ ସରପଞ୍ଚ ପଦ ଅନୁସୂଚିତ ଜାତି ଓ ୨ଟି ଲେଖାଏଁ ଅନୁସୂଚିତ ଜାତି ମହିଳାଙ୍କ ସଂରକ୍ଷିତ ହୋଇଛି। ସେହି ଅନୁସାରେ ଏହି ୨ ପଞ୍ଚାୟତ ସମିତିରେ ଅଣ ସଂରକ୍ଷିତଙ୍କ ପାଇଁ ୧୬ଟି ଲେଖାଏଁ ପଦରୁ ୮ଟି ଲେଖାଏଁ ପଦ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଖପ୍ରାଖୋଲ ପଞ୍ଚାୟତ ସମିତି ଅଧୀନରେ ଥିବା ୨୧ ପଞ୍ଚାୟତରୁ ୩ ଅନୁସୂଚିତ ଜାତି ପଦରୁ ୨ଟି ମହିଳାଙ୍କ ପାଇଁ, ୧୮ ଅଣ ସଂରକ୍ଷିତଙ୍କ ପାଇଁ ଉପଲବ୍ଧ ଥିବା ବେଳେ ୯ଟି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଟିଟିଲାଗଡ ପଞ୍ଚାୟତ ସମିତିର ୨୪ଟି ପଞ୍ଚାୟତରୁ ୫ଟି ଅନୁସୂଚିତ ଜାତି(୩ମହିଳାଙ୍କ ପାଇଁ) ଓ ୧୯ ଅଣ ସଂରକ୍ଷିତଙ୍କ ପାଇଁ ଉପଲବ୍ଧ ରହିଛି। ସେଥି ମଧ୍ୟରୁ ୯ଜଣ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇଛି। ଗୁଡଭେଲା ପଞ୍ଚାୟତ ସମିତିର ୧୩ଟି ପଞ୍ଚାୟତରୁ ୩ରୁ ୨ ମହିଳା ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ଓ ୧୦ ଅଣ ସଂରକ୍ଷିତରୁ ୫ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ସେହିପରି ତୁରେକେଲା ପଞ୍ଚାୟତ ସମିତିର ୧୯ଟି ପଞ୍ଚାୟତରୁ ୩ ଅନୁସୂଚିତ ଜାତିରୁ ୨ ମହିଳାଙ୍କ ପାଇଁ ଓ ୧୬ ସରପଞ୍ଚ ପଦ ଅଣ ସଂରକ୍ଷିତଙ୍କ ପାଇଁ ଥିବା ବେଳେ ୮ ପଦ ମହିଳାଙ୍କ ପାଇଁ ରହିଛି। ଦେଓଗାଁ ପଞ୍ଚାୟତ ସମିତିର ୨୬ଟି ପଞ୍ଚାୟତରେ ଅନୁସୂଚିତ ଜାତି ପାଇଁ ୪ଟି ପଦରୁ ୨ ମହିଳାଙ୍କ ପାଇଁ ଓ ୨୨ ଅଣ ସଂରକ୍ଷିତଙ୍କ ପାଇଁ ଥିବା ବେଳେ ୧୧ ମହିଳାଙ୍କ ଉଦ୍ଦିଷ୍ଟ। ପାଟଣାଗଡ ପଞ୍ଚାୟତ ସମିତିର ୩୦ଟି ପଞ୍ଚାୟତରୁ ୫ ଅନୁସୂଚିତ ଜାତି(୩ ମହିଳାଙ୍କ ପାଇଁ) ଓ ୨୫ ଅଣ ସଂରକ୍ଷିତଙ୍କ ମଧ୍ୟରୁ ୧୨ଟି ସରପଞ୍ଚ ପଦ ମହିଳାଙ୍କ ପାଇଁ ରଖାଯାଇଛି। ପୁଇଁନ୍ତଲା ପଞ୍ଚାୟତ ସମିତିର ୨୫ ପଞ୍ଚାୟତରୁ ୭ ଅନୁସୂଚିତ ଜାତିରୁ ୪ ମହିଳା ଓ ୧୮ ଅଣ ସଂରକ୍ଷିତ ଆସନରୁ ୯ ମହିଳାଙ୍କ ପାଇଁ ସଂରକ୍ଷିତ। ସଇଁନ୍ତଲା ପଞ୍ଚାୟତ ସମିତିର ୨୨ ପଞ୍ଚାୟତରୁ ୫ ଅନୁସୂଚିତ ଜାତିରୁ ୩ ମହିଳା ଓ ୧୭ ଅଣ ସଂରକ୍ଷିତ ଆସନରୁ ୮ ପଦ ମହିଳାଙ୍କ ପାଇଁ ତାଲିକାରେ ପ୍ରକାଶ ପାଇଛି। ଏଥିସହିତ ବେଲାପଡ଼ା ପଞ୍ଚାୟତ ସମିତିର ୨୪ ପଞ୍ଚାୟତରୁ ୫ ଅନୁସୂଚିତ ଜାତିରୁ ୩ ମହିଳା, ୧୯ ଅଣ ସଂରକ୍ଷିତ ପଦରୁ ୯ ମହିଳାଙ୍କ ପାଇଁ ସଂରକ୍ଷିତ।

ଗତ ନିର୍ବାଚନରେ ବଲାଙ୍ଗିର ଜିଲାର ବିଭିନ୍ନ ପଞ୍ଚାୟତରେ ଅନୁସୂଚିତ ଜନଜାତି ପାଇଁ ୭୨ଟି ସରପଞ୍ଚ ପଦ ଓ ସମିତି ସଭ୍ୟ/ସଭ୍ୟା ପାଇଁ ମଧ୍ୟ ଅନୁରୂପ ୭୨ଟି ପଦ ସଂରକ୍ଷିତ ଥିବା ବେଳେ ଏଥର ପ୍ରକାଶିତ ବିଭିନ୍ନ ପଞ୍ଚାୟତ ସମିତିର ସମିତି ସଭ୍ୟରେ ଅନୁସୂଚିତ ଜନଜାତିଙ୍କ ପାଇଁ ସେହି ୭୨ଟି ପଦ ସଂରକ୍ଷିତ ରଖାଯାଇଛି। ତେବେ ସରପଞ୍ଚ ଓ ପଞ୍ଚାୟତ ସମିତି ଅଧ୍ୟତ୍ତ୍ୱଅଧ୍ୟକ୍ଷା ପଦରେ ସେମାନଙ୍କ ପାଇଁ ସଂରକ୍ଷଣ ରଖାଯାଇ ନଥିବାରୁ ସେମାନେ ଆନ୍ଦୋଳନକୁ ଜୋରଦାର କରୁଛନ୍ତି। ଅନ୍ୟପଟେ ସବୁ ସଂରକ୍ଷଣରୁ ପଛୁଆ ବର୍ଗ ବାଦ୍‍ ପଡିଥିବାରୁ ସରକାର ବିରୋଧୀ ସ୍ୱର ଶାଣିତ ହେବାରେ ଲାଗିଛି।

Comments are closed.